ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ କୋହଳ ନିୟମ ଯୋଗୁଁ ଚିଲିକାରେ ଘଟୁଛି ବାରମ୍ବାର ଦୁର୍ଘଟଣା। ଅକାଳରେ ଚାଲି ଯାଉଛି ନିରୀହ ଜୀବନ। ଦୁଇ ବର୍ଷରେ ଦୁଇ ଥର ଡଙ୍ଗାବୁଡ଼ିଥିଲେ ମଧ୍ୟ ସରକାର ବୁଦ୍ଧି ଶିଖୁ ନାହାନ୍ତି।

ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର କରିଛନ୍ତି ପ୍ରଚାର ପ୍ରସାର। ଚିଲିକାର ସୌନ୍ଦର୍ଯ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଛି। ପ୍ରତିବର୍ଷ ଚିଲିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି। ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସରକାର କେତେ ଯତ୍ନବାନ ଅଛନ୍ତି ତାହା ଡଙ୍ଗାବୁଡ଼ି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ଦୁଇବର୍ଷରେ ଦୁଇଥର ଚିଲିକାରେ ଡଙ୍ଗାବୁଡ଼ିଥିଲେ ମଧ୍ୟ ସରକାର ଚେତି ନାହାନ୍ତି। ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଫଳରେ ବାରମ୍ବାର ଚିଲିକାରେ ଅଘଟଣ ଘଟୁଛି।

“କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା ତାର ତଦନ୍ତ କରିବା ପାଇଁ ପୋର୍ଟ ଆଣ୍ଡ ଅନ୍‌ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା ତାର ତଦନ୍ତ କରାଯିବ। ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ଥିଲା କି ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ।

୨୦୧୬ରେ ବୁଡ଼ିଯାଇଥିଲେ ୨୯ ଯାତ୍ରୀ

୨୦୧୬ ମସିହାରେ ଚିଲିକାରେ ଘଟିଥିଲା ବଡ଼ ଦୁର୍ଘଟଣା। ୨୯ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ଦେଶୀ ଡଙ୍ଗାଟି ଚିଲିକାରେ ବୁଡ଼ିଯାଇଥିଲା। ୨୯ ଜ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ଏହି ଡଙ୍ଗାବୁଡ଼ି ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିଲେ।

ସେତେବେଳେ ଏହାକୁ ନେଇ ଜୋରଦାର ତନାଘନା ହୋଇଥିଲା। ଡଙ୍ଗା ଚାଳକଙ୍କର ଲାଇସେନ୍ସ ଏବଂ ପରମିଟ୍ ଯାଞ୍ଚ ଉପରେ ସରକାର ଜୋର୍ ଦେଇଥିଲେ। ଲାଇସେନ୍ସ ଏବଂ ପରମିଟ୍ ନଥିବା ଡଙ୍ଗା ଚଳାକ ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଥିଲେ। କିନ୍ତୁ ସରକାରଙ୍କର ଏହି ନିର୍ଦ୍ଦେଶନାମା ଶିତଳ ଭଣ୍ଡାରରେ ପଡ଼ି ରହିଲା। ଯେଉଁଥି ପାଇଁ ଦୁଇ ବର୍ଷ ଭିତରେ ଆଉ ଏକ ବଡ଼ ଦୁର୍ଘଟଣା ଘଟିଛି ଚିଲିକାରେ।

୨୦୧୮ ଜୁନ୍ ୧୬ରେ ପୁଣି ଦୁର୍ଘଟଣା

୨୦୧୬ ଡଙ୍ଗାବୁଡ଼ିର ଦୁଃଖ ଲୋକଙ୍କ ମନରୁ ନଯାଉଣୁ ୨୦୧୮ ଜୁନ୍ ୧୬ ତାରିଖରେ ଆଉ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୧୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଦେଶୀ ଡଙ୍ଗା ଚିଲିକା ମଝିରେ ଓଲଟି ପଡ଼ିବାରୁ ୬ ଜଣଙ୍କର ଜୀବନ ଚାଲିଯାଇଛି।

ଏହି ଘଟଣାରେ ମଧ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ପୋର୍ଟ ଆଣ୍ଡ ଅନ୍‌ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟକୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା ତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ତଦନ୍ତ ରିପୋର୍ଟ ଆସିବା ପରେ ସରକାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାର ଯଦି ପୂର୍ବରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ ଏବଂ ଡଙ୍ଗା ଚାଳକଙ୍କ ଉପରେ ଲଗାମ କଷିଥାନ୍ତେ ତାହାଲେ ପୁନର୍ବାର ଏହି ଅଘଟଣ ଘଟି ନଥାନ୍ତା।

“ଚିଲିକାକୁ ଆସୁଥିବା ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବା ଦରକାର। ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ଦୃଷ୍ଟି ଦେବା ଦରକାର। ସୁରକ୍ଷା ପାଇଁ ଥିବା ସମସ୍ତ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଆବଶ୍ୟକ। ୱାଟର ସ୍ପୋର୍ଟସ୍ ଏବଂ ବୋଟ୍ ରେସିଂକୁ ନେଇ ଆମେ ଅନେକ ସ୍ୱପ୍ନ ଦେଖୁଛୁ। ହେଲେ ଏହା ପୂର୍ବରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନିହାତି ଦରକାର”, କହିଛନ୍ତି ହାରୋ ସଭାପତି ଜେ କେ ମହାନ୍ତି।

