ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ରାମ ତେରି ଗଙ୍ଗା ମୈଲି’ ସିନେମାର ନାୟିକା ମନ୍ଦାକିନୀ ଅଶୀଦଶକର ଲଭର ବୟ କୁମାର ଗୌରବଙ୍କ ସହ ଅଭିନୟ କରିବାକୁ ମନା କରିଦେଇ ତାଙ୍କଠାରୁ ପୁରୁଣା ପ୍ରତିଶୋଧ ନେଇଥିଲେ ଆସନ୍ତୁ ଜାଣିବା ଏହି ପ୍ରତିଶୋଧ ପଛର କାହାଣୀ…

ଅଶୀଦଶକରେ ଲଭର ବୟ ନାଁରେ ବେଶ୍ ଲୋକପ୍ରିୟ ଥିଲେ କୁମାର ଗୌରବ ସେ ହେଲେ ଜୁବୁଲି ହିରୋ ରାଜେନ୍ଦ୍ର କୁମାରଙ୍କ ପୁଅ। ୧୯୬୦ ମସିହା ଜୁଲାଇ ୧୧ ତାରିଖରେ କୁମାର ଗୌରବ ଜନ୍ମ ଲକ୍ଷ୍ନୌଠାରେ ହୋଇଥିଲା।

କୁମାର ଗୌରବଙ୍କୁ ଫିଲ୍ମ ଲାଇନରେ ଲଞ୍ଚ୍ କରିଥିଲେ ତାଙ୍କ ପିତା ରାଜେନ୍ଦ୍ର କୁମାର। ୧୯୮୧ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ମୁଭି ‘ଲଭ ଷ୍ଟୋରି’ ଜରିଆରେ ନାୟକ ଭାବେ ଡେବ୍ୟୁ କରିଥିଲେ କୁମାର ଗୌରବ। ପ୍ରଥମ ଫିଲ୍ମରେ ହିଁ ରାଜାରାତି ଷ୍ଟାର୍ ବନିଯାଇ ଥିଲେ ସେ।

ବଲିଉଡରେ ପ୍ରଥମ ସିନେମାରେ ସଫଳତା ପାଇବା ଖୁବ୍‌ କମ୍‌ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ହେଲେ ତାକୁ ବଜାୟ ରଖିବା ବଡ଼ କଥା। କିନ୍ତୁ ଏହାକୁ ରକ୍ଷା କରିବାରେ ସଫଳ ହୋଇନଥିଲେ କୁମାର ଗୌରବ।

ନିଜର ଅଭୂତପୂର୍ବ ସଫଳତା ପରେ କୁମାର ଗୌରବ ନିଜର କ୍ୟାରିଅରକୁ ଠିକ୍‌ ଭାବେ ହ୍ୟାଣ୍ଡେଲ କରିପାରିନଥିଲେ। ‘ଲଭଷ୍ଟୋରି’ ପରେ କୁମାର ଗୌରବଙ୍କ ପାଖରେ ପ୍ରଯୋଜକଙ୍କ ଲମ୍ବା ଲାଇନ୍ ଲାଗିଯାଇଥିଲା। କିନ୍ତୁ ସେତେବେଳେ କୁମାର ଗୌରବ ନଖରାମି ଦେଖାଇବା ଆରମ୍ଭ କରିଥିଲେ।

