ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କଳାହାଣ୍ଡିରେ ମା’ ଏବଂ ଶିଶୁମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁଧବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ସ୍ୱାସ୍ଥ୍ୟ ପତ୍ରିକା ଉନ୍ମୋଚନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଜିଲ୍ଲା ମୁଖ୍ୟଡାକ୍ତରଖାନାର ଡାକ୍ତର, କର୍ମଚାରୀ ଏବଂ ଜନସାଧାରଣଙ୍କ ସହ କଥା ହୋଇଥିଲେ। ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ରୋଗୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ ମନ୍ତ୍ରୀ। ହସ୍ପିଟାଲରେ ରୋଗୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ଖାଲି ସେତିକି ନୁହେଁ, ଟେମରା-କାଦପଦର ରାସ୍ତାରେ ହାତୀ ନଦୀ ଉପରେ ୭.୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ବିଜୁ ସେତୁ ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ସାଂସଦ ଭୂପିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comment