ପଣ୍ଡିତ ନୀଳକଣ୍ଠ ଦାସ

ଶ୍ରୀ ଜଗନ୍ନାଥ ଚେତନା ଏକ ବିଶ୍ଵ ଚେତନା। ଏହି ଧାରାରେ କିଭଳି ତନ୍ତ୍ରର ପ୍ରଭାବ ପଡ଼ିଛି ସେ ସମ୍ପର୍କରେ ‘ଗୀତା ପ୍ରବେଶ’ ପୁସ୍ତକରେ ଓଡ଼ିଶାର ବରପୁତ୍ର ନୀଳକଣ୍ଠ ଦାସ ବର୍ଣ୍ଣନା କରିଛନ୍ତି।

ଉତ୍କଳୀୟ ସଂସ୍କୃତି ବୋଲି ମୂଳରୁ କୌଣସି ଏକ ଅବିଚ୍ଛିନ୍ନ ସଂସ୍କୃତି ନଥିଲା। ବସ୍ତୁତଃ ଏହା ତିନୋଟି ସଂସ୍କୃତିର ଗୋଟିଏ ମିଶ୍ରଣ। ମୂଳତଃ ଏଇ ତିନୋଟି ସଂସ୍କୃତି ହେଉଛି-

(୧) ଉତ୍ତରଟି ଉତ୍କଳର। ଏଇ ଉତ୍କଳ ହେଉଛି, ପ୍ରାୟ ଯାଜପୁରଠାରୁ ଉତ୍ତରକୁ ରାଢ଼ ଯାଏ।

(୨) ଦକ୍ଷିଣ ସଂସ୍କୃତିଟି କଳିଙ୍ଗର। ଏଇ କଳିଙ୍ଗ ହେଉଛି, ଯାଜପୁରଠାରୁ ଦକ୍ଷିଣକୁ ପ୍ରାୟ ବିଶାଖାପାଟଣା ପର୍ଯ୍ୟନ୍ତ ବା ଆହୁରି ଟିକିଏ ଦକ୍ଷିଣକୁ।

(୩) ତୃତୀୟଟି ହେଉଛି ଦକ୍ଷିଣ କୋଶଳର।

ଏଇ ଦକ୍ଷିଣ କୋଶଳଟି ହେଉଛି, ମୋଟାମୋଟି ବୌଦଠାରୁ ବିଳାସପୁର ଯାଏ। ଏହାର ସଂସ୍କୃତି ଗୋଟିଏ ସ୍ଵତନ୍ତ୍ର ସଂସ୍କୃତି। ଏହା ଉତ୍କଳ ଓ କଳିଙ୍ଗ ଏଇ ଦୁଇ ସଂସ୍କୃତିରୁ ଭିନ୍ନ। ଉତ୍କଳ ସଂସ୍କୃତି ପ୍ରାୟ ବଙ୍ଗ ସଂସ୍କୃତି ସଙ୍ଗେ ସମାନ। ଏଥିରେ ବହୁକାଳରୁ ମିଶିଥିଲା କୋଶଳ ସଂସ୍କୃତି। ଚୀନ ପରିବ୍ରାଜକମାନେ ସେକାଳେ ଏ କୋଶଳ ଅଂଶକୁ କହୁଥିଲେ ଉଡଡିୟମାନ। ଏଇ ସଂସ୍କୃତି ହେଉଛି ତନ୍ତ୍ରର ସଂସ୍କୃତି।

ଏହା ଉଡ୍ଡିୟାନରୁ ବାହାରି ଅନ୍ୟାନ୍ୟ ସ୍ଥାନ ଭିତରେ ସିଲହଟ୍ କାମାକ୍ଷା ବାଟେ ପ୍ରାୟ ଖ୍ରୀଷ୍ଟ ୭ମ-୮ମ ଶତାବ୍ଦୀରେ ନେପାଳ ଓ ତିଦ୍ଦତ ଆଡକୁ ଯାଇଥିଲା। ଏହା ମୂଳତଃ ଅଷ୍ଟ୍ରିକ୍ ବା ନିଷାଦମାନଙ୍କ ସଂସ୍କୃତି। ଖ୍ରୀଷ୍ଟପୂର୍ବ ବହୁକାଳରୁ ଏଇ ନିଷାଦ ସଂସ୍କୃତି ଭାରତକୁ ଆସିଥିଲା। ଅତି ପ୍ରାଚୀନ କାଳରୁ ଏହା ଭାରତକୁ ଆଗ ଆସିଥିଲା, ତା’ ପରେ ଆସିଲା ଦ୍ରାବିଡ୍ ସଭ୍ୟତା ବା ସଂସ୍କୃତି, ତା’ପରେ ସବାଶେଷରେ ଆସିଲା ଋକବୈଦିକ ବା ଆର୍ଯ୍ୟସଭ୍ୟତା ବା ସଂସ୍କୃତି।

ଏଇ ତନ୍ତ୍ର ସଂସ୍କୃତିରେ ଧାରଣାଟିଏ ପ୍ରକାଶ ପାଇଥିଲା, ମାତା ଯେପରି ସନ୍ତାନ ଜନ୍ମ କରେ, ଏ ସୃଷ୍ଟି ସେହିପରି ହୁଏ। କାରଣ ଯେତେବେଳେ ମାତା ସନ୍ତାନ ଜନ୍ମ କରିବାରେ ପିତାର ସମ୍ପର୍କ ଥିଲା ବୋଲି ଲୋକେ ବୁଝି ନଥିଲେ। ସେଥିପାଇଁ ମହାପୁରୁଷମାନଙ୍କ ଜନ୍ମରେ ପିତାର ସମ୍ପର୍କ ନାଇ ବୋଲି ଭକ୍ତମାନଙ୍କର ଗୋଟିଏ ଧାରଣା ପଡ଼ିଯାଇଛି। ଅନେକେ ଜାଣିଥିବେ ପ୍ରାଚୀନ ଲିବିଆର ନିଥଦେବୀଙ୍କ ଜନ୍ମିତ ପୁତ୍ରର ମଧ୍ୟ ପିତା ନାହିଁ। ଇହୁଦୀମାନଙ୍କର ଯୀଶୁଖ୍ରୀଷ୍ଟଙ୍କ ପିତା ନାଇ ଓ ଏବେ ମଧ୍ୟ ବଙ୍ଗଳାର ରାମକୃଷ୍ଣ ପରମହଂସ ବିନା ପିତାରେ ଜନ୍ମ ହୋଇଥିବା କଥା ଭକ୍ତମାନେ ଖୁବ୍ ଜୋରରେ ପ୍ରତିଷ୍ଠା ଓ ପ୍ରଚାର କରୁଛନ୍ତି।

ଏହାକୁ ତନ୍ତ୍ରଧର୍ମ କହନ୍ତି। ଏଇ ତନ୍ତ୍ର କ୍ରମେ ବଙ୍ଗ, ନେପାଳ ଓ ତିଦ୍ଦତକୁ ଯାଇ ଅତି ବିଭତ୍ସ ଆକାର ଧାରଣା କରିଥିଲା। ସେଇ ବୀଭତ୍ସତା ନାନା ଭାବରେ ମାନବର ଧର୍ମରାଜ୍ୟରେ ବଡ଼ ବିଭ୍ରାଟ ଘଟାଇ ଆସିଅଛି। ସେଇଥିରୁ କାଳକ୍ରମେ ବାହାରିଛନ୍ତି ବୃନ୍ଦାବନରୁ ରାଧାକୃଷ୍ଣ। ପୂର୍ବଭାରତର ରାଧାକୃଷ୍ଣ ଧର୍ମ ମଧ୍ୟ ତାହାରି ଏକ ପରିଣାମର ଗୋଟିଏ ବ୍ୟାପକ ସଂସ୍କରଣ କହିଲେ ଚଳେ।

ଏଣେ କଳିଙ୍ଗ ସଂସ୍କୃତି ହେଉଛି ଦ୍ରାବିଡମାନଙ୍କ ସଂସ୍କୃତି। ନିଷାଦମାନଙ୍କ ପରେ ଭାରତକୁ ଆସିଥିଲେ ଦ୍ରାବିଡମାନେ। ସେମାନେ ଏଇ କଳିଙ୍ଗ ସଂସ୍କୃତିକୁ ସଙ୍ଗରେ ଘେନି ଆସିଥିଲେ। ଏହା କେବଳ କଳିଙ୍ଗରେ ସୀମାବଦ୍ଧ ନଥିଲା। ଏହା ମୁଖ୍ୟତଃ ଗୋଟିଏ ଦକ୍ଷିଣୀ ସଂସ୍କୃତି। ପୃଥିବୀରେ ସମସ୍ତ ଧର୍ମମାନଙ୍କ ମଧ୍ୟରେ ଏଇ ଗୋଟିଏ କଳା କେବଳ ବିଭୁଧର୍ମ ନୁହେଁ, ଏହା ଗୋଟିଏ ଆଧ୍ୟାତ୍ମିକ ଧର୍ମ।

ତାମିଲ ଦେଶର ତିରୁକୁରାଲ (ଶ୍ରୀସୂକ୍ତ) ଗ୍ରନ୍ଥ ଏବେ ଇଂରାଜୀରେ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀଙ୍କ ଟିକା ସହିତ ବାହାରିଅଛି। ସେଥିରୁ ଜଣାଯାଏ, ଏବେ ପରବର୍ତ୍ତୀ କାଳରେ ଜୈନଧର୍ମ ବୋଲି ଯାହାକୁ କହୁଥିଲେ, ତାହାର ମୂଳ ଏଇଠାରେ। ଏଇ ଧର୍ମଟିରେ କେବଳ ଭକ୍ତି ବା କୌଣସି ଈଶ୍ଵର ପୁରୁଷ ବା ତାଙ୍କର ପୁତ୍ର ପ୍ରୟୋଗଂବର ବା ଅବତାରଙ୍କୁ କଳ୍ପନା କରି ତାଙ୍କଠାରେ ସବୁ ସମର୍ପଣ କରିଦେଇ ପୁଣି ସେଇ ପୁରୁଷଙ୍କୁ ଭକ୍ତିରେ ମାଗିବା କଥା ନେଇ। ଏହା ମାନବର ଆତ୍ମିକ ବା ଆଧ୍ୟାତ୍ମିକ ଧର୍ମ।

