ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏଣିକି ଆଧାର କାର୍ଡଧାରୀଙ୍କ ବାୟୋମେଟ୍ରିକ୍‌ ତଥ୍ୟରେ ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସର ପରଦା ସଂପର୍କିତ ତଥ୍ୟ ସହ କାର୍ଡଧାରୀଙ୍କ ମୁହଁ ସଂପର୍କିତ ତଥ୍ୟ ରଖିବାକୁ ସ୍ଥିର କରିଛନ୍ତି ଆଧାର କାର୍ଡ କର୍ତ୍ତୃପକ୍ଷ, ୟୁନିକ୍‌ ଆଇଡେଣ୍ଟିଟି ଅଥରିଟି ଅଫ୍‌ ଇଣ୍ଡିଆ

ମୁହଁ ଚିହ୍ନିବା ପାଇଁ ତଥ୍ୟ ରଖିବେ ଆଧାର କର୍ତ୍ତୃପକ୍ଷ

ଆଧାର କାର୍ଡ ସଂପର୍କିତ ତଥ୍ୟର ଦୁରୁପଯୋଗ ରୋକିବା ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରାଯାଉଛି। ଏହି କ୍ରମରେ ଏଣିକି କାର୍ଡଧାରୀଙ୍କ ବାୟୋମେଟ୍ରିକ୍‌ ତଥ୍ୟରେ ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସ୍‌ ବା ଆଖିଡୋଳାର ପରଦା ସଂପର୍କିତ ତଥ୍ୟ ସହିତ କାର୍ଡଧାରୀଙ୍କ ମୁହଁ ସଂପର୍କିତ ତଥ୍ୟ ରଖିବାକୁ ସ୍ଥିର କରିଛନ୍ତି ଆଧାର କାର୍ଡ କର୍ତ୍ତୃପକ୍ଷ, ୟୁନିକ୍‌ ଆଇଡେଣ୍ଟିଟି ଅଥରିଟି ଅଫ୍‌ ଇଣ୍ଡିଆ। ବିଶେଷତଃ ଆଧାର କାର୍ଡ ବଳରେ ମୋବାଇଲ ସିମ୍‌ ଜାରି କରାଯିବା ବେଳେ ଏହି ବ୍ୟବସ୍ଥା କାମରେ ଲାଗିବ।

ସେପ୍‌ଟେମ୍ବର ୧୫ ତାରିଖରୁ ପର୍ଯ୍ୟାୟକ୍ରମେ ସମସ୍ତ ଆଧାର କାର୍ଡଧାରୀଙ୍କ ମୁହଁ ସଂପର୍କିତ ତଥ୍ୟ ରଖାଯିବ ବୋଲି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କୌଣସି ଆଧାର କାର୍ଡଧାରୀଙ୍କ ମୁହଁର ବୈଶିଷ୍ଟ୍ୟରୁ ତାଙ୍କର ପ୍ରକୃତ ପରିଚୟ ମିଳିପାରିବ।

ଏକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା

ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ଜାରି କରିବା ପାଇଁ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ବାୟୋମେଟ୍ରିକ୍‌ ତଥ୍ୟ ରଖାଯାଉଥିଲା। ବ୍ୟକ୍ତିଗତ ତଥ୍ୟରେ ନାଁ, ଜନ୍ମ ତାରିଖ ଏବଂ ଠିକଣା ପ୍ରଭୃତି ତଥ୍ୟ ରଖାଯାଉଥିବା ବେଳେ ବାୟୋମେଟ୍ରିକ୍‌ ତଥ୍ୟରେ ବ୍ୟକ୍ତିଙ୍କର ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସ୍‌ ସଂପର୍କିତ ତଥ୍ୟ ରଖାଯାଉଥିଲା।

ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ବ୍ୟକ୍ତିଙ୍କ ମୁହଁର ବୈଶିଷ୍ଟ୍ୟ ସଂପର୍କିତ ତଥ୍ୟ ରଖାଯିବ। କୌଣସି ବ୍ୟକ୍ତିଙ୍କ ମୁହଁରୁ ହିଁ ତାଙ୍କ ଆଧାର କାର୍ଡର ବୈଧତା ସଂପର୍କରେ ପ୍ରମାଣ ମିଳିପାରିବ। ଆଙ୍ଗୁଠି ଛାପ ଏବଂ ଆଇରିସ୍‌ ତଥ୍ୟ ସହିତ ଏହି ଅତିରିକ୍ତ ବାୟୋମେଟ୍ରିକ୍‌ ତଥ୍ୟ ଦ୍ୱାରା ଆଧାର କାର୍ଡ ଜାଲିଆତିକୁ ରୋକାଯାଇ ପାରିବ ।

ଆଧାର କାର୍ଡ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁସାରେ କୌଣସି ବ୍ୟକ୍ତିଙ୍କ ଆଧାର କାର୍ଡ ତଥ୍ୟ ଯାଞ୍ଚ ବ୍ୟବସ୍ଥାକୁ ଦୁଇଟି ଉପାୟରେ କରାଯାଇପାରିବ। କୌଣସି ବ୍ୟକ୍ତି ଆଧାର କାର୍ଡ ନମ୍ବର ଦେଉଥିଲେ ତାଙ୍କର ