ଓଡ଼ିଶାଲାଇଭ୍‍ ବ୍ୟୁରୋ

ଉତ୍ତରାଖଣ୍ଡ ହାଇକୋର୍ଟ ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଏବଂ ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ହାତୀ ଉପରେ ଚଢ଼ି ଜଙ୍ଗଲ ଭିତରେ ବୁଲିବା ଉପରେ ନିଷେଧାଦେଶ ଜାରି କରିଛନ୍ତି

ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଏବଂ ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ହାତୀ ଉପରେ ବସି ବୁଲିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଏହା ସହିତ ବାଣିଜ୍ୟିକ ଉଦ୍ଦେଶ୍ୟରେ ହାତୀ ଓ ଅନ୍ୟ ଜୀବମାନଙ୍କୁ ବ୍ୟବହାର କରିବା ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି ଏବଂ ପ୍ରାଣୀ ସଫାରି ଉପରେ କଟକଣା ଲଗାଇଛନ୍ତି।

ଜାତୀୟ ଉଦ୍ୟାନ ଭିତରକୁ ପ୍ରତି ଦିନ ସର୍ବାଧିକ ଶହେଟି ଜିପ୍‌ସି ପ୍ରବେଶ କରିପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶର ପ୍ରଭାବ ଅନ୍ୟ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ରରେ ପଡ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶା କରିଛନ୍ତି।

୧୯୩୬ ମସିହାରେ ପ୍ରତିଷ୍ଠିତ ଜିମ୍‌ କର୍ବେଟ ଜାତୀୟ ଉଦ୍ୟାନରେ ହାତୀ ଉପରେ ବସି ବୁଲିବା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଥିଲା। ଏହାଦ୍ୱାରା ବିଭିନ୍ନ ସମୟରେ ହାତୀମାନେ ଆହତ ହେଉଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉନାହିଁ ବୋଲି ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଆସୁଥିଲା।

୨୦୧୨ ମସିହାରେ ହିମାଲୟାନ ଯୁବ ଗ୍ରାମୀଣ ବିକାଶ ସଂସ୍ଥା ନାମକ ରାମନଗରର ଏକ ବେସରକାରୀ ସଂଗଠନ ପକ୍ଷରୁ ଏ ସଂପର୍କରେ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଥିଲା। ଏଥିରେ ପରିବେଶ ସଂରକ୍ଷଣ ସହିତ ହାତୀ ଓ ଅନ୍ୟ ଜୀବଜନ୍ତୁମାନଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିଷେଧାଦେଶ ଜାରି କରିଛନ୍ତି।

ଡେରାଡୁନର ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମଧ୍ୟ ସଫାରୀ ଉପରେ କଟକଣା ଜାରି କରିଛନ୍ତି ହାଇକୋର୍ଟ। ଡେରାଡୁନ୍‌ ଶିବାଲିକର ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ମୋତିଚୁର ଏବଂ ଚିଲ୍ଲାର ଅଭୟାରଣ୍ୟକୁ ମିଶାଇ ୧୯୮୩ ମସିହାରେ ରାଜାଜୀ ଜାତୀୟ ଉଦ୍ୟାନ ଗଠନ କରାଯାଇଥିଲା। ଏଠାରେ ବାଘ, ଚିତାବାଘ, ବିଭିନ୍ନ ପ୍ରଜାତିର ହରିଣ, ଭାଲୁ ଓ ଅଜଗର ସାପ ଭଳି ବହୁ ଜୀବଜନ୍ତୁ ରହିଛନ୍ତି। ଏହି ଅଞ୍ଚଳରେ ମନଇଚ୍ଛା ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ସହିତ କେବଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅନୁମତି ପାଇଥିବା ବେସରକାରୀ ଯାନବାହନ ଜାତୀୟ ଉଦ୍ୟାନ ଅଞ୍ଚଳକୁ ଯାଇପାରିବେ ବୋଲି କହିଛନ୍ତି। ପୂର୍ବରୁ ଏହି ଉଦ୍ୟାନ ଅଞ୍ଚଳକୁ ଦୈନିକ ଦୁଇଶହ ଜିପ୍‌ସି ଯାଉଥିଲା। ଏବେ ଏହାକୁ ଶହେ ମଧ୍ୟରେ ସୀମିତ ରଖିବାକୁ କୋର୍ଟ କହିଛନ୍ତି। ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ଜୀବନଧାରାରେ ବ୍ୟାଘାତ ସୃଷ୍ଟି ନ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧୯୭୨ ମସିହାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ୧୯୬୦ ମସିହାର ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତାର ପ୍ରତିରୋଧ ଆଇନ ବଳରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୋଷା ହାତୀମାନଙ୍କୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରାଯିବା ଏବଂ ଜଙ୍ଗଲ ଭିତରକୁ ବହୁସଂଖ୍ୟକ ଗାଡ଼ିମଟର ଯିବା ଦ୍ୱାରା ଏହି ଦୁଇଟି ଆଇନର ଖିଲାପ କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ହାତୀ ଉପରେ ଚଢ଼ି ଜିମ୍‍ କର୍ବେଟ୍‌ ଜାତୀୟ ଉଦ୍ୟାନର ଜଙ୍ଗଲ ଭିତରେ ବୁଲିବା ଉଦ୍ଦେଶ୍ୟରେ ଯାଉଥିବା ପର୍ଯ୍ୟଟକମାନଙ୍କୁ ନିରାଶ ହେବାକୁ ପଡ଼ିବ।

Comment