ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନେଇପାରୁ ନଥିବା ବୈଜୟନ୍ତ ଏବେ ସାଂସଦ ପଦରୁ ନିଜ ଇସ୍ତଫା ସମ୍ପର୍କରେ ସାନି ବିଚାର କରୁଥିବା ଚର୍ଚ୍ଚା ହେଉଛି।

ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବୁଦ୍ଧିମାନ ରାଜନେତା ଭାବେ ବିବେଚନା କରାଯାଏ। କିନ୍ତୁ ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ବୈଜୟନ୍ତ କ’ଣ କରିବେ ସେନେଇ ନିଷ୍ପତ୍ତି ନେଇପାରୁ ନାହାନ୍ତି।

ସେ କେଉଁ ରାଜନୈତିକ ଦଳରୁ ନୂଆ ଇନିଂସ ଆରମ୍ଭ କରିବେ ତାହା ଚିନ୍ତା କରିପାରୁ ନାହାନ୍ତି। ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଆଜି ପ୍ରଥମ ଥର ପାଇଁ ବୈଜୟନ୍ତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସାକ୍ଷାତ କରିଛନ୍ତି। ଇସ୍ତଫା ସମ୍ପର୍କରେ ସାନି ବିଚାର କରିବାକୁ ବାଚସ୍ପତି ବୈଜୟନ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏନେଇ ବୈଜୟନ୍ତ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ବୈଜୟନ୍ତ କହିଛନ୍ତି, “ସାଂସଦ ଏବଂ ବିଜେଡିରୁ ଇସ୍ତଫା ଦେବା ପରେ ଲୋକସଭା ବାଚସ୍ପତିଙ୍କୁ ଆଜି ଔପଚାରିକ ଭାବେ ସାକ୍ଷାତ କରିଛି। ପରିସ୍ଥିତି ବିଷୟରେ ମୋଠାରୁ ସେ ପଚାରି ବୁଝିଲେ। ନିଷ୍ପତ୍ତି ନେବା ପୂର୍ବରୁ ଥରେ ଭାବିବା ପାଇଁ କହିଲେ।”

ନୂଆଦିଲ୍ଲୀରେ ଆଜିର ସାକ୍ଷାତ ଆଲୋଚନା ବେଳେ ବୈଜୟନ୍ତ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବା ପାଇଁ ସଦ୍ୟ ଅନୁରୋଧ କରିଛନ୍ତି ନା ବାଚସ୍ପତିଙ୍କ ପରାମର୍ଶକୁ ଗ୍ରହଣ କରି ଇସ୍ତଫା ସମ୍ପର୍କରେ ଚିନ୍ତା କରିବାକୁ ସମୟ ନେଇଛନ୍ତି ତାହା ବୈଜୟନ୍ତ ଟୁଇଟର୍‌ରେ ସ୍ପଷ୍ଟ କରିନାହାନ୍ତି।

ଫଳରେ ବାଚସ୍ପତିଙ୍କ ପାଖରେ ବୈଜୟନ୍ତଙ୍କ ଇସ୍ତଫାପତ୍ର ଏକ ପ୍ରକାର ଝୁଲିକି ରହିଥିବା ସ୍ପଷ୍ଟ ହୋଇଛି। ବାଚସ୍ପତିଙ୍କ ପରାମର୍ଶ ପାଇବା ପରେ ବୈଜୟନ୍ତ ପରବର୍ତ୍ତୀ ପଦକ୍ଷେପ କ’ଣ ନେଉଛନ୍ତି ତାହା ଆଗାମୀ ଟୁଇଟକୁ ଅପେକ୍ଷା କରିବାକୁ ପଡ଼ିବ।

ଏପଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୈଜୟନ୍ତ। ମେ ୨୮ରେ ତିନି ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ର ଲେଖି ବୈଜୟନ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ। ହେଲେ ତାଙ୍କ ଇସ୍ତଫାପତ୍ର ବିଜେଡି ଗ୍ରହଣ କରିଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଏ ବାଦବରେ ବିଜେଡି ସଭାପତି କିମ୍ବା ମୁଖପାତ୍ର କେହି ବି ମୁହଁ ଖୋଲି ନାହାନ୍ତି।

ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ଏ ବିଷୟରେ ଦଳରେ ଆଲୋଚନା କରାଯିବ ବୋଲି ବିଜେଡିର ଜଣେ ବରିଷ୍ଠ ନେତା ସେତେବେଳେ କହିଥିଲେ। ହେଲେ ଏବେଯାଏଁ ଦଳରେ ବୈଜୟନ୍ତଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା କରାଯାଇ ନଥିବା ଭଳି ମନେହେଉଛି।

ଏପଟେ ବୈଜୟନ୍ତ ନିଜ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଅଫିସରଙ୍କ ଉପରେ ବର୍ଷିଥିଲେ। ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିଲେ। ନବୀନଙ୍କୁ ସେ ବଡ଼ଭାଇର ସମ୍ମାନ ଦିଅନ୍ତି ବୋଲି କହିଥିଲେ।

ଜୁନ୍ ୧୩ ତାରିଖରେ ବୈଜୟନ୍ତ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ବାଚସ୍ପତି ସୁମିତ୍ରା ମହାଜନ ବିଦେଶ ଗସ୍ତରେ ଥିବାରୁ ସେ ତାଙ୍କୁ ସାକ୍ଷାତ କରିପାରି ନଥିଲେ। ବୈଜୟନ୍ତ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ଅଫିସକୁ ପଠାଇ ଦେଇଥିଲେ। ହେଲେ ଗୁରୁବାର ଦିନ ବୈଜୟନ୍ତ ବାଚସ୍ପତିଙ୍କୁ ଭେଟିବା ପରେ ଇସ୍ତଫାପତ୍ର ଗ୍ରହଣ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ।

ବୈଜୟନ୍ତ ଏବଂ ବିଜେଡି ଭିତରେ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। ହେଲେ ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କୁ ବିଜେଡିର କୌଣସି ନେତା ଶ୍ରଦ୍ଧାଞ୍ଜଳି ଦେବାକୁ ନଆସିବାରୁ ବୈଜୟନ୍ତ ବିଜେଡି ସହ ସବୁ ସମ୍ପର୍କ ତୁଟାଇଥିଲେ। ମେ ୨୮ରେ ସେ ବିଜେଡିରୁ ଇସ୍ତଫା ଦେବା ପରେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

ବିଜେଡି ଏବଂ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବୈଜୟନ୍ତଙ୍କ ରାଜନୀତି କ୍ୟାରିଅରକୁ ନେଇ ପ୍ରଶ୍ନବାଚୀ ଉଠିଛି। ବୈଜୟନ୍ତଙ୍କ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପିର ଦ୍ୱାର ଖୋଲା ରହିଥିବା ବେଳେ ବୈଜୟନ୍ତ କେଉଁ ଦଳକୁ ଯିବେ ସେନେଇ ଚିନ୍ତା କରିପାରୁ ନାହାନ୍ତି।

ବିଜେଡିରୁ ନିଲମ୍ବିତ ହେବା ପରେ ବୈଜୟନ୍ତ କହି ଆସୁଛନ୍ତି ଯେ ନିଜ ସମର୍ଥକ, ପରିବାର ଲୋକ ଏବଂ ବିଭିନ୍ନ ଦଳରେ ଥିବା ବନ୍ଧୁଙ୍କର ପରାମର୍ଶ ନେଉଛନ୍ତି। ସମସ୍ତଙ୍କ ପରାମର୍ଶକୁ ଆଧାର କରି ବୈଜୟନ୍ତ ଉଚିତ୍ ପଦକ୍ଷେପ ନେବେ। ହେଲେ ବୈଜୟନ୍ତ ଏଯାଏଁ କୌଣସି ଠୋସ୍ ନିଷ୍ପତ୍ତି ନେଇ ନପାରିବା ରାଜନୀତି କରିଡ଼ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment