ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାରର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଶରଣାପନ୍ନ ହୋଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ସେବକ

ବଂଶାନୁକ୍ରମିକ ସେବା ବନ୍ଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେବାୟତମାନେ ସନାତନ ଧର୍ମର ପ୍ରାଣ ପ୍ରତିଷ୍ଠାତା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣ ପସିଛନ୍ତି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ସେବକମାନେ ସେମାନଙ୍କ ମତ ରଖିଛନ୍ତି।

ଶଙ୍କରାଚାର୍ଯ୍ୟ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ଗୁରୁ ହୋଇଥିବାରୁ ଶ୍ରୀମନ୍ଦିର ପରମ୍ପରା ଓ ଶାସ୍ତ୍ରୀୟ ବିଧିବ୍ୟବସ୍ଥା ଯେପରି ସୁରକ୍ଷିତ ରହିବ ସେଥିପାଇଁ ସେମାନେ ଅନୁରୋଧ କରିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ରାୟ ଏବଂ ପ୍ରସ୍ତାବ ସଂକ୍ରାନ୍ତରେ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ପାଇଁ ଗୁରୁବାର ସନ୍ଧ୍ୟାରେ ଗଜପତିଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ସେବକ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ। ପ୍ରାୟ ୧୫ ଜଣ ସେବକ ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖରେ ତାଙ୍କ ମତ ରଖିଥିଲେ।

ଗୋବର୍ଦ୍ଧନ ପୀଠରେ ପ୍ରାୟ ୩ଘଣ୍ଟା ଧରି ସେବକମାନେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଯଦି ଅଣହିନ୍ଦୁଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଏ ଶହ ଶହ ବର୍ଷର ପରମ୍ପରା ନଷ୍ଟହେବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ଭୁଶୁଡ଼ି ପଡ଼ିବ ବୋଲି କେତେକ ବରିଷ୍ଠ ସେବକ ଯୁକ୍ତି ବାଢ଼ିଥିଲେ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିସନ୍‌ ଆସନ୍ତା ୩୦ ତାରିଖରେ ପୁରୀ ଆସୁଛନ୍ତି। ସେପଟେ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ଅଣହିନ୍ଦୁ ପ୍ରବେଶ, ଦାନଦକ୍ଷିଣା ଆଦାୟ ବନ୍ଦ ଆଦି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ୍‌କ୍ୟୁରି ମଧ୍ୟ ନିକଟରେ ପୁରୀ ଆସୁଛନ୍ତି। ସେବାୟତଙ୍କ ପାଇଁ ଏହା ବିପତ୍ତି ଆଣି ଦେଇଥିବା ବେଳେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ସେବାୟତମାନେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିବା ସହ ଏହା ଉପରେ ଆବଶ୍ୟକ ପରାମର୍ଶ ଲୋଡ଼ିଥିଲେ।

“ଶିକ୍ଷା, ସଂସ୍କୃତି, ସେବା ଓ ଧର୍ମର ଅନୁଷ୍ଠାନ ହେଉଛି ଶ୍ରୀମନ୍ଦିର। ଏଠାରେ ଯେଉଁ ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ବା ପରମ୍ପରା ଅନୁଯାୟୀ ପୂଜା ହୋଇଆସୁଛି ସେହି ପରମ୍ପରାରେ ପୂଜାବିଧି ହେବା ଉଚିତ। ଏହାକୁ କୌଣସି ପ୍ରକାର ଉଲ୍ଲଂଘନ କରାଯିବ ନାହିଁ। ଶ୍ରୀମନ୍ଦିରର ପ୍ରାଚୀନ ବେଦ ସମ୍ମତ ପରମ୍ପରାକୁ ବିରୋଧ କରି ନୂଆ ପରମ୍ପରା ସୃଷ୍ଟି ପାଇଁ ହେଉଥିବା ଉଦ୍ୟମ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ। ଏଥିରୁ କ୍ଷାନ୍ତ ଓ ନିବୃତ୍ତ ରହିବା ଦରକାର। ଶ୍ରୀମନ୍ଦିର ସେବାପୂଜା ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟଙ୍କୁ ଭଲ ଭାବେ ଅବଗତ କରାଇବାକୁ ପଡ଼ିବ। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀଙ୍କ ସମ୍ମୁଖରେ ଶ୍ରୀମନ୍ଦିର ପରମ୍ପରା ବିଷୟରେ ସମସ୍ତ ତଥ୍ୟ ରଖିବାକୁ ପଡ଼ିବ। କାହାକୁ ଅନ୍ଧାରରେ ରଖ ନାହିଁ ବୋଲି ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ଜଗଦ୍‌ଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ।

ପୂର୍ବତନ ପରିଚାଳନା କମିଟି ସଭ୍ୟ ରବୀନ୍ଦ୍ରନାଥ ପ୍ରତିହାରୀ କହିଲେ, “ଧାର୍ମିକ ବ୍ୟାପାରରେ ମତଦେବାର ଅଧିକାର କେବଳ ଶଙ୍କରାଚାର୍ଯ୍ୟଙ୍କର ରହିଛି। ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରାରେ ହସ୍ତକ୍ଷେପ କରିବାକୁ ବ୍ରିଟିଶ ସରକାର ଉଦ୍ୟମ କରି ନ ଥିଲେ। ଯଦି କୌଣସି ସେବକ ବିଶୃଙ୍ଖଳା କରୁଛନ୍ତି ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। କିଛି ସେବକଙ୍କ ପାଇଁ ସବୁ ସେବକଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ”।

ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଦାମୋଦର ମହାସୁଆର, ଭଗବାନ ସୁଆର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ସିଂହାରୀ କହିଲେ, ଗଜପତି ମହାରାଜା ଅଧିକାର ଦେଇଛନ୍ତି। ପରମ୍ପରା ଉଚ୍ଛେଦ ହେଲେ ଶ୍ରୀଜୀଉଙ୍କ ସେବାପୂଜା ବାଧାପ୍ରାପ୍ତ ହେବ।

ରାଜ୍ୟ ସରକାର ୬୦ବର୍ଷ ହେଲା ମନ୍ଦିର ପରିଚାଳନା ହାତକୁ ନେଇଛନ୍ତି। ସେବକଙ୍କ କଲ୍ୟାଣ ପ୍ରତି କିଛି କରାଯାଇ ନାହିଁ। ଶ୍ରୀମନ୍ଦିରରେ ପରମ୍ପରା କିପରି ବଞ୍ଚିରହିବ ସେଥିପାଇଁ ଶଙ୍କରାଚାର୍ଯ୍ୟ ଓ ଗଜପତି ସେବକଙ୍କୁ ସାହାଯ୍ୟ କରିବାକୁ ସେମାନେ ଅନୁରୋଧ କରିଥିଲେ।

Comment