ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ ଓ କାଶ୍ମୀରର ଆଇଏଏସ୍‌ ଅଧିକାରୀ ଶାହ ଫୈସଲ ଦକ୍ଷିଣ ଏସିଆରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଆଧାରକରି ‘ରେପିସ୍ତାନ’ ଟୁଇଟ୍‌ କରି ଫସିଛନ୍ତି ଅଡ଼ୁଆରେ

ସରକାରୀ ଚାକିରିଆମାନେ ସୋସିଆଲ୍‌ ମିଡିଆରେ ନିଜସ୍ୱ ମତାମତ ଦେଇପାରିବେ କି ନାହିଁ? ଏ ପ୍ରଶ୍ନ ଏବେ ପୁଣି ବିତର୍କ ବଳୟରେ। ଜାମ୍ମୁ ଓ କାଶ୍ମୀରର ଜଣେ ଆଇଏଏସ୍‌ ଅଧିକାରୀଙ୍କ ବିବାଦୀୟ ଟୁଇଟ୍‌କୁ କେନ୍ଦ୍ର କରି ଏହି ବିତର୍କର ସୂତ୍ରପାତ ହୋଇଛି।

୨୦୧୦ ମସିହାର ଆଇଏଏସ୍‌ ଟପର୍‌ ଶାହ ଫୈସଲ। ଏହି ଗୌରବ ହାସଲ କରିବାରେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଯୁବକ। ଏକ ଟୁଇଟକୁ କେନ୍ଦ୍ର କରି ଏବେ ବିବାଦ ଘେରରେ ଫୈସଲ। ଦକ୍ଷିଣ ଏସିଆରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଉପଲକ୍ଷ କରି ଫୈସଲ ତାଙ୍କ ଟୁଇଟ୍‌ରେ ଯାହା ଲେଖିଥିଲେ ତା’ର ଅନୁବାଦ ଏହିପରି- “ଜନସଂଖ୍ୟା+ପିତୃପ୍ରାଧାନ୍ୟ+ନିରକ୍ଷରତା+ଆଲ୍‌କୋହଲ+ଅଶ୍ଳୀଳତା+ବୈଷୟିକ ଜ୍ଞାନକୌଶଳ+ଅରାଜକତା=ରେପିସ୍ତାନ”। ଏଥିରେ ବ୍ୟବହୃତ ‘ରେପିସ୍ତାନ’ ଶବ୍ଦ ଥିଲା ‘ଆପତ୍ତିଜନକ’।

ଜାମ୍ମୁ ଓ କାଶ୍ମୀରର ରାଜ୍ୟ ପର୍ଯ୍ୟଟନ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଫୈସଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ରାଜ୍ୟ ସରକାର। ତାଙ୍କୁ ଦିଆଯାଇଥିବା ନୋଟିସରେ ଅଭିଯୋଗ କରାଯାଇଥିଲା ଯେ, ସେ କର୍ତ୍ତବ୍ୟ ପାଳନରେ ସଂପୂର୍ଣ୍ଣ ସାଧୁତା ଏବଂ ସଂହତି ପ୍ରଦର୍ଶନରେ ବିଫଳ ହୋଇଛନ୍ତି। ଏହା ଜଣେ ସର୍ବସାଧାରଣଙ୍କ ପାଇଁ ସେବାରତ ଅଧିକାରୀଙ୍କ ପକ୍ଷରେ ଆଦୌ ଶୋଭନୀୟ ନୁହେଁ। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ବୋଲି ଏଥିରେ ଉଲ୍ଲେଖ ରହିଥିଲା।


ଏକ ବୃତ୍ତିକାଳୀନ ପାଠ୍ୟକ୍ରମରେ ଶିକ୍ଷାଲାଭ ପାଇଁ ସଂପ୍ରତି ଆମେରିକାରେ ଥିବା ଶାହ ଫୈସଲ କିନ୍ତୁ ଏଥିରେ ବିଚଳିତ ହୋଇ ନ ଥିଲେ। ସେ ସରକାରଙ୍କର ଏହି ନୋଟିସକୁ ମଧ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ସ୍ଥାନିତ କରିବା ସହ ଏହାକୁ ନାପସନ୍ଦ କରି ପୁଣି ଏକ ଟୁଇଟ୍‌ କରିଥିଲେ। ଏଥିରେ ସେ ଏହି ନୋଟିସ୍‌କୁ ତାଙ୍କ ବସ୍‌ଙ୍କର ‘ପ୍ରେମପତ୍ର’ ବୋଲି ବର୍ଣ୍ଣନା କରିବା ସହିତ ଲେଖିଥିଲେ ଯେ, ଦକ୍ଷିଣ ଏସିଆର ବଳାତ୍କାରପ୍ରବଣତାକୁ ନେଇ ସେ କରିଥିବା ଏକ ବ୍ୟଙ୍ଗାତ୍ମକ ଟୁଇଟ୍‌ ସଂପର୍କରେ ତାଙ୍କୁ ଏହି ପ୍ରେମପତ୍ର ଦିଆଯାଇଛି। ବିଡ଼ମ୍ବନାର ବିଷୟ ଯେ ଏକ ଗଣତାନ୍ତ୍ରିକ ଦେଶରେ ପ୍ରଚଳିତ ନିଯୁକ୍ତି ସଂପର୍କିତ ନିୟମଗୁଡ଼ିକ ଔପନିବେଶିକ ମନୋଭାବ ନେଇ ଗଠିତ। ସ୍ୱାଧୀନ ଭାବେ ନିଜ ବିବେକର ପରିପ୍ରକାଶନରେ ଏହା ବାଧା ସୃଷ୍ଟି କରୁଛି। ପ୍ରଚଳିତ ନିୟମରେ ପରିବର୍ତ୍ତନ ପାଇଁ ସେ ଏହାକୁ ସାର୍ବଜନୀନ କରୁଥିବା ଦର୍ଶାଇଥିଲେ।

ଏବେ ସରକାରୀ ନୋଟିସକୁ ସୋସିଆଲ ମିଡିଆ ଜରିଆରେ ସାଧାରଣରେ ପ୍ରକାଶ କରିଥିବା ଅଭିଯୋଗ କରି ଫୈସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍‌ସ ନେତା ଓମର ଅବଦୁଲ୍ଲା ଫୈସଲଙ୍କ ସପକ୍ଷରେ ସ୍ୱର ଉଠାଇବା ସହିତ ସରକାରୀ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି। ଏକ ବ୍ୟଙ୍ଗାତ୍ମକ ଟୁଇଟ୍‌ ଆଧାରରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ସାଧୁତା ଉପରେ ପ୍ରଶ୍ନଚିହ୍ନ ଲଗାଇବା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି।

ଫୈସଲ ମଧ୍ୟ ନିଜ ଆଭିମୁଖ୍ୟ ବଦଳାଇବାକୁ ରାଜି ନୁହନ୍ତି। ଚାକିରି ହରାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସେ ଉଠାଇଥିବା ପ୍ରଶ୍ନର ବ୍ୟାପକତା ଆଗରେ ଚାକିରି ହରାଇବାର ଆଶଙ୍କା ନଗଣ୍ୟ ବୋଲି ମତ ଦେଇଛନ୍ତି ଫୈସଲ।

ଗଣମାଧ୍ୟମରେ ସରକାରୀ ଚାକିରିଆମାନେ ବ୍ୟକ୍ତିଗତ ମତାମତ ଦେଇପାରିବେ କି ନାହିଁ ପ୍ରଶ୍ନ ଏବେ ବି ଅନୁତ୍ତରିତ ହୋଇ ରହିଛି।

Comment