ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରୁ ଫେରିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ପପୁ ପମ୍‌ ପମ୍‌। ଏହି ଭିଡିଓ ଏବେ ହୋଇଛି ଭାଇରାଲ୍।

“ଦିଲ୍ଲୀ ଏମ୍‌ସରେ ଡାକ୍ତରମାନେ କହୁଥିଲେ ମୋ ଦେହ ଭୀଷଣ ଖରାପ ହୋଇଯାଇଛି। ସୁସ୍ଥ ହେବା ସମ୍ଭବ ନୁହେଁ। ହେଲେ ଯାହା କିଛି ସମ୍ଭବ ହୋଇଛି ଆପଣମାନଙ୍କ ପାଇଁ। ଆପଣମାନଙ୍କ ଭଲ ପାଇବା, ଶ୍ରଦ୍ଧା ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଫେରି ଆସିଛି”, କୋହଭରା କଣ୍ଠରେ ଏହା କହିଛନ୍ତି ପପୁ ପମ୍‌ ପମ୍‌। ଏହି ଭଲ ପାଇବା ପାଇଁ ପପୁ ତାଙ୍କ ଫ୍ୟାନମାନଙ୍କୁ ଦେଇଛନ୍ତି ଧନ୍ୟବାଦ।

ଦିଲ୍ଲୀ ଏମ୍‌ସରେ ଦୁଇ ମାସ ଧରି ଚିକିତ୍ସିତ ହେବା ପରେ ପପୁ ଆଜି ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଘରେ ପହଞ୍ଚିବା ପରେ ସେ ତାଙ୍କ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆରେ ୪୧ ସେକେଣ୍ଡର ‘ଧନ୍ୟବାଦ’ ଭିଡିଓ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି।

ପପୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ହ୍ୱାଟସ୍‌ଆପ୍‌ରୁ ହ୍ୱାଟସ୍‌ଆପ୍‌କୁ ଘୂରି ବୁଲୁଛି। ବିଭିନ୍ନ ଫେସ୍‌ବୁକ୍‌ ଏବଂ ହ୍ୱାଟସ୍‌ଆପ୍‌ ଗ୍ରୁପରେ ପପୁଙ୍କ ଧନ୍ୟବାଦ ଭିଡିଓ ମଧ୍ୟ ଅପ୍‌ଲୋଡ ହୋଇଥିବା ଦେଖିବାକୁ ମିଳିଛି। ପପୁଙ୍କର ଏହି ୪୧ ସେକେଣ୍ଡର ଭିଡିଓକୁ ଫ୍ୟାନମାନେ ଦେଖୁଛନ୍ତି। ଦୁଇ ମାସ ପରେ ପପୁ ଫେରି ଆସିଥିବାରୁ ଫ୍ୟାନମାନେ ଖୁସି ପ୍ରକାଶ କରିଛନ୍ତି।

କମେଣ୍ଟ ବକ୍ସରେ ଫ୍ୟାନମାନେ ପପୁଙ୍କୁ ସ୍ୱାଗତ କରିଛନ୍ତି। ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ବି ଏହି ଭିଡିଓ ଆଜିର ବଡ଼ ଖବର ପାଲଟି ଯାଇଛି।

ସୋସିଆଲ ମିଡିଆରେ ପପୁ ଯେଉଁ ଭିଡିଓ ଜାରି କରିଛନ୍ତି ସେଥିରେ ତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଯିଏ ସବୁବେଳେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଉଥିଲେ ଆଜି ତାଙ୍କ ମୁହଁରେ ହସ ଦେଖିବାକୁ ମିଳି ନଥିଲା। କଥା କହିବା ବେଳେ ପପୁଙ୍କ କଣ୍ଠରୋଧ ହୋଇଯାଉଥିଲା।

ପପୁ ଫେରିଆସିଥିବା ଖବର ଜଣାପଡ଼ିବା ପରେ ଫ୍ୟାନମାନଙ୍କ ମହଲରେ ଉତ୍ସାହ ଭରିଯାଇଛି। ଖୁବଶୀଘ୍ର ଫିଲ୍ମ ପରଦାକୁ ପପୁ ଫେରି ଆସନ୍ତୁ ବୋଲି ଫ୍ୟାନମାନେ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି।

ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପପୁ ‘ଫୋର୍‌ ଇଡିୟଟ୍‌ସ’ ଫିଲ୍ମ ସୁଟିଂ ପାଇଁ ଥାଇଲାଣ୍ଡ ଯାଇଥିବା ବେଳେ ଅସୁସ୍ଥ ହୋଇଯାଇଥିଲେ। ସୁଟିଂ ବାତିଲ କରି ଓଡ଼ିଶା ଫେରି ଆସିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପପୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଯାଇଥିଲେ। ହେଲେ ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଆଡମିଟ୍ ହୋଇଥିଲେ ପପୁ ପମ୍‌ ପମ୍‌।

ଦିନକୁ ଦିନ ପପୁଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଲା। ଫଳରେ ସେ ମେ ୧୫ରେ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସ ଯାଇଥିଲେ। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ପପୁ ଚିକିତ୍ସିତ ହେଉଥିଲେ।

ପପୁଙ୍କୁ ଆରୋଗ୍ୟ କାମନା କରି ଫ୍ୟାନମାନେ ବିଭିନ୍ନ ମନ୍ଦିରରେ ଦୀପ ଜାଳିଥିଲେ। ଓଲିଉଡ କଳାକାରମାନେ ମଧ୍ୟ ପପୁଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଦୁଇମାସ ପରେ ପପୁ ଓଡ଼ିଶା ଫେରି ଆସିଥିବାରୁ ସେ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment