ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ବର୍ଷ ପରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ପୁଣି ତାଜା ହୋଇଛି। ଜାହାଜ କେମିତି ବୁଡ଼ିଲା ତାର ଖୋଳତାଡ଼ କରିବା ପାଇଁ ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିଛନ୍ତି।

  • ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ପୁଣି ତାଜା
  • ସିବିଆଇକୁ ଚିଠି ଲେଖିଲା ଜାହାଜ ଚଳାଚଳ ମନ୍ତ୍ରାଳୟ
  • ସିବିଆଇ ଖୋଲିବ ଜାହାଜ ବୁଡ଼ିର ଗୁମର
  • ପାରାଦୀପ ପୋର୍ଟର ଦୁଇ ଜଣ ଟ୍ରଷ୍ଟି ଲେଖିଥିଲେ ଚିଠି
  • ୨୦୦୯ ସେପ୍ଟେମ୍ବର ୯ରେ ସମୁଦ୍ରରେ ବୁଡ଼ିଯାଇଥିଲା ବ୍ଲାକରୋଜ

ପାରାଦୀପ ଉପକୂଳରେ କେମିତି ବୁଡ଼ିଲା ଏମ୍‌ଭି ବ୍ଲାକରୋଜ ଜାହାଜ? ଏହାର ତଦନ୍ତ କରିବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଆଜି ସିବିଆଇକୁ ଚିଠି ଲେଖିଛି। ୨୦୦୯ରେ ଅଥଳ ସମୁଦ୍ରରେ ବୁଡ଼ିଯାଇଥିବା ବ୍ଲାକରୋଜ ଜାହାଜର ଗୁମର ସିବିଆଇ ଖୋଲିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ସିବିଆଇ ତଦନ୍ତ କରିବାକୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଏବଂ ଭୁବନ ମୋହନ ଜେନା ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଅଧ୍ୟକ୍ଷ କେନ୍ଦ୍ର ଜାହାଜ ଚଳାଚଳ ବିଭାଗକୁ ପଠାଇ ଦେଇଥିଲେ।

ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଗତ ଜାନୁଆରୀ ୩୧ରେ ସିବିଆଇ ତଦନ୍ତ ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ। ଚିଠି ପାଇବା ପରେ ଫେବ୍ରୁଆରୀ ୧ରେ ଶ୍ରୀ ପ୍ରଧାନ ସିବିଆଇ ତଦନ୍ତ ପାଇଁ ଜାହାଜ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ।

ପିପିଟି ଟ୍ରଷ୍ଟିଙ୍କ ଅନୁରୋଧକୁ ବିଚାରକୁ ନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିଛନ୍ତି। ଜାହାଜ ଚଳାଚଳ ମନ୍ତ୍ରାଳୟର ଅଣ୍ଡର ସେକ୍ରେଟାରୀ ଶଙ୍କର ଚୌଧୁରୀ ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କୁ ଚିଠି ଲେଖିଛନ୍ତି।

୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ଜାହାଜ ବ୍ଲାକରୋଜ। ଏହି ଜାହାଜରେ ଥିଲା ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର। ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିଥିଲା। ଫଳରେ ସମୁଦ୍ରରେ ତେଲ ଭାସିଥିଲା। ହେଲେ ଏହି ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏବେ ଜାହାଜଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି।

ଜାହାଜଟି ଏବେ କେଉଁ ସ୍ଥାନରେ ରହିଛି? ଜାହାଜର ମାଲିକ କିଏ? ଏତେ ପରିମାଣର ଲୁହାପଥର ନେଇ ଜାହାଜଟି କେଉଁଠିକି ଯାଉଥିଲା? ଲୁହାପଥର କେଉଁଠୁ ଆସିଲା? ଏସବୁର ଖୋଳତାଡ଼ କରିବ ସିବିଆଇ।

Comment