ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ରଜବଜାରରେ ଦର୍ଶକ ଭେଟିପାରିବେନି ଓଲିଉଡର କେତେ ଜଣ ଟପ୍ ନାୟିକାଙ୍କୁ ଆସନ୍ତୁ ଜାଣିବା ସେମାନେ କିଏ?

ରଜବଜାରର ଦୁଇଟି ସିନେମା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଫୋର୍ ଇଡିଅଟ୍ସ’ରେ ନଜର ଆସୁଛନ୍ତି ଚାରିଜଣ ନାୟିକା। ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ରେ ନବାଗତା ଦିବ୍ୟା ଫିମେଲ୍ ଲିଡରେ ଅଛନ୍ତି। ଆଉ ଫୋର୍‌ ଇଡିଅଟ୍ସ’ରେ ଅଛନ୍ତି ତିନି ଜଣ ନାୟିକା। ଏମାନେ ହେଲେ ଏଲିନା ସାମନ୍ତରାୟ, ପୁନମ୍ ମିଶ୍ର ଓ ଲିପ୍‌ସା ମିଶ୍ର।

ଗତ ଦୁଇବର୍ଷ ଧରି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ରଜରେ ନଜର ଆସିନଥିଲେ। ଶେଷ ଥର ପାଇଁ ୨୦୧୫ରେ ଦେଖିବାକୁ ମିଳିଥିଲା ବର୍ଷାଙ୍କୁ। ୨୦୧୫ ରଜ ଅବସରରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗପ ହେଲେ ବି ସତ’ରେ ବର୍ଷା ପ୍ରିୟଦର୍ଶିନୀ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୁପରଷ୍ଟାର ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ବର୍ଷା ପ୍ରିୟଦର୍ଶିନୀ। ୨୦୧୬ ଓ ୨୦୧୭ ରଜବଜାରରେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହୋଇନଥିଲା। ଠିକ୍ ସେହିଭଳି ୨୦୧୮ରେ ମଧ୍ୟ ବର୍ଷାଙ୍କୁ ଦର୍ଶକ ମିସ୍ କରୁଛନ୍ତି ରଜରେ।

ଓଲିଉଡରେ ଅନ୍ୟତମ ଲୋକପ୍ରିୟ ନାୟିକା ହେଲେ ଅର୍ଚ୍ଚିତା। ତାଙ୍କୁ ବି ଏଥର ରଜବଜାରରେ ଦର୍ଶକ ମିସ୍ କରୁଛନ୍ତି। କହିବାର ତାତ୍ପର୍ଯ୍ୟ ହେଲା ଯେ ୨୦୧୮ ରଜରେ ଅର୍ଚ୍ଚିତାଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରୁନାହିଁ। ୨୦୧୭, ୨୦୧୬ ଓ ୨୦୧୫ ରଜ ଅବସରରେ ବି ଅର୍ଚ୍ଚିତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍ ହୋଇନଥିଲା। ଏଦୃଷ୍ଟିରୁ ଗତ କିଛି ବର୍ଷ ଧରି ରଜ ବଜାରରେ ତାଙ୍କ ପ୍ରିୟ ନାୟିକାଙ୍କୁ ପରଦାରେ ଦେଖିବାକୁ ପାଉନାହାନ୍ତି ସିନେପ୍ରେମୀମାନେ।

୨୦୧୫ ଓ ୨୦୧୬ ରଜ ଅବସରରେ ନିଜର ଉପସ୍ଥିତି ଜାହିର୍ କରିଥିବା ଜଣେ ଓଲିଉଡ ନାୟିକା ଏଥର କିନ୍ତୁ ନାହାନ୍ତି। ଏହି ନାୟିକା ଜଣକ ହେଲେ ଝିଲିକ୍। ୨୦୧୫ ରଜ ଅବସରରେ ରିଲିଜ୍ ହୋଇଥିବା ଦୁଇଟି ସିନେମା ‘ସୁପର ମିଛୁଆ’ ଓ ‘ଲଭ୍ ୟୁ ହମେଶା’ରେ ନଜର ଆସିଥିଲେ ଝିଲିକ୍। ହେଲେ ୨୦୧୭ ରଜରେ ତାଙ୍କର କୌଣସି ଫିଲ୍ମ ମୁକ୍ତିଲାଭ କରିନଥିଲା। ଏଥର ବି ସମାନ ଅବସ୍ଥା ଘଟିଛି।

ଗତବର୍ଷ ରଜରେ ରିଲିଜ୍ ହୋଇଥିଲା ‘ସିଷ୍ଟର ଶ୍ରୀଦେବୀ’। ଏହି ଫିଲ୍ମରେ ବାବୁସାନଙ୍କ ନାୟିକା ବନିଥିଲେ ନବାଗତା ଶିବାନୀ। ହେଲେ ଏ ବର୍ଷ ଶିବାନୀଙ୍କର କୌଣସି ଫିଲ୍ମ ନାହିଁ ରଜ ବଜାରରେ। ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’ରେ କାମ କରୁଥିଲେ। ଏହି ଫିଲ୍ମ ରଜରେ ରିଲିଜ୍ ହେବାର ଥିଲା, ମାତ୍ର ତାହା ଅଟକି ରହିଥିବା କାରଣରୁ ଶିବାନୀ ରଜରେ ଅନୁପସ୍ଥିତ ହୋଇଛନ୍ତି।

ଓଲିଉଡର ଆଉ ଜଣେ ଲୋକପ୍ରିୟ ନାୟିକା ହେଲେ ରୀୟା ଦେ। ତାଙ୍କର ଏ ବର୍ଷ ରଜରେ ବି କୌଣସି ଫିଲ୍ମ ରିଲିଜ୍ ହେଉନାହିଁ। ଏଣୁ ରଜ ବଜାରରେ ଦର୍ଶକ ରୀୟାଙ୍କୁ ମିସ୍ କରୁଛନ୍ତି।

‘ସୁନା ପିଲା ଟିକେ ସ୍କୃ ଢିଲା’ରେ ନଜର ଆସିଥିବା ଶୀତଲଙ୍କୁ ବି ଏଥର ରଜରେ ଦର୍ଶକମାନେ ଦେଖିବାକୁ ପାଇବେ ନାହିଁ। ଠିକ୍ ସେହିପରି ଭୂମିକା ଦାଶ ବି ଏଥର ନାହାନ୍ତି ରଜରେ।

ଓଲିଉଡର ଟପ୍ ନାୟିକା ଅନୁ ଚୌଧୁରୀ ଆଗରୁ ଅନେକ ଥର ରଜରେ ବିଭିନ୍ନ ସିନେମାରେ ଦେଖାଦେଇଛନ୍ତି। ହେଲେ ଏଥର ତାଙ୍କୁ ମଧ୍ୟ କୌଣସି ଓଡ଼ିଆ ଫିଲ୍ମରେ ନଜର ଆସୁନାହାନ୍ତି।

Comment