ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଇରଫାନ ଖାନ ଏବେ ରୋଗଶଯ୍ୟାରେ ଇରଫାନଙ୍କ ଅପକମିଂ ମୁଭି କରୱାଁ’ ରିଲିଜ୍ଅପେକ୍ଷାରେ ରହିଛି ଆସନ୍ତୁ ଜାଣିବା ସେହି ସିନେମା ବିଷୟରେ

ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍‌ ବେଶ୍ କିଛିଦିନ ହେବ ଅସୁସ୍ଥ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ହେଲେ ତା’ ଭିତରେ ଇରଫାନଙ୍କର ଏକ ହିନ୍ଦୀ ସିନେମା ରିଲିଜ୍‌ ହେବାକୁ ଯାଉଛି। ଏହି ସିନେମାର ଟାଇଟଲ୍‌ ହେଲା ‘କରୱାଁ’। ଆସନ୍ତୁ ଜାଣିବା ଏହି ଫିଲ୍ମ ସମ୍ପର୍କରେ କିଛି ଖାସ୍ କଥା…

‘କରୱାଁ’ ହେଉଛି ଏକ କମେଡି ଫିଲ୍ମ। ଏହାର କାହାଣୀ ତିନିଜଣ ଚରିତ୍ରକୁ ନେଇ ଗଢ଼ିଉଠିଛି। ଏମାନେ ଏକ ଟ୍ରିପ୍‌ରେ ଯାଆନ୍ତି। ସେହି ସମୟର ମଜାଦାର ଘଟଣା ହେଉଛି ଏହି କାହାଣୀର ମୁଖ୍ୟ ପ୍ରସଙ୍ଗ।

ଷ୍ଟାର୍କାଷ୍ଟ

‘କରୱାଁ’ର ପ୍ରଯୋଜକ ହେଲେ ବଲିଉଡର ନାମୀ ନିର୍ମାତା ରୋନି ସ୍କୃୱାଲା ଓ ପ୍ରୀତି ରଥି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆକର୍ଷ ଖୁରାନା। ଏହା ହେଉଛି ଆକର୍ଷଙ୍କ ଡେବ୍ୟୁ ସିନେମା। ଫିଲ୍ମର କାହାଣୀ ଲେଖିଛନ୍ତି ବିଜୟ ନାମ୍ବିଆର୍‌। ନିଜେ ଆକର୍ଷ ଖୁରାନା ଏହାର ଚିତ୍ରନାଟ୍ୟ ଲେଖିଛନ୍ତି। ସଂଳାପ ଲେଖିଛନ୍ତି ହୁସେନ୍‌ ଦଲାଲ୍‌।

‘କରୱାଁ’ର ମୁଖ୍ୟ କଳାକାରମାନେ ହେଲେ ଇରଫାନ୍‌ ଖାନ୍, ଦଲେକ୍ୱେର ସଲମାନ୍‌ ଓ ମିଥିଲା ପାଲକର୍‌। ଏଥିରେ ଇରଫାନଙ୍କ ଅଭିନୀତ ଚରିତ୍ର ହେଲା ‘ସୌକତ୍’, ଦଲକ୍ୱେରଙ୍କ ଭୂମିକାଟି ହେଲା ‘ଅବିନାଶ’, ମିଥିଲା ପାଲକରଙ୍କ ଚରିତ୍ରର ନାଁ ହେଲା ‘ତାନ୍ୟା’। ଏହାଛଡ଼ା ଏହି ସିନେମାରେ କ୍ରିତି ଖରବଣ୍ଡା, ଆମ୍‌ଲା ଅକିକେନୀ ଓ ପ୍ରୀତି ରାହି ଗୁପ୍ତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

‘କରୱାଁ’ ସିନେମାର ସଙ୍ଗୀତକାର ହେଲେ ପ୍ରତୀକ କୁହାଡ, ଅନୁରାଗ ସାଇକିଆ, ସ୍ଲେ ଚିତା ଓ ଶ୍ୱେତାନାଗ ଶଙ୍କର।

ନୱାଜୁଦ୍ଦିନ ସିଦ୍ଦିକୀ ଅରବିନ୍ଦ ସ୍ୱାମୀ ଥିଲେ ପ୍ରଥମ ପସନ୍ଦ

‘କରୱାଁ’ର କାହାଣୀ ଲେଖିବା ବେଳେ ଫିଲ୍ମରେ ଇରଫାନଙ୍କ ସହିତ ବଲିଉଡର ପ୍ରତିଭାବାନ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଓ ସାଉଥର ଜଣାଶୁଣା ଅଭିନେତା ଅରବିନ୍ଦ ସ୍ୱାମୀଙ୍କୁ ନିଆଯିବ ବୋଲି ସ୍ଥିରୀକୃତ ହୋଇଥିଲା। କିନ୍ତୁ କାହାଣୀରେ କିଛିଟା ପରିବର୍ତ୍ତନ କରାଯିବା ପରେ ସେମାନଙ୍କୁ ବାଦ୍‌ ଦିଆଯାଇଥିଲା। ଯଦି ଏଥିରେ ଅରବିନ୍ଦ ସ୍ୱାମୀ ଅଭିନୟ କରିଥାନ୍ତେ, ତେବେ ଏହା ତାଙ୍କର ବଲିଉଡକୁ କମ୍‌ବ୍ୟାକ୍‌ ହୋଇଥାନ୍ତା।

ଅଭିଷେକ ରାଜି ହୋଇଥିଲେ, କିନ୍ତୁ ପରେ ଛାଡ଼ିଥିଲେ

୨୦୧୭ ଏପ୍ରିଲ୍ ମାସରେ ‘କରୱାଁ’ରେ ଇରଫାନ୍‌ ଖାନ୍‌ଙ୍କ ସହ ଅଭିଷେକ ବଚ୍ଚନଙ୍କୁ ସାଇନ୍‌ କରାଯାଇଥିଲା। ସୁଟିଂ ଆରମ୍ଭ ହେବାରେ ବିଳମ୍ବ ହେଲା। ନିର୍ମାତା ପୁଣି ଯେଉଁ ନୂଆ ଡେଟ୍‌ସ ଅଭିଷେକଙ୍କଠାରୁ ଚାହିଁଥିଲେ, ତାହା ସେ ଜେ.ପି. ଦତ୍ତାଙ୍କ ‘ପଲ୍‌ଟନ୍‌’କୁ ଦେଇ ସାରିଥିଲେ। ଏଣୁ ଡେଟ୍ସ ସମସ୍ୟା ଉପୁଜିଥିଲା। ଫଳରେ ‘କରୱାଁ’ ଛାଡ଼ିଥିଲେ ଜୁନିଅର୍ ବଚ୍ଚନ।

ରାଜକୁମାର ରାଓ ବି ଛାଡ଼ିଥିଲେ କରୱାଁ

ବଲିଉଡର ଆଉ ଜଣେ ଚର୍ଚ୍ଚିତ ଅଭିନେତା ରାଜକୁମାର ରାଓ ‘କରୱାଁ’ର ଷ୍ଟାରକାଷ୍ଟରେ ସାମିଲ୍ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସେ ବି ଶେଷ ମୁହୂର୍ତ୍ତରେ ସେଥିରୁ ବାଦ୍ ପଡ଼ିଥିଲେ।

ଅଗଷ୍ଟ ୩ ତାରିଖରେ ରିଲିଜ୍‌ ହେବାକୁ ଥିବା ସିନେମା ‘କରୱାଁ’ ଦର୍ଶକଙ୍କ କେତେ ପସନ୍ଦ ଆସୁଛି, ତାହା ରିଲିଜ୍‌ ହେବା ପରେ ହିଁ ସାମନାକୁ ଆସିବ।

Comment