ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ଅନେକ ସମୟରେ ଚର୍ଚ୍ଚା ହୁଏ। କେତେବେଳେ ସେ ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତ ପୁଣି କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ।

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଲବମ୍ ଦୁନିଆରୁ ଯେତେବେଳେ ଫିଲ୍ମରେ ଏଣ୍ଟ୍ରି ଦେଲେ, ସେତେବେଳେ ଚର୍ଚ୍ଚା ହେଲା ଯେ ସେ ଜଣେ ଭଲ ନାୟକ ହେବେ। ତାଙ୍କର ପ୍ରଥମ ସିନେମା ‘ଆଇ ଲଭ୍ ୟୁ’ ରିଲିଜ୍ ହେବା ପରେ ଏ କଥା ମଧ୍ୟ ପ୍ରମାଣିତ ହେଲା।

ବ୍ରଜରାଜ ମୁଭିଜ୍ ଅନୁଭବଙ୍କୁ ହିରୋ ଭାବେ ଲଞ୍ଚ୍ କରିଥିଲେ, ତା’ ପରେ ଏହି ସଂସ୍ଥା କ୍ରମାଗତ ଭାବେ ବର୍ଷା ମାଇଁ ଡାଲିଂ, ଓ ପ୍ରେମୀ ନମ୍ବର ଓ୍ବାନ୍‌ରେ ବି ଅନୁଭବଙ୍କୁ ଦେଇଥିଲେ ହିରୋ ହିସାବରେ। ‘ପ୍ରେମୀ ନମ୍ବର ଓ୍ବାନ୍’ ରିଲିଜ୍ ହେବା ପରେ ଅନୁଭବଙ୍କ ସହ ବ୍ରଜରାଜ ମୁଭିଜ୍ ସହ ମତାନ୍ତର ହୋଇଥିଲା।

କୁହାଯାଏ ଯେ ଏହି କାରଣରୁ ବ୍ରଜରାଜ ମୁଭିଜ୍ ଆଉ ଜଣେ ନୂଆ ହିରୋଙ୍କୁ ଲଞ୍ଚ୍ କରିବା ପାଇଁ ସ୍ଥିର କରିଥିଲେ। ତାହା ବି ହେଲା। ବ୍ରଜରାଜ ମୁଭିଜ୍ ଅରିନ୍ଦମଙ୍କୁ ହିରୋ ଭାବେ ଲଞ୍ଚ କଲେ ଫିଲ୍ମ ‘ପ୍ରେମ ଋତୁ ଆସିଲାରେ’ରେ।

ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ପୁଣି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବ୍ରଜରାଜ ମୁଭିଜ୍‌କୁ ଫେରିଥିଲେ କିଛି ବର୍ଷ ପରେ।

ବ୍ରଜରାଜ ମୁଭିଜ୍ ‘ପ୍ରେମୀ ନମ୍ବର ଓ୍ବାନ୍’ ପରେ ‘ପ୍ରେମ ଋତୁ ଆସିଲାରେ’ର ନିର୍ମାଣ ଆରମ୍ଭ କରିଥିଲେ। ଏଥିରେ ପ୍ରଯୋଜନା ସଂସ୍ଥା ଅନୁଭବଙ୍କୁ ହିରୋ ଭାବେ ଦେବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଠିକ୍ କରିଥିଲେ।

ଶୁଣିବାକୁ ମିଳେ ଯେ ଅନୁଭବ ଏହି ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ଦାବି କରିଥିଲେ। ଏଥିପାଇଁ ବ୍ରଜରାଜ ମୁଭିଜ୍ ପ୍ରେମଋତୁ ଆସିଲାରେ’ରେ ଅରିନ୍ଦମ୍‌ଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରିଥିଲେ।

‘ପ୍ରେମ ଋତୁ ଆସିଲାରେ’ ପରେ ପୁଣି ବ୍ରଜରାଜ ମୁଭିଜ୍ ଅରିନ୍ଦମଙ୍କୁ ରିପିଟ୍ କରିଲେ ‘ମୁଁ ତତେ ଲଭ୍ କରୁଚି’ ସିନେମାରେ।