ପର୍ଯ୍ୟଟକଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ନାହିଁ

ଚିଲିକାକୁ ପ୍ରତିଦିନ ପର୍ଯ୍ୟଟକମାନେ ଆସୁଛନ୍ତି। ବାଲୁଗାଁ ଏବଂ ବ୍ରହ୍ମପୁର ପଟୁ ବହୁ ଯାତ୍ରୀ ଚିଲିକାରେ ବୋଟିଂ କରୁଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ପ୍ରତି ସରକାର ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାହିଁକି ଦୃଷ୍ଟି ଦେଉ ନାହାନ୍ତି? ଯାତ୍ରୀମାନେ ବୋଟିଂ କରିବା ବେଳେ ଲାଇଫ୍ ଜ୍ୟାକେଟ ନେଉଛନ୍ତି କି ନାହିଁ ତାର ତଦାରଖ କାହିଁକି କରାଯାଉନି?

ଡଙ୍ଗା କୂଳ ଛାଡ଼ିବା ପୂର୍ବରୁ ଏବଂ ଚିଲିକା ଭିତରେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ ପିନ୍ଧିଛନ୍ତି କି ନାହିଁ ତାର ଯାଞ୍ଚ କରିବାର ନିୟମ ରହିଛି। ହେଲେ ପ୍ରଶାସନ ଏହାକୁ କାହିଁକି ଅଣଦେଖା କରୁଛି? କେଉଁ ଚାଳକ କେଉଁ ନୌକା ଚଲାଇବେ ତାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି। ହେଲେ ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉନି। ଯାତ୍ରୀମାନଙ୍କୁ ଜାଣିଶୁଣି ବୁଡ଼ିବା ପାଇଁ ପ୍ରଶାସନ ଛାଡ଼ିଦେଉଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

“ଚିଲିକାରେ ଯେଉଁ ଅଘଟଣ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ। ଆଗକୁ ଯେମିତି ଏଭଳି ଅଘଟଣର ପୁନରାବୃତ୍ତି ନଘଟେ ସେଥିପ୍ରତି ସମସ୍ତେ ଅଧିକ ସଚେତନ ହେବା ଦରକାର। ଚିଲିକାରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡଙ୍ଗା ଚାଲିବା ଆବଶ୍ୟକ। ଚିଲିକାର ନୀଳ ଜଳରାଶି ଏବଂ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଆଗାମୀ ଦିନରେ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର”, କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ଉପଦେଷ୍ଟା ବେଞ୍ଜାମିନ ସାଇମନ।

ବେଳା ଭଲ, ନଥିଲେ ବିଦେଶୀ ପର୍ଯ୍ୟଟକ!

ଚିଲିକାକୁ ବହୁ ସଂଖ୍ୟାରେ ଆସୁଛନ୍ତି ବିଦେଶୀ ପର୍ଯ୍ୟଟକ। ଭାଗ୍ୟ ଭଲ ଯେଉଁ ଦୁଇ ଦୁଇଥର ଡଙ୍ଗାବୁଡ଼ି ହେଲାଣି ସେଥିରେ ବିଦେଶୀ ପର୍ଯ୍ୟଟକ ନାହାନ୍ତି। ନହେଲେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଛବି ମଳିନ ପଡ଼ି ସାରନ୍ତାଣି। ରାଜ୍ୟ ସରକାର ଅନ୍ତର୍ଜାତୀୟ ଦେଶ ଆଗରେ ଅପଦସ୍ତ ହୋଇ ସାରନ୍ତେଣି।

ସେହିପରି କୌଣସି ଭିଆଇପି ମଧ୍ୟ ଏହି ଡଙ୍ଗାରେ ନଥିଲେ। ନହେଲେ ଓଡ଼ିଶା ଉଠୁଥାନା ପଡ଼ୁଥାନ୍ତା। ନିରୀହ ଲୋକଙ୍କ ଜୀବନ ଯାଉଥିବାରୁ ସରକାର ଏହାକୁ ଅତି ଖାମ୍ ଖିଆଲ ଭାବେ ଗ୍ରହଣ କରୁଥିବା ଚର୍ଚ୍ଚା ହେଉଛି। ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଘୋଷଣା କରି ସରକାର ସବୁ କର୍ତ୍ତବ୍ୟ ଶେଷ କରିଦେଉଛନ୍ତି। ନିୟମକୁ କିପରି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନଥିବାରୁ ପର୍ଯ୍ୟଟକଙ୍କ ଭାଗ୍ୟ ବିପଦରେ ପଡ଼ୁଛି।

୬ ଜଣ ଯାତ୍ରୀ ପ୍ରାଣ ହରାଇବା ପରେ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗ କିଛି ଶିଖିବା ଦରକାର। ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ଦରକାର। ଯଦି ଉପର ଠାଉରିଆ ଭାବେ ତଦନ୍ତ ଶେଷ କରି ସରକାର ଚୁପ୍ ରହିଯିବେ ତାହାଲେ ପୁଣି ଚିଲିକାରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଖିବାକୁ ମିଳିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment