ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିବା ସନ୍ଥ ଭୟୁଜୀ ମହାରାଜ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିଜ ବାସଭବନରେ ଘଟିଛି ଏଭଳି ଅଘଟଣ।

ଘଟଣା ଘଟିବାର କିଛି ସମୟ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି।

କିଛିଦିନ ପୂର୍ବରୁ ସନ୍ଥ ଭୟୁଜୀ ମହାରାଜଙ୍କୁ ମଧ୍ୟପ୍ରଦେଶ ସରକାରରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଥିଲା।

୧୯୬୮ମସିହାରେ ଜନ୍ମ ଗ୍ରହଣ କରିଥିବା ସନ୍ଥ ଭୟୁଜୀ ମହାରାଜଙ୍କ ପ୍ରକୃତ ନାମ ଥିଲା ଉଦୟ ସିଂହ ଦେଶମୁଖ। ସେ କିଛି କପଡ଼ା ବ୍ରାଣ୍ଡ୍ ପାଇଁ ମଡେଲିଂ ମଧ୍ୟ କରିଥିଲେ। ଦେଶର କିଛି ବଡ଼ ରାଜନେତାଙ୍କ ସହ ତାଙ୍କ ସମ୍ପର୍କ ଥିଲା।

୨୦୧୧ରେ ଅନଶନ ଶେଷ କରିବା ପାଇଁ ତତ୍କାଳିନ ସରକାର ଭୟୁଜୀଙ୍କ ସହାୟତା ନେଇ ତାଙ୍କ ଦୂତ ଭାବେ ପଠାଇଥିଲେ। ଆନ୍ନା ହଜାରେଙ୍କୁ ଜୁସ୍ ପିଆଇ ତାଙ୍କ ଅନଶନ ଭାଙ୍ଗିଥିଲେ ଭୟୁଜୀ ମହାରାଜ।

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ସଦଭାବନା ଉପବାସରେ ବସିଥିଲେ। ସେ ସମୟରେ ମଧ୍ୟ ଭୟୁଜୀ ମହାରାଜଙ୍କୁ ଆମନ୍ତ୍ରିତ କରାଯାଇଥିଲା।

ଭୟୁଜୀ ମହାରାଜଙ୍କର ଏକ ସଦଗୁରୁ ଦତ୍ତ ନାମକ ଏକ ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ଦ୍ଵାରା ସେ କଏଦୀଙ୍କ ପିଲାଙ୍କୁ ସ୍କଲାରସିପ୍ ବାଣ୍ଟିଥାନ୍ତି। ବହୁ କଲ୍ୟାଣମୂଳକ କାର୍ଯ୍ୟସହ ଜଡ଼ିତ ଥିଲେ ଭୟୁଜୀ ମହାରାଜ।

Comment