ଏଇ ଧର୍ମର ପ୍ରଧାନ ଅନୁସନ୍ଧାନର ବସ୍ତୁ ହେଉଛି ମାନବର ଆତ୍ମା। ସେଇ ହିସାବରେ ଉପାସ୍ୟ ହେଉଛନ୍ତି ମାନବର ଶରୀରର ଅଧିକାରୀ ଆତ୍ମା ବା ପୁରୁଷ। ବହୁକାଳରୁ କଳିଙ୍ଗ ଉପକୂଳରେ ଏଇ ପୁରୁଷ ବା ପୁରୁଷୋତ୍ତମର ପ୍ରାଦୁର୍ଭାବ ଓ ପ୍ରତିଷ୍ଠା ହୋଇଥିଲା।

ଯେଉଁ ନିଷାଦମାନେ ତନ୍ତ୍ର ବା ନାରୀଧର୍ମକୁ ସଙ୍ଗରେ ଘେନି ଆସିଥିଲେ, ସେମାନେ ପ୍ରାଗବୈଦିକ କାଳରେ ନିଜ ଧର୍ମକୁ ହୁଏତ ଶୂନ୍ୟଧର୍ମ ବୋଲି କହୁଥିଲେ ସତ, କିନ୍ତୁ ପ୍ରମାଣ ମିଳୁଚି, ସେମାନେ ନିମକାଠର ମୂର୍ତ୍ତି ପୂଜା କରୁଥିଲେ ଓ କେତେ କାଳ ପରେ କଳିଙ୍ଗସ୍ଥ ପୁରୁଷୋତ୍ତମର ସ୍ପର୍ଦ୍ଧା କରି ସେଇ ନିମକାଠର ମୂର୍ତ୍ତିକୁ ପୁରୁଷ ବୋଲି କହିବାର ଆରମ୍ଭ କଲେ। ଏହା ଘେନି ନିଷାଦ ଓ ଦ୍ରାବିଡମାନଙ୍କ ମଧ୍ୟରେ ଘୋର ମତଭେଦ ହୋଇଥିବାର ମଧ୍ୟ ପ୍ରମାଣ ଋଗବେଦରୁ ମିଳେ।

ଖ୍ରୀଷ୍ଟ ୧୧ଶ ଶତାବ୍ଦୀରେ ଯେତେବେଳେ ଓଡ଼ିଶାରେ ଚୋଡଗଙ୍ଗ ଦେବ ସମ୍ରାଟ୍ ହେଲେ, ସେତେବେଳେ କଳିଙ୍ଗରେ ଚୋଡଗଙ୍ଗ ଦେବଙ୍କ ରାଜତ୍ଵର ପ୍ରାୟ ୫୦ବର୍ଷ ପୂର୍ବରୁ ୧୦୨୪ ଖ୍ରୀଷ୍ଟାବ୍ଦରେ ଭାରତର ହିନ୍ଦୁମାନଙ୍କ ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଗଜନୀର ମାମୁଦ ଧ୍ଵଂସ କରିଦେଲେ। ଭାରତର ଆଉ କୌଣସିଠାରେ ହିନ୍ଦୁମାନଙ୍କର କୌଣସି ପ୍ରତିଷ୍ଠା ରହିବା ଆଶା ପର୍ଯ୍ୟନ୍ତ ଦେଖାଗଲା ନାଇ। ଆର୍ଯ୍ୟ ସମ୍ରାଟ ଚୋଡଗଙ୍ଗ ଏଇ ନିଷାଦ ଓ ଦ୍ରାବିଡମାନଙ୍କ ସଭ୍ୟତାକୁ ଏକ କରି ଏଇ ନିମକାଠର ମୂର୍ତ୍ତି କୋଶଳରୁ ଅଣାଇ କଳିଙ୍ଗର ଉପକୂଳରେ ପୁରୁଷୋତ୍ତମ ପୀଠର ପ୍ରତିଷ୍ଠା କରିଦେଲେ।

ତା’ ପୂର୍ବରୁ ଉପକୂଳର ପୁରୁଷୋତ୍ତମ ତଥା କୋଶଳ ବା ଉଡ୍ଡିୟାନର ନିମକାଠ ମୂର୍ତ୍ତି ଦୁହିଁଙ୍କର ନାମ ଜଗନ୍ନାଥ ହୋଇ ସାରିଥିଲା। ଜଗନ୍ନାଥଙ୍କ ସଙ୍ଗେ ତନ୍ତ୍ରର ଯାହା କିଛି ସମ୍ପର୍କ ଥିଲା, ତାହା ବରଂ ଏଇ ଜଗନ୍ନାଥଙ୍କ ମହାପ୍ରସାଦରେ ସୁନ୍ଦରରୂପେ ପ୍ରକାଶ ପାଇଲା ଓ ଏଇ ଜଗନ୍ନାଥଙ୍କଠାରେ କୋଶଳର ଶବରମାନଙ୍କଠାରୁ ପୁରୀର ଦ୍ରାବିଡମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ଆହାରଠାରୁ ସାମାଜିକତା ପର୍ଯ୍ୟନ୍ତ ଏକାକାର ହୋଇଗଲେ। ଏହା ମୋଟାମୋଟି ଓଡ଼ିଶାର ସଂସ୍କୃତି ଓ ସେଥିରେ ଦକ୍ଷିଣ ଏବଂ ଉତ୍ତରର ପ୍ରଭାବ।

