ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ ନଥିବାରୁ ବିରୋଧୀ ସରକାରଙ୍କୁ କରୁଛନ୍ତି ଟାର୍ଗେଟ। ଏହି ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁଶାନ୍ତ ସିଂ ବିବାଦୀୟ ବୟାନ ଦେଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

‘ବନ୍ଦେ ଉତ୍କଳ ଜନନୀ’ ବଦଳରେ ‘ବନ୍ଦେ ଓଡ଼ିଶା’ କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇ ନୂଆ ବିବାଦ ଛିଡ଼ା କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି।

ସୁଶାନ୍ତ ସିଂ କହିଛନ୍ତି, “ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ବହୁତ ଆଗରୁ ରହିଛି। ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ବନ୍ଦେ ଉତ୍କଳ ଜାଗାରେ ବନ୍ଦେ ଓଡ଼ିଶା କଲେ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି। ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ମୁଁ ଜାଣିନାହିଁ। ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ଭଲ ହେବ।”

ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସରକାର କାହିଁକି ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲା ବିଜେପି।

ଏହାକୁ ନେଇ ବିବାଦ ଥମି ନଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବୟାନ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଆମେ ଓଡ଼ିଆ ସଙ୍ଗଠନ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବୁଦ୍ଧିଜୀବୀ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

“ମୂଳ ପ୍ରସଙ୍ଗରୁ ହଟିବାକୁ ଉଦ୍ୟମ କରାଯାଉଛି। ସରକାର ଯେତେି ଶୀଘ୍ର ପାରୁଛନ୍ତି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଅନ୍ତୁ। ଏହାକୁ ନେଇ ବିବାଦ ସୃଷ୍ଟି କରା ନଯାଉ। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କଲେ ଏହା ସମସ୍ତଙ୍କ ପାଇଁ ଶୁଭଙ୍କର ହେବ”, କହିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାତି ପ୍ରଭୁକଲ୍ୟାଣ ମହାପତ୍ର।

ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦୈତ ପାତ୍ର କହିଛନ୍ତି, “ମନ୍ତ୍ରୀ ଅବାନ୍ତର କଥା କହିଛନ୍ତି। ସେ କ’ଣ ଇତିହାସକୁ ବଦଳାଇ ଦେଇ ପାରିବେ? ଜନ-ଗଣ-ମନଅଧିରୁ ଉତ୍କଳ ଶବ୍ଦ ହଟାଇ ପାରିବେ? ମନ୍ତ୍ରୀ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ଠିକ୍ ନୁହେଁ।”

ବିଜେପି ମଧ୍ୟ ସରକାରଙ୍କୁ ଘେରିଛି। ମନ୍ତ୍ରୀ ଅଚାନକ ଏଭଳି ବୟାନ କାହିଁକି ଦେଲେ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି ଯେ ଏହି ବୟାନ ମନ୍ତ୍ରୀଙ୍କର ବ୍ୟକ୍ତିଗତ ନା ସରକାରଙ୍କର ତାହା ପ୍ରଥମେ ସ୍ପଷ୍ଟ ହେବା ଦରକାର।

୧୯୯୪ ଡିସେମ୍ବର ୨୧ରେ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ୨୦୦୨ରେ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ କରାଯାଇଥିଲା। ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇ ସଙ୍ଗୀତ ଗାନର ଅବଧି ସ୍ଥିର ହୋଇଥିଲା। ଏହାପରେ ପୁଣି ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ସେବେଠାରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିନାହିଁ।

Comment