ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷୋଭଭରା ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିହାରୀ ଏବଂ ଡାକ ପିଅନ କହି ଟିମ୍ ନବୀନ କି ଶାନ୍ତି ପାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ଚିଠିରେ ମୁଖ୍ୟ ଶାସନ ସଚିବଙ୍କୁ ଟାଣିଲେ କେନ୍ଦ୍ରମନ୍ତ୍ରୀ
  • ଧର୍ମେନ୍ଦ୍ରଙ୍କ ଚିଠିକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
  • ମୋତେ ଭେଟିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁମତି ଦିଆଯାଉ ନାହିଁ: ଧର୍ମେନ୍ଦ୍ର
  • ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ କ୍ଷୋଭଭରା ଚିଠି ଲେଖିଛନ୍ତି। ଲମ୍ବା ଚିଠିରେ ସେ ତାଙ୍କ ଦୁଃଖ ମଧ୍ୟ ଜଣାଇଛନ୍ତି। ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକାକୁ ଉପେକ୍ଷା କରା ନଯାଉ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି। ଏହାସହ ନବୀନଙ୍କ ଟିମ୍ ତାଙ୍କ ପ୍ରତି ଦେଉଥିବା ଅପମାନ ସୂଚକ ମନ୍ତବ୍ୟ କଥା ମଧ୍ୟ ଚିଠିରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର।

ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ଭିତରେ ଛକାପଞ୍ଝା ଚାଲିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଲମ୍ବା ଚିଠିକୁ ନେଇ ରାଜନୀତି ପଣ୍ଡିତ ଭିନ୍ନ ମତ ଦେଉଛନ୍ତି। ଏହି ଚିଠି ପଛରେ ଏକ ରାଜନୀତିକ ଆହ୍ୱାନ ଥାଇପାରେ ବୋଲି ବିଚାର କରାଯାଉଛି।

ମୁଖ୍ୟ ଶାସନ ସଚିବଙ୍କୁ ବିତର୍କକୁ ଟାଣିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି,  “ଓଡ଼ିଶାରେ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହର ପୁଞ୍ଜି ନିବେଶକାରୀଙ୍କ ସହ ମୁଁ କଥା ହୋଇଥିଲି। ଏ ସମ୍ପର୍କରେ ମେ ୨୩ରେ ମୁଁ ଆପଣଙ୍କୁ ଚିଠି ଲେଖି ଅବଗତ କରିଥିଲି। ବହୁ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ପୁଞ୍ଜି ଖଟାଇବା ପାଇଁ ଆଗ୍ରହୀ ଥିବା ଜଣାଇଥିଲି। ଏ ସମ୍ପର୍କରେ ଅଧିକ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମୋତେ ଭେଟିବା ପାଇଁ ମଧ୍ୟ ଚିଠିରେ ଜଣାଇଥିଲି। କିନ୍ତୁ ପରିତାପର ବିଷୟ ମୋତେ ସାକ୍ଷାତ କରିବା ପାଇଁ ଆପଣ ମୁଖ୍ୟ ଶାସନ ସଚିବଙ୍କୁ ଅନୁମତି ଦେଉ ନଥିବା ଜାଣିବାକୁ ପାଇଲି।”

ରାଜ୍ୟର ବିକାଶ କ୍ଷେତ୍ରରେ ମୋର ଭୂମିକାକୁ ଉପେକ୍ଷା କରା ନଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କୌଣସି ଚିଠିର ଉତ୍ତର ଆସୁନି

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଆହୁରି ଦର୍ଶାଇଛନ୍ତି,  “ମୁଁ ଆପଣଙ୍କ ନିକଟକୁ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖିଛି। ହେଲେ ଆଜିଯାଏଁ କୌଣସି ଚିଠିର ଉତ୍ତର ପାଇନି। ଓଡ଼ିଶାର ବିକାଶ ହେଉ ବୋଲି ମୁଁ ଚାହୁଁଛି। ଓଡ଼ିଶାର ଯୁବପିଢ଼ି ଏବଂ ଆଗାମୀ ଭବିଷ୍ୟତଙ୍କ ପାଖରେ ବିକାଶ ପହଞ୍ଚୁ ବୋଲି ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି। ମୋ’ ଉପରେ ରାଗ ରଖି ଓଡ଼ିଆ ଜାତି  ଏବଂ ଆଗାମୀ ପିଢ଼ି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଅଣଦେଖା କରନ୍ତୁ ନାହିଁ।”