ଏଥିରୁ ସ୍ପଷ୍ଟ ଜଣାଯାଉଛି, ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ପୂର୍ବ ପର୍ଯ୍ୟନ୍ତ ଅର୍ଥାତ୍ ଖ୍ରୀଷ୍ଟ ୧୫ଶ ଶତାବ୍ଦୀର ମଧ୍ୟଭାଗର ସାରଳାଦାସଙ୍କ ପର୍ଯ୍ୟନ୍ତ ଓଡ଼ିଆ ସଂସ୍କୃତିର ରୂପ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବହୁକାଳରୁ ରାଜନୈତିକ ତଥା ଅନ୍ୟାନ୍ୟ କାରଣରୁ ଓଡ଼ିଆ ସଂସ୍କୃତି ବରାବର କିମ୍ବା ବହୁ ପରିମାଣରେ ବଙ୍ଗ ସଂସ୍କୃତି ସଙ୍ଗେ ସମାନ ହୋଇଯାଇଛି।

ଓଡ଼ିଆ ଅକ୍ଷର ଆଜି ବିଶ୍ଳେଷଣ ଦୃଷ୍ଟିରେ ଦେଖି ବସିଲେ ଦେଖାଯିବ, ଏହା ବଙ୍ଗଳା ଅକ୍ଷର ବାଟେ ଓଡ଼ିଶାରେ ପ୍ରଚାର ପାଇଛି। ଉଦାହରଣସ୍ଵରୂପ, ଓଡ଼ିଆ ‘ଛ’ ‘ଚ’ ସଙ୍ଗେ ‘ହ’ ମିଶି ଗଢ଼ା ହୋଇଛି। ମାତ୍ର ବଙ୍ଗଳାରେ ଏହା ବିଶ୍ଳେଷଣରେ ବାରିହେଲେ ମଧ୍ୟ ଓଡ଼ିଆରେ ଏକ ବିକୃତ ଆକାର ଧାରଣ କରିଛି। ଏଇପରି ଓଡ଼ିଆରେ ଅନେକ ଅକ୍ଷରର ଅନୁସନ୍ଧାନ କରାଯାଇପାରେ। ଚୀନ ପରିବ୍ରାଜକ ହୁଏନସାଂ ଓଡ଼ିଶାର ଭାଷାକୁ ବଙ୍ଗଳା ରୀତିର ଭାଷାଠାରୁ ଭିନ୍ନ ବୋଲି କହିଛନ୍ତି। ସେ ଭିନ୍ନତା ଓଡ଼ିଆଙ୍କର ଏବେ ବି ଅଛି।

ତା’ ଛଡ଼ା ଓଡ଼ିଶା ଇତିହାସ ଦେଖିଲେ ଦେଖାଯିବ, ଅନ୍ତତଃ ୭ମ-୮ମ ଶତାବ୍ଦୀଠାରୁ ଉତ୍ତର ଓଡ଼ିଶାର ଭୌମମାନେ ସମସ୍ତ ଓଡ଼ିଶାକୁ ଜିଣି ନିଜର କରିଥିଲେ। ସେଥିରେ ସ୍ପଷ୍ଟ ପ୍ରମାଣ ଅଛି, ଯାଜପୁର ପାଖ ପୁଷ୍ପଗିରି ବିହାରରେ ବଜ୍ରଯାନର ଖୁବ୍ ଚର୍ଚ୍ଚା ହେଉଥିଲା। ଏଇ ବଜ୍ରଯାନ ଗ୍ରନ୍ଥ ଗଂଡବ୍ୟୁହ ପୁଷ୍ପଗିରିରେ ପଢ଼ୁଥିବା ଉତ୍ତର ପଶ୍ଚିମ ଆଫଗାନୀସ୍ଥାନର ପ୍ରଜ୍ଞା ଓଡ଼ିଶା ସମ୍ରାଟଙ୍କ ହାତଲେଖା ଏଇ ପୁସ୍ତକ ଧରି ଚୀନ ସମ୍ରାଟଙ୍କୁ ଭେଟି ଦେବାକୁ ଯାଇଥିଲେ। ଏବେ ଏହା ଫ୍ରାନ୍ସର ପଣ୍ଡିତ ସିଲଭେନ୍ ଲେଭି ସାହେବ ବାହାର କରିଛନ୍ତି। ଅତଏବ ବହୁକାଳରୁ ଏପରି କି ଏହାର ଦୁଇ ତିନି ଶହ ବର୍ଷ ପୂର୍ବରୁ ବଙ୍ଗଳା ଆଡର ସଂସ୍କୃତି କଳିଙ୍ଗରେ ପ୍ରବେଶ କରିଥିଲା। ସେତିକି ନୁହେଁ, ଭୌମଲେଖମାନଙ୍କରୁ ଯେଉଁ ସଂସ୍କୃତ ଲେଖାର ଶୈଳୀ ଓ ଛଟା ଦେଖାଯାଏ, ତାହା ମୌଳିକ ଭାବରେ ସମ୍ପୂର୍ଣ୍ଣ ଓଡ଼ିଆ ଥିଲା ପରି ବୋଧହୁଏ ନାଇ।

