ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପାଣି ଛଡ଼ାଇ ଆଣିବା ପାଇଁ ଛତିଶଗଡ଼ ଉପରେ ଚାପ ପକାଇବା ଦରକାର। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତବ୍ୟ ଦେବା ପରେ ବିଜେଡି ଜବାବ ଦେଇଛି। ଛତିଶଗଡ଼ ଉପରେ କେନ୍ଦ୍ର ସରକାର ଚାପ ପକାନ୍ତୁ ବୋଲି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

“ଛତିଶଗଡ଼କୁ କେନ୍ଦ୍ର ସରକାର ସମର୍ଥନ କରୁଛନ୍ତି। ଏଥିପାଇଁ ଛତିଶଗଡ଼ ସରକାର ପାଣି ଅଟକାଇ ରଖିଛନ୍ତି। ଛତିଶଗଡ଼ ପାଣି ଅଟକାଇ ଥିବାରୁ ଓଡ଼ିଶାରେ ଜଳ ସ୍ରୋତ କମିଯାଇଛି। ପାଣି ଛାଡ଼ିବା ପାଇଁ ଛତିଶଗଡ଼କୁ କେନ୍ଦ୍ର ସରକାର ପରାମର୍ଶ ଦିଅନ୍ତୁ”, କହିଛନ୍ତି ଦେବୀପ୍ରସାଦ ମିଶ୍ର।

ପ୍ରଧାନମନ୍ତ୍ରୀ କାହିଁକି ନୀରବ ରହିଛନ୍ତି? ପାଣି ଛାଡ଼ିବା ପାଇଁ ଛତିଶଗଡ଼କୁ କାହିଁକି କହୁ ନାହାନ୍ତି? ଓଡ଼ିଶା ସହ କେନ୍ଦ୍ର ସରକାର ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି ବୋଲି ଦେବୀ ପ୍ରସାଦ ମିଶ୍ର ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି।

ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବି ପ୍ରତିକ୍ରିୟ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ବିଳମ୍ବରେ ହେଲେ ବି ବିଜେପି ନେତାମାନେ ବାଟକୁ ଆସିଛନ୍ତି। ଛତିଶଗଡ଼ ସରକାର ପାଣି ଅଟକାଇଛନ୍ତି ବୋଲି ଧର୍ମେନ୍ଦ୍ର ସ୍ୱୀକାର କରିଛନ୍ତି। ତେବେ ସେ ତାଙ୍କ ବିବେକ ଅନୁଯାୟୀ ଏହା କହି ନାହାନ୍ତି। ଜନମତର ପ୍ରଭାବ ପଡ଼ିବାରୁ ଧର୍ମେନ୍ଦ୍ର ଏଭଳି ବୟାନ ଦେଇଛନ୍ତି।

ମହାନଦୀ ପାଣି ବିବାଦର କିପରି ସମାଧାନ ହେବ ସେ ବିଷୟରେ ଏବେ ଆଲୋଚନା କରିବାକୁ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ସରକାର ମୁହାଁମୁହିଁ ହୋଇଥିଲେ ମଧ୍ୟ ଓଡ଼ିଶା ବିଜେପି ନେତାମାନେ ମୁହଁ ଖୋଲୁ ନଥଲେ। ଏବେ ପରିସ୍ଥିତି ଅସମ୍ଭାଳ ହେବା ପରେ ବିଜେପି ମହାନଦୀକୁ ନେଇ ଛତିଶଗଡ଼କୁ ଦାୟୀ କରୁଛି।

Comment