କଥା କଥାରେ ମୋତେ ଅପମାନିତ କରାଯାଉଛି

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଧର୍ମେନ୍ଦ୍ର ନିଜର କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଆପଣଙ୍କ ସହଯୋଗୀମାନେ ଛୋଟ ଛୋଟ କଥାରେ ମୋତେ ଡାକ ପିଅନ, ବିହାରୀ ଆଦି ଭଳି ଅନେକ ଅପମାନ ସୂଚକ ଶବ୍ଦ ବ୍ୟବହାର କରିଆସୁଛନ୍ତି। ଏହି ଶବ୍ଦ ବ୍ୟବହାର କରି ଆପଣ କି ପ୍ରକାର ମାନସିକ ଶାନ୍ତି ପାଉଛନ୍ତି? ଆପଣଙ୍କ ବ୍ୟବସ୍ଥା ଏବଂ ସହଯୋଗୀ ମୋତେ ଯେତେ ଅପମାନ ଦେଲେ ବି ଏହାକୁ ମୁଣ୍ଡପାତି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ

ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାକୁ ସୁଯୋଗ ନଦେଲେ ନାହିଁ ପଛେ ଆପଣଙ୍କ ସହ ସିଧା ସଳଖ ଥରଟିଏ ଆଲୋଚନା କରିବାକୁ ସୁଯୋଗ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସାକ୍ଷାତ ବେଳେ ଉପସାଗରୀୟ ଦେଶ ସମୂହର ପୁଞ୍ଜି ନିବେଶକାରୀମାନଙ୍କୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବା ପାଇଁ କରିଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେବି ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭଭରା ଚିଠି ଲେଖିଛନ୍ତି।

ଧର୍ମେନ୍ଦ୍ରଙ୍କ ଏହି ଚିଠିକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଛି। ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଧର୍ମେନ୍ଦ୍ର ଯୋଡ଼ି ହେବାକୁ ଚାହୁଁଛନ୍ତି। ହେଲେ ରାଜ୍ୟ ସରକାର ତାଙ୍କୁ ଅଣଦେଖା କରିଆସୁଛନ୍ତି ଏବଂ ତାଙ୍କୁ କୌଣସି ପ୍ରସଙ୍ଗରେ ସାମିଲ୍ କରୁ ନଥିବା ଧର୍ମେନ୍ଦ୍ର କହିଛନ୍ତି। ଏଣୁ ରାଜ୍ୟ ସରକାରଙ୍କୁ ଚେକ୍ ଦେବା ପାଇଁ ଧର୍ମେନ୍ଦ୍ର ଚିଠି ଲେଖି ପଲିଟିକାଲ ମାଇଲେଜ ନେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

“ଯଦି କେନ୍ଦ୍ରମନ୍ତ୍ରୀ କୌଣସି ବିଭାଗର ସଚିବଙ୍କୁ ଭେଟିବାକୁ ଯିବେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ଅନୁମତି ଦରକାର ନାହିଁ। ଧର୍ମେନ୍ଦ୍ର ପ୍ରଥମେ ତାଙ୍କ ପ୍ରସ୍ତାବ କୃଷି ମନ୍ତ୍ରୀଙ୍କୁ ଜଣାନ୍ତୁ ଏବଂ କୃଷିମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରନ୍ତୁ”, କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଆଲୋଚନା କରିବାକୁ ଆସିପାରିବେ ନାହିଁ। ମୁଖ୍ୟ ଶାସନ ସଚିବଙ୍କୁ ଅନମୁତି ନଦେଇ ମୁଖ୍ୟମନ୍ତ୍ରୀ କେଉଁ ସଙ୍କେତ ଦେବାକୁ ଚାହୁଁଛନ୍ତି ତାହା ବୁଝାପଡ଼ୁନି। ରାଜ୍ୟର ସମସ୍ୟା ସହ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କଲେ ଅସୁବିଧା କ’ଣ?”

Comment