ଅବଶ୍ୟ ଦେଖିବାର ଅଛି, ଏଇ ଶୈଳୀର ସମ୍ପର୍କରେ ଓଡ଼ିଆ ଛାନ୍ଦ ବାହାରି ଓଡ଼ିଶାରେ ପ୍ରତିଷ୍ଠା ଲଭିଥିଲା। ଏଇ ଛାନ୍ଦରେ ଦେଖିବାକୁ ହେବ, ବଜ୍ରଯାନ, ସହଜଯାନର ସ୍ପଷ୍ଟ ସମ୍ବନ୍ଧ ଓ ପ୍ରଭାବ ନାଇ। ଏହା ସହଜିଆ ବୈଷ୍ଣବଙ୍କ ପ୍ରତିଦ୍ଵନ୍ଦ୍ୱିତାରେ ଭାରତରେ ଯେଉଁ ସୀତାରାମଙ୍କ ଧର୍ମ ବାହାରିଥିଲା, ତାହାରି ଏକ ପ୍ରତିଷ୍ଠିତ ପରମ୍ପରା।

ତଥାପି ଦେଖିବାର ଅଛି, ଖ୍ରୀଷ୍ଟ ୧୫ଶ ଶତାବ୍ଦୀରୁ ମଧ୍ୟଭାଗ ପର୍ଯ୍ୟନ୍ତ, ଅର୍ଥାତ୍ ସାରଳା ଦାସଙ୍କ ସମୟ ପର୍ଯ୍ୟନ୍ତ ଦକ୍ଷିଣର (ଅର୍ଥାତ୍, ଯାଜପୁର ଦକ୍ଷିଣକୁ) ଉତ୍କଳୀୟ ସଂସ୍କୃତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସାରଳାଦାସଙ୍କ ଲେଖାରେ ଯେଉଁ ପୁନର୍ଜନ୍ମ ଓ ସେଥିରେ କର୍ମଫଳ ଭୋଗାଦିର ବିଶିଷ୍ଟ ବର୍ଣ୍ଣନା ଅଛି, ତାହା ଏବର କୌଣସି ଉତ୍କଳୀୟ ସଂସ୍କୃତିରେ ନାଇ। ପୁଣି ସାରଳାଦାସରେ ନାରୀ ଚରିତ୍ରର ତଥା ଯୌନ ଚରିତ୍ରର ଯେଉଁ ବର୍ଣ୍ଣନା ଅଛି, ତାହା ସମ୍ପୂର୍ଣ୍ଣରୂପେ ବୈଦିକ ସଂସ୍କୃତି ଭିନ୍ନ ବୋଲି ଖୁବ୍ ବାରିହେବ।

ବୈଦିକ ସଂସ୍କୃତି ହେଉଛି ଦେବତାଙ୍କୁ ମାଂସ ଓ ସୋମରସ ଦେଇ ନିଜେ ଖାଇବା ଓ ସମାଜରେ ଜାତିଭେଦ ଭର୍ତ୍ତି କରିବା। ଏ ଦିଓଟି ସଂଗେ ସାରଳାଦାସର କୌଣସି ତାତ୍ତ୍ଵିକ ସଂବନ୍ଧ ନାଇ। ଅବଶ୍ୟ ସାରଳାଦାଶଙ୍କ ମୌଳିକ ଗ୍ରନ୍ଥ ମୌଳିକ ଭାବ ଧରି ଏ ପର୍ଯ୍ୟନ୍ତ ଯଥା ତଥା ଭାବରେ ଆଲୋଚିତ ହୋଇନାଇ। ତଥାପି ମୋଟାମୋଟି ଏସବୁ ଭେଦ ସାରଳାଦାସଙ୍କର ପରବର୍ତ୍ତୀ ଓଡ଼ିଆ ସାହିତ୍ୟଠାରୁ ବେଶ୍ ଦେଖାଇପାରେ। ଏଇଠାରେ ନାରୀ ଚରିତ୍ର ଓ ଯୌନ ଚରିତ୍ର ସଂବନ୍ଧରେ ସାରଳାଦାସ ଯାହା ବର୍ଣ୍ଣନାତ୍ମକ ଭାବରେ କହିଛନ୍ତି, ତାହା ବୈଦିକ ସାହିତ୍ୟ ସଙ୍ଗେ ତୁଳନା କଲେ ବଡ଼ ବିଚିତ୍ର ଲାଗେ।