୨୦୦୫ରେ ରିଲିଜ୍ ହୋଇଥିଲା ବ୍ରଜରାଜ ମୁଭିଜରେ ସିନେମା ‘ପ୍ରେମୀ ନମ୍ବର ଓ୍ବାନ୍’। ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। ଏଥିରେ ଅନୁଭବଙ୍କ ବିପକ୍ଷରେ ନବାଗତା ଚାନ୍ଦିନୀ ବନିଥିଲେ ନାୟିକା। ଅନ୍ୟାନ୍ୟ ଭୂମିକାରେ ବିଜୟ ମହାନ୍ତି, ତନ୍ଦ୍ରା, ଉତ୍ତମ, ଅପରାଜିତା, ଦେବୁ ବୋଷ, ଜୟୀ ଓ କାନ୍ତା ସିଂହ ପ୍ରମୁଖ ଅଭିନୟ କରିଥିଲେ ଏହି ସିନେମାରେ।

ବ୍ରଜରାଜ ମୁଭିଜ୍ ଏହା ପରେ ଅନୁଭବଙ୍କ ପରିବର୍ତ୍ତେ ଅରିନ୍ଦମ ଓ ବାବୁସାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିଲେ। ହେଲେ ପ୍ରାୟ ତିନି ବର୍ଷ ପରେ ପୁଣି ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ହୋଇଥିଲା।

ପୁଣି ଏକାଠି ହୋଇଥିଲେ

ତା’ ପରେ ବ୍ରଜରାଜ ମୁଭିଜ୍ ଓ ଅନୁଭବ ପୁଣି ଏକାଠି ହେଲେ। ଏଥର ଏକ ବିଗ୍‌ ବଜେଟ୍ ସିନେମା ଆରମ୍ଭ ହେଲା। ଏହି ଫିଲ୍ମର ଟାଇଟଲ୍ ରହିଲା ‘ଡନ୍’। ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ।

‘ଡନ୍’ର ଟାଇଟଲ୍ ରୋଲ୍ କରିଥିଲେ ଅନୁଭବ। ଏହି ଫିଲ୍ମର ସୁଟିଂ ବି ସୁରୁଖୁରୁରେ ଆରମ୍ଭ ହୋଇଥିଲା। ଏଥିରେ ଅନୁଭବଙ୍କ ବ୍ୟତୀତ ସିଦ୍ଧାନ୍ତ, ଲଭଲି, ଦେବଯାନୀ, ଦେବୁ ବୋଷ ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।

ଅନୁଭବ ମହାନ୍ତିଙ୍କ ଅଭିନୀତ ‘ଡନ୍’ ଥିଲା ଏକ ସୁପର ଆକସନ୍ ମୁଭି। କିନ୍ତୁ ସୁଟିଂ ଅଧାଅଧି ସରିବା ବେଳକୁ ପୁଣି ଏକ ସମସ୍ୟା ଦେଖା ଦେଇଥିଲା।

‘ଡନ୍’ର ସୁଟିଂ ଅଟକିଗଲା। ଚର୍ଚ୍ଚା ହେଲା ଯେ ବ୍ରଜରାଜ ମୁଭିଜ୍ ଓ ଅନୁଭବଙ୍କ ଭିତରେ ପୁଣି ମନୋମାଳିନ୍ୟ ଦେଖାଦେଇଛି। ଏହି କାରଣରୁ ଅନୁଭବ ‘ଡନ୍’ ପାଇଁ ସମୟ ଦେଉ ନାହାନ୍ତି।

କିଛି ମାସ ପରେ ଶୁଣିବାକୁ ମିଳିଲା ଓଲିଉଡର ଆଉ ଜଣେ ଟପ୍ ଷ୍ଟାରଙ୍କୁ ନେଇ ‘ଡନ୍’ କମ୍ପ୍ଲିଟ୍ ହେବ। ସେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି। ବୁଦ୍ଧାଦିତ୍ୟ ବି ରାଜି ହେଲେ।

କିନ୍ତୁ ପୁଣି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡର ନାମୀ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ ମଧ୍ୟରେ ସବୁ ଠିକ୍‌ଠାକ୍‌ ହୋଇଗଲା।

‘ଡନ୍’ ପରେ ଫେରିନାହାନ୍ତି

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ପୁଣି ‘ଡନ୍’ ସେଟ୍‌କୁ ଫେରିଥିଲେ। ତା’ପରେ ଫିଲ୍ମର ସୁଟିଂ ମଧ୍ୟ ଶେଷ ହେଲା। ‘ଡନ୍’ ପରେ ବ୍ରଜରାଜ ମୁଭିଜ୍ ଅନ୍ୟ ସିନେମା ନିର୍ମାଣ କରିଛନ୍ତି, ହେଲେ ସେଥିରେ ଅନୁଭବଙ୍କୁ ଦେଖିବାକୁ ମିଳିନାହିଁ।

Comment