ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆସନ୍ତା ଶୁକ୍ରବାର ରାତିରେ ଦେଖିବାକୁ ମିଳିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଏକ ଘଣ୍ଟା ତେୟାଳିଶି ମିନିଟ୍‌ର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ

ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଆସନ୍ତା ଶୁକ୍ରବାର ଅର୍ଥାତ୍‍ ଜୁଲାଇ ୨୭ ତାରିଖ ରାତିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ରାତି ୧ଟାରୁ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ଏକ ଘଣ୍ଟା ତେୟାଳିଶି ମିନିଟ୍‌ ସମୟ ଧରି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

ଜ୍ୟୋତିର୍ବିଦମାନଙ୍କ ମତରେ ପ୍ରାୟ ଶହେ ବର୍ଷରେ ଥରେ ଏଭଳି ବିରଳ ଚନ୍ଦ୍ରଗ୍ରହଣ ଦେଖାଯାଏ। ଏହି ଗ୍ରହଣର ଅବଧି ଅନ୍ୟାନ୍ୟ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ତୁଳନାରେ ଚାଳିଶି ପ୍ରତିଶତ ଅଧିକ। ପୂର୍ଣ୍ଣଗ୍ରାସ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ଲୋହିତ କିମ୍ବା ଗେରୁଆ ରଙ୍ଗର ଦେଖାଯିବ। ଇଂରାଜୀରେ ଏହାକୁ ‘ବ୍ଲଡ୍‌ ମୁନ୍‌’ ଅର୍ଥାତ୍‌ ରକ୍ତିମ ଚନ୍ଦ୍ର କୁହାଯାଏ। ଏହି ଗ୍ରହଣ ସମୟରେ ଲୋହିତ ବର୍ଣ୍ଣର ଚନ୍ଦ୍ର ଦେଖିବାକୁ ମିଳେ।

ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୋଇଥାଏ। ଚନ୍ଦ୍ର ଉପରେ ସୂର୍ଯ୍ୟାଲୋକ ନ ପଡ଼ି ପୃଥିବୀର ଛାଇ ପଡ଼ିଥାଏ। ଏଥର ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀଠାରୁ ସର୍ବାଧିକ ଦୂରରେ ରହୁଥିବାରୁ ପୃଥିବୀର ଛାଇ ସବୁଠାରୁ ଲମ୍ବା ସମୟ ଧରି ଚନ୍ଦ୍ର ଉପରେ ପଡ଼ି ରହିବ।

ଜ୍ୟୋତିର୍ବିଜ୍ଞାନ ଅନୁସାରେ ସର୍ବାଧିକ ୧ ଘଣ୍ଟା ୪୭ ମିନିଟ୍‌ ସମୟ ପାଇଁ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇପାରେ। ଏଥର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣର ଅବଧି ଏହି ସମୟସୀମା ପାଖାପାଖି। ମାତ୍ର ୪ ମିନିଟ୍‌ କମ। ଗ୍ରହଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ହେଉଥିଲେ ହେଁ ଏକ ଘଣ୍ଟା ତେୟାଳିଶି ମିନିଟ ଧରି ପୃଥିବୀର ଛାଇ ତଳେ ସଂପୂର୍ଣ୍ଣ ଲୁଚି ରହିବ ଚନ୍ଦ୍ର।

ଭାରତରେ ରାତି ୧୧ଟା ୪୪ରୁ ଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୫୪ ବେଳକୁ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ରାତି ଗୋଟାଏ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଢାଙ୍କି ହୋଇଯିବ। ଏହି ପୂର୍ଣ୍ଣଗ୍ରାସ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଗ୍ରହଣ ପ୍ରକ୍ରିୟା ରାତି ୧୧ଟା ୪୩ରୁ ଆରମ୍ଭ ହୋଇ ଭୋର ୩ଟା ୪୯ ମିନିଟରେ ଶେଷ ହେବ।

ଗୋଟିଏ ବର୍ଷରେ ସର୍ବାଧିକ ତିନିଥର ଚନ୍ଦ୍ରଗ୍ରହଣ ହୋଇଥାଏ। କୌଣସି କୌଣସି ବର୍ଷ ଆଦୌ ଚନ୍ଦ୍ରଗ୍ରହଣ ହୋଇନଥାଏ। ଏହା ଏ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଏହା ପୂର୍ବରୁ ଗତ ଜାନୁଆରି ୩୧ ତାରିଖରେ ଚନ୍ଦ୍ରଗ୍ରହଣ ହୋଇଥିଲା। ଶୁକ୍ରବାର ରାତିର ଚନ୍ଦ୍ରଗ୍ରହଣକୁ ଭାରତ ସମେତ ପଶ୍ଚିମ ଚୀନ, ପୂର୍ବ ଆଫ୍ରିକା, ମଧ୍ୟ ପ୍ରାଚ୍ୟ ଦେଶ ସମୂହରେ ପୂର୍ଣ୍ଣ ଭାବେ ଦେଖାଯାଇପାରିବ। ଆଫ୍ରିକା ଓ ଏସିଆର ଅନ୍ୟାନ୍ୟ ଭାଗ ସମେତ ୟୁରୋପ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକାର ପୂର୍ବ ଭାଗରେ ଏହା ଆଂଶିକ ଦୃଶ୍ୟମାନ ହେବ। କିନ୍ତୁ ଉତ୍ତର ଆମେରିକା ଏବଂ ଗ୍ରୀନ୍‌ଲ୍ୟାଣ୍ଡରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଏହି ବିରଳ ଚନ୍ଦ୍ରଗ୍ରହଣକୁ ଯେ କେହି ଦେଖିପାରିବେ ଏବଂ ଏହା ନିରାପଦ ମଧ୍ୟ। ସହରର ଆଲୋକିତ ଅଞ୍ଚଳରୁ ଦେଖିଲେ କୃତ୍ରିମ ଆଲୋକ ଯୋଗୁଁ ଚନ୍ଦ୍ରର ବର୍ଣ୍ଣ ହୁଏତ କିଛିଟା ଧୂଆଁଳିଆ ଦେଖାଯାଇପାରେ। ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ଉପରେ କେତେକ ପାରମ୍ପରିକ ଏବଂ ଧାର୍ମିକ କଟକଣା ରହିଛି। ମଣିଷ ଉପରେ ଏହି ଦୃଶ୍ୟର ଶାରୀରିକ, ମାନସିକ ଓ ମନସ୍ତାତ୍ତ୍ୱିକ ପ୍ରଭାବ ରହିଥିବା ବିଶ୍ୱାସ କରାଯାଏ। କିନ୍ତୁ ଏଭଳି ବିଶ୍ୱାସ ପଛରେ ବିଜ୍ଞାନସମ୍ମତ କାରଣ ନାହିଁ।

Comment