ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଜଣେ ପପୁଲାର ଅଭିନେତା ହେଲେ ନାନା ପାଟେକର ସେ ନିଜର ଡାଏଲଗ୍ ଡେଲିଭରି ଶୈଳି ପାଇଁ ବେଶ୍‍ ଚର୍ଚ୍ଚିତ ଆସନ୍ତୁ ଜାଣିବା ନାନା ପାଟେକରଙ୍କ ବିଷୟରେ କିଛି ଜଣାଅଜଣା କଥା

‘ଅଙ୍କୁଶ’ ଫିଲ୍ମରେ ଅଭିନୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଅଭିନେତା ନାନା ପାଟେକର୍। ଏହାପରେ ସେ ୭୦ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି।

ମଲ୍ଟିଷ୍ଟାରର ଫିଲ୍ମକୁ ଭୟ କରନ୍ତି ନାହିଁ ନାନା ପାଟେକର

ନାନା ପାଟେକର ଏମିତି ଜଣେ ଅଭିନେତା ଯିଏ ଆଦୌ ମଲ୍ଟିଷ୍ଟାରର ଫିଲ୍ମକୁ ଭୟ କରନ୍ତି ନାହିଁ। ନିଜର ରୋଲ୍ ପସନ୍ଦ ହେଲେ ବା ମନପସନ୍ଦ ନିର୍ଦ୍ଦେଶକ ଥିଲେ ସେ ସହଜରେ ରାଜି ହୋଇଥାନ୍ତି। ଏଥିପାଇଁ ନାନା ପାଟେକର ରାଜକୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍, ଅଜୟ ଦେବଗନ୍, ରଜନୀକାନ୍ତ, ଜ୍ୟାକିଶ୍ରଫ୍, ଅନିଲ କପୁର, ଅକ୍ଷୟ କୁମାରଙ୍କ ସମେତ ଅଧିକାଂଶ ନାମୀଦାମୀ କଳାକାରଙ୍କ ସହ କାମ କରିଛନ୍ତି।

ନାନା ପାଟେକରଙ୍କ ପ୍ରେମ କାହାଣୀ

ଅଭିନେତା ନାନା ପାଟେକର ଯେ ପ୍ରେମରେ ପଡ଼ିନାହାନ୍ତି ବା ତାଙ୍କର ହିରୋଇନମାନଙ୍କ ସହ ଆଫେଆରର ଚର୍ଚ୍ଚା ହୋଇନାହିଁ, ତାହା ଭାବିବା ଭୁଲ୍।

ନାନା ଏକଦା ନାୟିକା ଆୟେଶା ଜୁଲକାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ସେତେବେଳେ ଉଭୟଙ୍କର ହଟ୍ ଫଟୋ ମଧ୍ୟ ବିଭିନ୍ନ ମାଗାଜିନରେ ପ୍ରକାଶିତ ହୋଇଥିଲା।

ଠିକ୍ ସେହିପରି ଦକ୍ଷ ଅଭିନେତ୍ରୀ ତବୁଙ୍କ ସହ ନାନାଙ୍କର ଆଫେଆର୍ ବି ଏକ ସମୟରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ନାନା ଓ ତବୁ ଏକାଠି ‘କୋହରାମ’ ଫିଲ୍ମରେ କାମ କରିବା ବେଳେ ପ୍ରେମରେ ପଡ଼ିଥିଲେ।

ମହାରାଷ୍ଟ୍ରର କୃଷକମାନଙ୍କ ପାଇଁ ନାନା ପାଟେକରଙ୍କ ଅବଦାନ

ମହାରାଷ୍ଟ୍ରର କୃଷକମାନଙ୍କ ପାଇଁ ନାନା ପାଟେକରଙ୍କର ଅନେକ ଅବଦାନ ରହିଛି। ନିଜର ରୋଜଗାରର ବଡ ଅଂଶ ନାନା ପାଟେକର କୃଷକଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରନ୍ତି। ଏବେ ବି ସାଧାରଣ ଜୀବନ ବିତାଉଛନ୍ତି ନାନା ପାଟେକର।

ହସ୍ପିଟାଲ ବେଡରୁ ଆସି ସୁଟିଂ କରିଥିଲେ ‘କ୍ରାନ୍ତିବୀରସିନେମାରେ

ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ କ୍ୟାରିଅରର ଏକ ମାଇଲଖୁଣ୍ଟ ଥିଲା ‘କ୍ରାନ୍ତିବୀର’ ସିନେମା। ଏହା ୧୯୯୪ ମସିହା ଜୁଲାଇ ୨୨ ତାରିଖରେ ରିଲିଜ୍ ହୋଇଥିଲା। ଏହାର ନିର୍ମାତା ତଥା ନିର୍ଦ୍ଦେଶକ ହେଲେ ମେହୁଲ କୁମାର।

‘କ୍ରାନ୍ତିବୀର’ରେ ନାନା ପାଟେକରଙ୍କ ସହିତ ଡିମ୍ପଲ କାପାଡିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଉଚ୍ଚକୋଟିର ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ ନାନା ପାଟେକର।

୧୯୯୪ର ଏକ ସୁପରହିଟ୍ ଫିଲ୍ମ ଥିଲା ‘କ୍ରାନ୍ତିବୀର’। ହେଲେ ଆପଣ ଜାଣନ୍ତି କି ଏହି ସିନେମାର କ୍ଲାଇମାକ୍ସ ସିନର ସୁଟିଂ ପୂର୍ବରୁ ଅଭିନେତା ନାନା ପାଟେକର୍ କୌଣସି ପ୍ରସ୍ତୁତି କରିନଥିଲେ।

‘କ୍ରାନ୍ତିବୀର’ର କ୍ଲାଇମାକ୍ସ ଦୃଶ୍ୟର ସୁଟିଂର କିଛିଦିନ ଆଗରୁ ନାନା ପାଟେକର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ସୁଟିଂ ତାରିଖ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା।

ନିର୍ଦ୍ଦେଶକ ମେହୁଲ କୁମାର ଶିବାଜୀ ମଇଦାନରେ ୩ ହଜାର ଜୁନିଅର ଆର୍ଟିଷ୍ଟକୁ ଏକାଠି କରାଇଥିଲେ। ମେହୁଲ କୁମାର ହସ୍ପିଟାଲ ଯାଇ ନାନାଙ୍କୁ ସାଙ୍ଗରେ ଆଣିଥିଲେ। ରାସ୍ତାରେ ସିନ୍ ସମ୍ପର୍କରେ ବୁଝାଇ ଥିଲେ ଓ ସଂଳାପ ବି ପଢ଼ାଇଥିଲେ।

ତଥାପି ଅସୁସ୍ଥତା ହେତୁ ନାନା ପାଟେକର କୌଣସି ପ୍ରକାରର ପ୍ରସ୍ତୁତି କରିପାରିନଥିଲେ। ସେ କି ସଂଳାପ କହିବେ ଓ କି ଅଭିନୟ କରିବେ ନିଜେ ବି ଜାଣିନଥିଲେ। ଏଣୁ ସେ ନିର୍ଦ୍ଦେଶକଙ୍କୁ ପାଞ୍ଚଟି କ୍ୟାମେରା ଲଗାଇ ସୁଟିଂ ପାଇଁ ନିର୍ଦ୍ଦେଶ ଦେଲେ। ଆଉ ସବୁଠୁ ମଜା କଥା ହେଉଛି ଯେ ଗୋଟିଏ ଟେକରେ ନାନା ପାଟେକରଙ୍କ ଉପରେ ଥିବା କ୍ଲାଇମାକ୍ସ ସିନ୍ ସୁଟ୍ କରାଯାଇଥିଲା।

Comment