ସାରଳାଦାସଙ୍କ ତିନି ପ୍ରକାରର ମୌଳିକ ଗ୍ରନ୍ଥ। ପ୍ରଥମଟି ହେଉଛି ମହାଭାରତ। ସେଥିରେ ବର୍ଣ୍ଣନା ଅଛି, ଶ୍ରୀଖଣ୍ଡିକୁ ଦେଖିବା ମାତ୍ରେ ଯୁବତୀ ଅଂବା ବୃଦ୍ଧ ଭୀଷ୍ମଙ୍କ ମନେ ପଡ଼ିଯିବାରୁ ତାଙ୍କ ଲୋମକୂପରୁ ରେତଃ ସ୍ଖଳିତ ହେଲା। ସେଥିରେ ସେ ହତବୀର୍ଯ୍ୟ ହୋଇ ନାଶ ଲଭିଲେ। ଦ୍ଵିତୀୟଟି ହେଉଛି ବିଲଙ୍କା ରାମାୟଣ। ସେଥିରେ ରାମ ବିଲଂକାର ସହସ୍ରମୁଖା ରାବଣକୁ ହାରି ସୀତାଙ୍କୁ ସୁମରଣା କଲେ। ସୀତା ଯାଇ ସୁନ୍ଦରୀ ଯୁବତୀ ରୂପରେ ସେଇ ରାବଣ ଆଗରେ ଠିଆ ହେବାରୁ ରାବଣ ତାଙ୍କୁ ଦେଖି ହତବୀର୍ଯ୍ୟ ହୋଇ ନାଶ ଗଲା। ତୃତୀୟଟି ହେଉଛି ଚଂଡୀପୁରାଣର ମହିଷାସୁରକୁ ମାରିବାକୁ କଷ୍ଟ ହେବାରୁ ଉଲଗ୍ନା ଚଂଡ଼ୀ ତା’କୁ ଗୋଡ଼ତଳେ ପକାଇ ମାଡ଼ିବସି ମୁକ୍ତ ଯୋନି ଦେଖାଇଦେଲେ। ସେତିକିରେ ମହିଷାସୁରର ବଳବୀର୍ଯ୍ୟ ଲୋପ ପାଇଗଲା। ଏଇଭଳି ବର୍ଣ୍ଣନାମାନ କେବଳ ସାରଳାଦାସ ଓ ତାଙ୍କ ଉପରେ ପ୍ରତିଷ୍ଠିତ ନଷ୍ଟ ପ୍ରଭାବର ଫଳ। ଓଡ଼ିଆ ସାହିତ୍ୟରେ ଏହା ଆଉ ଅନ୍ୟତ୍ର ନାଇ।

ମନେରଖିବାର ଅଛି ସଂସ୍କୃତିର ଆଉ ଗୋଟିଏ ପ୍ରକାଶ ହେଉଛି ଉଡ୍‌ଡିୟାନରୁ ବାହାରିଥିବା ତନ୍ତ୍ର। ଏଇ ତନ୍ତ୍ର ଚୋଡ଼ଗଙ୍ଗଙ୍କ ପୂର୍ବରୁ ପୁରୀର ଜିନାସନ ପୀଠ ବା ପୁରୁଷୋତ୍ତମରେ କେତେ ଦୂର ଜଡ଼ିତ ଥିଲା, ତା’ କୁହାଯାଇପାରୁନାଇ। କିନ୍ତୁ ଏଇ ତନ୍ତ୍ରର ଅଂକୁରୋଦ୍‌ଗମ ବିଷୟରେ ପୂର୍ବରୁ କୁହାଯାଇଛି। ବେଦର ନାସଦୀୟ ସୂକ୍ତରେ ଶୂନ୍ୟରୁ ସୃଷ୍ଟି ବିକାଶରେ ‘କାମ’ କିପରି ମୂଳରୁ ପ୍ରତିଷ୍ଠିତ ଥିଲା, ତାହା ଆଉ ଏଠାରେ କହିବା ଦରକାର ନାଇ। ଏବେ ‘ବୁଦ୍ଧିଜିମ୍‌ ଇନ୍‌ ଓଡ଼ିଶା’ ବୋଲି ଡାକ୍ତର ଏନ୍‌. କେ. ସାହୁଙ୍କର ଖଣ୍ଡିଏ ବଡ଼ ସୁନ୍ଦର ସଂକଳନମୂଳକ ଗ୍ରନ୍ଥ ବାହାରିଛି। ସେଥିରେ ଭାରତର ବିଶେଷତଃ ଓଡ଼ିଶା ପରି ଅଞ୍ଚଳର ପ୍ରାଚୀନ ବୌଦ୍ଧଧର୍ମୀ ସମ୍ପର୍କରେ ଅନେକ ଆଖ୍ୟାୟିକାର ବର୍ଣ୍ଣନା କରାଯାଇଛି। ସେଥିରୁ ଜଣାପଡ଼ୁଛି ଖ୍ରୀଷ୍ଟ ୬ଷ୍ଠ-୭ମ ଶତାବ୍ଦୀ ବା ଓଡ଼ିଶାରେ ଭୌମ ରାଜତ୍ଵର ଆରମ୍ଭ ପର୍ଯ୍ୟନ୍ତ ଯାଜପୁର ନିକଟବର୍ତ୍ତୀ ପୁଷ୍ପଗିରି ବା ଲଳିତଗିରି ପ୍ରଭୃତି ପର୍ଯ୍ୟନ୍ତ ସ୍ଥାନରେ ଉତ୍ତରକୁ ଆସିଥିବା ତଥା ରାଜପୁରରେ ରାଜଧାନୀ ପ୍ରତିଷ୍ଠା କରିଥିବା ଭୌମ କାଳ ପର୍ଯ୍ୟନ୍ତ ଓଡ଼ିଶାରେ ବୌଦ୍ଧଧର୍ମ କହିଲେ ‘ଥେରବାଦ’ ବୌଦ୍ଧଧର୍ମ ବୋଲି ସେ ବୁଝିଛନ୍ତି।

ତା’ପରେ ଅଷ୍ଟମ ଶତାବ୍ଦୀଠାରୁ ଯାହା ବା କିଛି ମହାଯାନ ବୌଦ୍ଧର ପ୍ରଭାବ ତା’ପୁଣି ଅତି ସାମାନ୍ୟ ମାତ୍ରାରେ ଓଡ଼ିଶାର କଳିଙ୍ଗ ଭୂମିଖଣ୍ଡରେ ଅଛି। ହୁଏନଂସାଙ୍କ ବେଳେ ଯେଉଁ ଓଡ଼ିଶା ‘ଥେରବାଦୀ’ମାନେ ନିଜ ଧର୍ମକୁ ‘ହୀନଯାନ’ ବୋଲି କହି ନାଳନ୍ଦା ବିଶ୍ଵବିଦ୍ୟାଳୟରୁ ପଣ୍ଡିତମାନଙ୍କୁ (ହୁଏନ୍‌ସାଂଙ୍କ ସହିତ) ଡ଼ାକି ଯୁକ୍ତି କରିବାକୁ କହିଥିଲେ, ସେଥିରୁ ମଧ୍ୟ ଜଣାଯାଏ ସେକାଳ କଳିଙ୍ଗଭୂମିରେ (ପୁଷ୍ପଗିରି ବିହାର ଛାଡ଼ିଦେଲେ) ଆଉ ‘ମହାଯାନ’ ଧର୍ମ ନ ଥିଲା। ଏହି ‘ମହାଯାନ’ ଧର୍ମ ଖ୍ରୀଷ୍ଟ ୭ମ-୮ମ ଶତାବ୍ଦୀର ପରବର୍ତ୍ତୀ କାଳର କଥା ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଏଇ ତନ୍ତ୍ରର ପ୍ରଭାବ ସ୍ପଷ୍ଟ ଦେଖା ନ ଗଲେ ମଧ୍ୟ ଅର୍ଥାତ୍ ବଙ୍ଗଳାର ବଜ୍ରଯାନ ବା ସହଜଯାନ ଧର୍ମ ପରି ଦେଖା ନ ଗଲେ ମଧ୍ୟ ସାରଳାଦାସରେ ବହୁପରିମାଣରେ ସମାଜରେ ଦେବୀଙ୍କ ପ୍ରତିଷ୍ଠା ଯତ୍ର ତତ୍ର ଦେଖିବାକୁ ମିଳେ। ସେଥିରେ ତନ୍ତ୍ରରେ ମୂଳରୁ ଥିବା ଓ ପରେ ବିକାଶ ପାଇଥିବା ଯୌନକ୍ରିୟାର ତାଦୃଶ ପ୍ରାଦୁର୍ଭାବ ନ ଥିଲା ସତ, ତଥାପି ଦେବୀ ନାମର ପ୍ରଚାର ଖୁବ୍ ଦେଖାଯାଏ। ଓଡ଼ିଶାରେ ଜଗନ୍ନାଥ ପୀଠରେ ଉଡ୍‌ଡିୟାନର ତନ୍ତ୍ର ଧର୍ମର ଦେବତା ପ୍ରତିଷ୍ଠିତ ହେବା ପୂର୍ବରୁ ଏଇ ତନ୍ତ୍ରଭାବ ସମାଜରେ କେତେ ଥିଲା ଓ ତାହା କି ବିକାଶରେ ବଢ଼ିଥିଲା ଓ ବଢ଼ୁଥିଲା, ତାହା ଅନୁସନ୍ଧାନର ବିଷୟ। କିନ୍ତୁ ଉତ୍କଳର ତନ୍ତ୍ରଧର୍ମ କଳିଙ୍ଗରେ ଯେ ପୁରା ପ୍ରବେଶ କରି ନଥିଲା, ଏହାର ବେଶି ପ୍ରମାଣ ଦେବାର ଦରକାର ନାଇ।

ଏହାଛଡ଼ା ଯାଜପୁରଠାରୁ ସେ କାଳର ମୁଖଲିଙ୍ଗ ପର୍ଯ୍ୟନ୍ତ ବା ତା’ ଦକ୍ଷିଣକୁ ଯେଉଁ କଳିଙ୍ଗ ଭୂମି- ଯାହାର ନାମ ଏପରିକି ଅନ୍ତତଃ ଖ୍ରୀଷ୍ଟ ୨ୟ, ୩ୟ ଶତାବ୍ଦୀଠାରୁ ବା ତା’ ପୂର୍ବରୁ ସ୍ପଷ୍ଟତଃ କଳିଙ୍ଗ ଥିଲା, ତାହାର ସଂସ୍କୃତି ଉତ୍କଳଠାରୁ ଭିନ୍ନ ହେଲେ ହେଁ, ତାହାର ନିର୍ଦ୍ଦିଷ୍ଟ ପ୍ରକାର କ’ଣ ଥିଲା, ଆଜି କହିବା ଦୁଷ୍କର। କିନ୍ତୁ ଦ୍ରାବିଡ଼ରେ ସେ କାଳକୁ ଯେଉଁ ‘ପୁରୁଷଧର୍ମ’ ପ୍ରତିଷ୍ଠିତ ହୋଇଥିବାର ପ୍ରମାଣ ମିଳୁଛି- ବିଶେଷତଃ ତିରୁକୁରାଲରୁ ସେଇ ‘ପୁରୁଷଧର୍ମରୁ’ ପୁରୁଷୋତ୍ତମ କ୍ଷେତ୍ରର ନାମ ହୋଇଥିଲା ଓ ତାହାକୁ ପରେ ଜୈନଧର୍ମ ବୋଲି ଲୋକେ କହିଲେ। ଏହା ମୋଟାମୋଟି କୁହାଯାଇପାରେ।

