ଓଡ଼ିଶାଲାଇଭ୍‌ ବ୍ୟୁରୋ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବିବାଦ ତେଜିଛି। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। ‘ବନ୍ଦେ ଉତ୍କଳ’ ବଦଳରେ ‘ବନ୍ଦେ ଓଡ଼ିଶା’ କରାଗଲେ ଭଲ ବୋଲି ମନ୍ତ୍ରୀ ବୟାନ ଦେବା ପରେ ଝଡ଼ ଉଠିଛି।

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟକୁ ସମର୍ଥନ କରି ବୁଧବାର ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନ କରାଯାଇଛି। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମିତି ପକ୍ଷରୁ ଧାରଣା ଦିଆଯାଇଛି। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପ୍ରଚେଷ୍ଟା ବନ୍ଦ କରାଯାଉ ବୋଲି ସମିତି ଦାବି କରିଛି। ଏପଟେ ଭୁବନେଶ୍ୱରରେ ପଶ୍ଚିମ ଓଡ଼ିଶା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଚକ୍ରାନ୍ତ ବନ୍ଦ କରାଯାଉ ବୋଲି ମୋର୍ଚ୍ଚା ଦାବି କରିଛି।

୧୯୯୪ ଡିସେମ୍ବର ୨୧ରେ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ୨୦୦୨ରେ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ କରାଯାଇଥିଲା। ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇ ସଙ୍ଗୀତ ଗାନର ଅବଧି ସ୍ଥିର ହୋଇଥିଲା। ଏହାପରେ ପୁଣି ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ସେବେଠାରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିନାହିଁ।

ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଥିଲେ। ଏହାପରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା କାହିଁକି ଦିଆଯାଇ ନାହିଁ ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ବିଜେପି-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଥିଲା। ଏହି ସମ଼ୟରେ ମନ୍ତ୍ରୀ ସୁଶାନ୍ତ ସିଂ ‘ବନ୍ଦେ ଉତ୍କଳ’ ବଦଳରେ ‘ବନ୍ଦେ ଓଡ଼ିଶା’ କରିବାକୁ ମନ୍ତବ୍ୟ ଦେଇ କେଁ ପୂରାଇଥିଲେ। ଫଳରେ ଏହାକୁ ନେଇ ଏବେ ବିବାଦ ତେଜିଛି।

Comment