ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଏମ୍‌ସି ଭବାନୀ ମଲ୍‌ରେ ଅପରେସନ୍ସ ସେଣ୍ଟର
  • ସାରା ଭୁବନେଶ୍ୱର ଉପରେ ନଜର ରଖିବ ଏହି ସେଣ୍ଟର
  • ଶହୀଦନଗରରେ ସ୍ମାର୍ଟପାର୍କ ସମୂହ ଉଦଘାଟିତ
  • ସୌରଚାଳିତ ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା ଉଦଘାଟିତ
  • ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସେନ୍‌ସୋରୀ ପାର୍କର ଶିଳାନ୍ୟାସ
  • ସମନ୍ୱିତ ଜନସେବା କେନ୍ଦ୍ରର ହେଲା ଶିଳାନ୍ୟାସ

ଏଣିକି ଗୋଟିଏ ରୁମ୍‌ରୁ କଣ୍ଟ୍ରୋଲ ହେବ ସ୍ମାର୍ଟସିଟି ଭୁବନେଶ୍ୱର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଅପରେସନ୍ସ ସେଣ୍ଟର ଉଦଘାଟନ କରିଛନ୍ତି। ବିଏମ୍‌ସି ଭବାନୀ ମଲ୍‌ର ପଞ୍ଚମ ମହଲାରେ ଏହି ସେଣ୍ଟର କାର୍ଯ୍ୟକ୍ଷମ ହେଉଛି।

ଶହୀଦନଗରରେ ତିଆରି ହୋଇଥିବା ସ୍ମାର୍ଟ ପାର୍କ ସମୂହ ଏବଂ ଏଜି ଛକରେ ନଗରବ୍ୟାପୀ ସୌରଚାଳିତ ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସ୍ୱତନ୍ତ୍ର ସେନ୍‌ସୋରୀ ପାର୍କ, ବାପୁଜୀନଗରରେ ହେବାକୁ ଥିବା ସମନ୍ୱିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି।

ସ୍ମାର୍ଟସିଟି ଭୁବନେଶ୍ୱରରେ ଉପଲବ୍ଧ ହେଉଥିବା ସମସ୍ତ ସେବାର ପରିଚାଳନା, ତଦାରଖ, ନିୟନ୍ତ୍ରଣ ଏହି ଅପରେସନ ସେଣ୍ଟରରୁ ହିଁ କରାଯିବ। ପାର୍କିଂ, ପବ୍ଲିକ ଟ୍ରନ୍ସପୋର୍ଟ, କମନ୍ ପେମେଣ୍ଟ କାର୍ଡ ସମେତ ଜରୁରିକାଳୀନ ପରିସ୍ଥିତିରେ ଏହି ସେଣ୍ଟର ଡିଜିଟାଲ ବ୍ୟବସ୍ଥା ପ୍ରଦାନ କରିବ।

ଅପରେସନ୍ସ ସେଣ୍ଟର ଜରିଆରେ ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା, ବସ୍‌ସେବା ଏବଂ ମହାନଗର ନିଗମର ଗାଡ଼ିଗୁଡ଼ିକର ଟ୍ରାକିଙ୍ଗ ସମେତ ଅଭିଯୋଗ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି।

ଏହି ସେଣ୍ଟରରେ ୮୦ ଫୁଟ ଚଉଡ଼ାର ବିଶାଳ ଭିଡିଓ ସ୍କ୍ରିନ୍ ରହିଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଏବଂ ଅତ୍ୟାଧୁନିକ ସେନ୍ସର ତଥ୍ୟ ଆଧାରରେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ।

Comment