ଏଥିରେ ଗୋଟିଏ ସ୍ପଷ୍ଟ ଭାକ୍ତିକ ସମ୍ପର୍କ ଅଛି। ଏଇ ସୂତ୍ରରେ ସେ କାଳର ସିଂହଳ ଓଡ଼ିଶା ବିଶେଷତଃ କଳିଙ୍ଗ ଭୂମି ସଙ୍ଗେ ତଥା ଜଗନ୍ନାଥ ବା ପୁରୁଷୋତ୍ତମଙ୍କ ସଙ୍ଗେ ଯେଉ ସମ୍ବନ୍ଧ ରଖି ଆସିଥିଲା, ତା’ର ଗୋଟିଏ ନିଦର୍ଶନ ମିଳିଛି। ଏଇ କାଳଠାରୁ କେତେକ ଶତାବ୍ଦୀ ଯାଏ ସିଂହଳର କଳିଙ୍ଗ ସମ୍ପର୍କ ବୋଇଲେ, ଜଗନ୍ନାଥଙ୍କ ସଙ୍ଗେ ସମ୍ପର୍କ ଥିବାର ପ୍ରମାଣ ମିଳେ। ବୁଝି ରଖିବାର ଅଛି, ଏଇ କଳିଙ୍ଗ ହେଉଛି, ଏବ ମୁଖଲିଂଗର କଳିଙ୍ଗ। ବୋଧହୁଏ ଖାରବେଳଙ୍କ ଅଳ୍ପ ଦିନ ପରେ ଏଇ କଳିଙ୍ଗର ସ୍ଥାନ ପୁରୀରୁ ମୁଖଲିଙ୍ଗକୁ ଚାଲି ଯାଇଥିଲା ଓ ଏଇ ସିଂହଳ ସୂତ୍ରରେ ବୁଦ୍ଧଦେବଙ୍କ ଦଂତ (ବା ବାମପଟ ବିଶିଦାନ୍ତ)ର ଯେଉଁ ଉପାଖ୍ୟାନଟି ମିଳେ, ତାହାର ମୂଳରେ ସତ୍ୟ ନାଇ। ଏହା ଗୋଟିଏ ଭାକ୍ତିକ ମିଥ୍ୟା।

ଏଇ ହେତୁରୁ କୁହାଯାଇଛି ସାରଳାଦାସ ନିଜେ ବିଷ୍ଣୁ ବା କୃଷ୍ଣଙ୍କ ହୃତ୍‌ପିଣ୍ଡ ପୋଡ଼ି ନ ଯାଇଥିବା କଥା ଓ ସେଇ ହୃତ୍‌ପିଣ୍ଡ ଭାସି ଭାସି ପୁରୀରେ ଲାଗି ପୁରୀରେ ଜଗନ୍ନାଥର ପ୍ରତିଷ୍ଠା ହୋଇଯାଇଥିବା କଥା ନିଜେ ବାହାର କରିଥିଲେ। ସେ ଉପାଖ୍ୟାନଟି ଏ ପର୍ଯ୍ୟନ୍ତ ମଧ୍ୟ ଲୋକରେ ଚଳେ। କିନ୍ତୁ ମନେହୁଏ, ଏଥିରେ ଇତିହାସ ଆଦୌ ନାଇ, ତଥାପି ୨ୟ ସଂସ୍କରଣର ଭୂମିକାରେ ତାହା ଯେପରି ଥିଲା, ସେପରି ରଖାଯାଇଚି।

ତୃତୀୟ କଥା ଉଡ୍‌ଡ଼ିୟାନ। ଏ ବିଷୟରେ ବହୁତ କଥା କୁହାଯାଇଚି। ଯାହା ହେଉ, ଉଡ୍‌ଡିୟାନର ଜଗନ୍ନାଥଧର୍ମ ହେଉଛି ଶୂନ୍ୟଧର୍ମ ବା ତନ୍ତ୍ରଧର୍ମ। ଏଥିରୁ ମହାପ୍ରସାଦ ହୋଇଥିବା କଥା ସଙ୍କେତ ଦିଆଯାଇଚି। କୁଳାର୍ଣ୍ଣବ ତନ୍ତ୍ରରେ ଯେଉଁ ଭୈରବୀ ଚକ୍ର କଥା କୁହାଯାଇଚି ତା’ ମନେହୁଏ, ଜଗନ୍ନାଥ ପୁରୀକୁ ଆସିବା କାଳରୁ ଅର୍ବାଚୀନ ନୁହେଁ। ତଥାପି କଳିଙ୍ଗର ପ୍ରକଟିତ ଆତ୍ମଧର୍ମରେ ଏଇ ତନ୍ତ୍ରଭାବ କିପରି କେତେ ପରିମାଣରେ ବିସ୍ତାର ଲଭି ପ୍ରତିଷ୍ଠିତ ହୋଇଥିଲା, ତାହା ଦେଖିବାର କଥା।

(ସୌଜନ୍ୟ – ମହାନଦୀ)

Comment