ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ସନ୍ତାନଟିଏ ପାଇବା ଆଶାରେ ଛଅବର୍ଷର ରୋଗୀଣା ଝିଅକୁ ତଣ୍ଟି ଚିପି ମାରି ନିଜ ଘରେ ପୋତି ଦେଲେ ମୋରାଦାବାଦର ଜଣେ ଦମ୍ପତି

ଅନ୍ଧବିଶ୍ୱାସରୁ ଜଘନ୍ୟ ଅପରାଧ। ସୁସ୍ଥ ସନ୍ତାନଟିଏ ପାଇବା ଆଶାରେ ଛଅବର୍ଷର ରୋଗୀଣା ଝିଅକୁ ତଣ୍ଟି ଚିପି ମାରି ନିଜ ଘରେ ପୋତି ଦେଲେ ବାପା-ମା’। ତାନ୍ତ୍ରିକ କଥାରେ ପଡ଼ି ଏହି ନରକୀୟ କାଣ୍ଡ ଘଟାଇଥିଲେ ଉତ୍ତର ପ୍ରଦେଶ ମୋରାଦାବାଦର ଜଣେ ଦମ୍ପତି।

ବାପା-ମା’ଙ୍କ ଅନ୍ଧବିଶ୍ୱାସରୁ ଜୀବନ ହରାଇଛି ମୋରାଦାବାଦର ଆନନ୍ଦପାଲଙ୍କର ଝିଅ ତାରା। ସେ ପିଲାଟି ଦିନରୁ ରୋଗୀଣା। ରିକେଟ୍‌ ରୋଗରେ ପୀଡ଼ିତା ତାରା ଦିନକୁ ଦିନ ଦୁର୍ବଳ ହୋଇଯାଉଥାଏ। ବାପା-ମା’ ଜଣେ ତାନ୍ତ୍ରିକଙ୍କୁ ଏ ବିଷୟ ଜଣାଇଲେ। ଝିଅକୁ ମାରି ନିଜ ଘରେ ପୋତି ଦେଲେ ସୁସ୍ଥ ସନ୍ତାନଟିଏ ଜନ୍ମ ନେବ ବୋଲି କହିଥିଲା ତାନ୍ତ୍ରିକ।

ବାପା-ମା’ ସେଇଆ ହିଁ କଲେ। ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ମାଟି ଖୋଳି ଘର ଭିତରେ ପୋତିଦେଲେ। କୌଣସି ପ୍ରକାରେ ପଡ଼ୋଶୀମାନେ ଏ କଥା ଜାଣିବା ପରେ ପୋଲିସକୁ ଖବର ଦେଲେ। ପୋଲିସ ମାଟି ଖୋଳି ତାରାର ମୃତଦେହ ଉଦ୍ଧାର କଲା।

ବ୍ୟବଚ୍ଛେଦରୁ ଜଣାପଡ଼ିଲା ଯେ, ତାରା ପେଟରେ ଖାଦ୍ୟ ନ ଥିଲା ଏବଂ ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା। ତା’ ପୂର୍ବରୁ ପ୍ରାୟ ପାଞ୍ଚଦିନ କାଳ ତାରାକୁ ଖାଇବାକୁ ପିଇବାକୁ ଦିଆଯାଇ ନଥିଲା। ସୁସ୍ଥ ଶିଶୁଟିଏ ପାଇବା ଆଶାରେ ନିଜ ଝିଅକୁ ଭୋକଶୋଷରେ ରଖି ଶେଷରେ ମାରିଦେଇଥିଲେ ବାପା-ମା’।

ତାରାର ଜେଜେମା’ଙ୍କ କହିବା ଅନୁସାରେ ତାର ଚିକିତ୍ସା ପାଇଁ ବାପା-ମା’ ବହୁ ଚେଷ୍ଟା କରିଥିଲେ। କିନ୍ତୁ ତାରାର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା। ଚିନ୍ତିତ ବାପା-ମା’ ଜଣେ ତାନ୍ତ୍ରିକର ପରାମର୍ଶ ଲୋଡ଼ିଥିଲେ। ତାନ୍ତ୍ରିକର ପରାମର୍ଶ ମାନି ଝିଅକୁ ହତ୍ୟା କରି ପୋତି ଦେଇଥିଲେ ବାପା-ମା’।

ଏହି ଜଘନ୍ୟ ହତ୍ୟାକାଣ୍ଡ ଖବର ପଦାକୁ ଆସିଲା ପରେ ଫେରାର ହୋଇଯାଇଛନ୍ତି ମୋରାଦାବାଦର ଚୌଧରପୁର ଗାଁର ଆନନ୍ଦପାଲ ଓ ତାଙ୍କ ସ୍ତ୍ରୀ। ପୋଲିସ ଏବେ ଉଭୟଙ୍କୁ ଖୋଜୁଛି। ସଂପୃକ୍ତ ତାନ୍ତ୍ରିକର ବି ପତ୍ତା ମିଳିନାହିଁ।

ଆଜିର ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସ ମଣିଷକୁ କେତେ ନିମ୍ନସ୍ତରକୁ ନେଇଯାଇପାରେ ଏହା ତାହାର ଆଉ ଏକ ଉଦାହରଣ ମାତ୍ର।

Comment