ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅବ୍ୟବସ୍ଥା ଘେରରେ ମାଲକାନଗିରିର ଆଦର୍ଶ ବିଦ୍ୟାଳୟ। ଏବେ ଅଭିଭାବକଙ୍କ ମନରେ ପ୍ରଶ୍ନ ଉଠୁଛି ଏହି ଅବ୍ୟବସ୍ଥା ସୁଧୁରିବାକୁ ଆଉ ଲାଗିବ କେତେ ବର୍ଷ?

ଗ୍ରାମାଞ୍ଚଳର ପିଲା ଯେମିତି ସିବିଏସଇ ଢାଞ୍ଚାରେ ସରକାରୀ ଇଂରାଜି ମାଧ୍ୟମିକ ସ୍କୁଲରେ ପାଠ ପଢିବେ ସେଥିପାଇଁ ରାଜ୍ୟ ସରକାର ଖୋଲିଦେଲେ ଆଦର୍ଶ ବିଦ୍ୟାଳୟ। ୨୦୧୫ ମସିହାରୁ ପାଠପଢା ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ପିଲାମାନେ ଏସବୁ ସ୍କୁଲରେ କିଭଳି ପାଠ ପଢ଼ୁଛନ୍ତି ତଥା ବିଦ୍ୟାଳୟର ଭିତ୍ତିଭୂମି କେମିତି ରହିଛି – ଏହା ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ବାପନପାଲ୍ଲୀ ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟ ଦେଖିଲେ ସ୍ପଷ୍ଟ ହୋଇଯାଉଛି।

ବାପନପାଲ୍ଲୀ ଆଦର୍ଶ ବିଦ୍ୟାଳୟରେ ସିବିଏସଇ ଢାଞ୍ଚାରେ ପାଠ ପଢିବେ ପିଲାମାନେ ଓ ଅଭିଭାବକମାନେ ଅନେକ ଉତ୍ସାହିତ ହୋଇଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଲା ବିଦ୍ୟାଳୟ ଗୃହ, ନିଯୁକ୍ତି ପାଇଲେ ଶିକ୍ଷକ ଓ କର୍ମଚାରୀ। ହେଲେ ପାଠପଢା କାମଚଳା ଭାବେ ଚାଲୁଥିବା ବେଳେ ଭିତ୍ତିଭୂମି ଆହୁରି ଉନ୍ନତି କରିବାକୁ ବାକି ରହିଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବାପନପାଲ୍ଲୀ ଗ୍ରାମରେ ରହିଛି ଏକ ଆଦର୍ଶ ବିଦ୍ୟାଳୟ। ଏ ପର୍ଯ୍ୟନ୍ତ ବିଦ୍ୟାଳୟର ପାଚେରି ନିର୍ମାଣ ହୋଇପାରିନାହିଁ। ହଷ୍ଟେଲ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ପାଠପଢା ଆରମ୍ଭ ହୋଇ ତିନିବର୍ଷ ବିତି ଯାଇଥିଲେ ହେଁ ସମ୍ପୂର୍ଣ୍ଣ ହୋଇପାରୁନି ହଷ୍ଟେଲ ବ୍ୟବସ୍ଥା। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବାଧ୍ୟତାମୂଳକ ଥିବା ବେଳେ ହଷ୍ଟେଲ କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ପିଲମାନେ ବାଧ୍ୟହୋଇ ଅନେକ ଦୂରରେ ରହିଥିବା ତାଙ୍କ ଘରରୁ ଯାତାୟତ କରିବାକୁ ପଡୁଛି। ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀଗଣ।

ସିବିଏସଇ ଢାଞ୍ଚାରେ ପାଠ ପଢି ମେଧାବୀହେବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ନିଜେ ଗାଡି ଚଳାଇ ସ୍କୁଲ ଆସୁଛନ୍ତି କିଛି ଛାତ୍ରଛାତ୍ରୀ। ଭିତ୍ତିଭୂମିର ଅଭାବ ତଥା ହଷ୍ଟେଲ ନଥିବା କାରଣରୁ ପ୍ରତ୍ୟେହ ଏଭଳି ହଇରାଣ ହେଉଛନ୍ତି ଶହ ଶହ କୁନିକୁନି ପିଲାମାନେ। ସକାଳ ୮ଟାରୁ ବାହାରି ଘରକୁ ଫେରନ୍ତି ସଞ୍ଜ ବେଳକୁ। ମାଓ ଅଧ୍ୟୁଷିତ ଅଞ୍ଚଳରେଭଲ ପାଠ ପଢିବା ଲାଗି ସବୁ ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବାରୁ ଏମାନଙ୍କ ଗୁହାରୀ ବା ଶୁଣୁଛି କିଏ।

ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ଯେ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଚାଲିଛି, ଆଉ ଅଳ୍ପ ଦିନରେ ସମ୍ପୂର୍ଣ୍ଣ ହୋଇଯିବ। ଜିଲ୍ଲାରେ ରହିଥିବା ଅଧିକାଂଶ ଆଦର୍ଶ ବିଦ୍ୟାଳୟର ପରିସ୍ଥିତି ପ୍ରାୟ ଏଭଳି। ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comment