‘ଲଭଷ୍ଟୋରି’ ରିଲିଜ୍ ହେବା ପରେ ଜଣେ ପ୍ରଯୋଜକ ବିଦେଶ ବଂଶଲ୍ ନିଜର ସିନେମା ‘ଶିରିନ୍ ଫରହାଦ୍‍’ରେ କୁମାର ଗୌରବଙ୍କୁ ଚୁକ୍ତିବଦ୍ଧ କରିଥିଲେ। ଏଥିରେ ସେ ଜଣେ ନୂଆ ନାୟିକା ଜାସ୍ମିନଙ୍କୁ ମଧ୍ୟ ସାଇନ୍ କରିଥିଲେ କୁମାର ଗୌରବଙ୍କ ବିପକ୍ଷରେ। କୁମାର ଗୌରବ ଯେତେବେଳେ ଜାଣିବାକୁ ପାଇଲେ ଯେ ପ୍ରଯୋଜକ ତାଙ୍କ ସହ ଜଣେ ନ୍ୟୁକମର୍‌ଙ୍କୁ ହିରୋଇନ୍‌ ଭାବେ ସାଇନ୍‌ କରିଛନ୍ତି, ସେତେବେଳେ ସେ ରାଗିଗଲେ ଓ ‘ଶିରିନ୍‌ ଫରହାଦ୍‌’ ଫିଲ୍ମରୁ ଓହରି ଯାଇଥିଲେ। ପ୍ରଯୋଜକ ବଂଶଲ୍‌ ଯେତେ ବୁଝାଇଲେ ବି କୁମାର ଗୌରବ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ହୋଇନଥିଲେ।

ଏହି ଘଟଣାର ପ୍ରାୟ ଚାରିବର୍ଷ ପରେ ଜାସ୍ମିନଙ୍କୁ ନିଜ ଫିଲ୍ମରେ ଲଞ୍ଚ କରିଥିଲେ ସୋ’ମ୍ୟାନ୍‌ ରାଜ କପୁର। ହେଲେ ରାଜ୍ କପୁର ଜାସ୍ମିନଙ୍କ ସ୍କ୍ରିନ୍ ନାଁ ରଖିଥିଲେ ମନ୍ଦାକିନୀ। ଜାସ୍ମିନ୍ ବନିଯାଇଥିଲେ ମନ୍ଦାକିନୀ।

ସୋ’ ମ୍ୟାନ୍ ରାଜ କପୁରଙ୍କ ବ୍ଲକବଷ୍ଟର ମୁଭି ‘ରାମ ତେରି ଗଙ୍ଗା ମୈଲି’ରୁ ବଲିଉଡରେ ଡେବ୍ୟୁ କରିଥିଲେ ଜାସ୍ମିନ୍ ଓରଫ୍ ମନ୍ଦାକିନୀ। ସେ ବି ନିଜର ପ୍ରଥମ ଫିଲ୍ମ ପରେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ।

ତା’ ଭିତରେ କୁମାର ଗୌରବଙ୍କର କେତୋଟି ଫିଲ୍ମ ଫ୍ଲପ୍ ହୋଇଥିଲା। ଏହାଫଳରେ ତାଙ୍କର ଷ୍ଟାରଡମ୍ ଷ୍ଟାଟସ୍ ଖସି ଆସିଥିଲା ତଳକୁ। ଏମିତି ସମୟ ଆସିଲା, ଯେତେବେଳେ କେହି ବି ଟପ୍‌ ହିରୋଇନ୍ କୁମାର ଗୌରବଙ୍କ ଅପୋଜିଟ୍‌ରେ କାମ କରିବାକୁ ରାଜି ହେଲେ ନାହିଁ।

ସେହି ସମୟରେ ଜଣେ ଜଣାଶୁଣା ପ୍ରଯୋଜକ ମନ୍ଦାକିନୀଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ଯୋଜନା କରିଥିଲେ। ସେ ସେଥିରେ କୁମାର ଗୌରବଙ୍କୁ ହିରୋ ଭାବେ ନେବାକୁ ଇଛା ପ୍ରକାଶ କରିଥିଲେ। ହେଲେ ମନ୍ଦାକିନୀ କୁମାର ଗୌରବଙ୍କ ନାଆଁ ଶୁଣିବା ମାତ୍ରେ ସେହି ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ।

ମନ୍ଦାକିନୀ ନିଜ ସହ ଘଟିଥିବା ପୁରୁଣା ଘଟଣାକୁ ମନେ ପକାଇ ଏଭଳି ପଦକ୍ଷେପ ନେଇଥିଲେ। କହିବାକୁ ଗଲେ ନାୟିକା ମନ୍ଦାକିନୀ କୁମାର ଗୌରବଙ୍କ ଉପରେ ପ୍ରତିଶୋଧ ନେଇଥିଲେ।

Comment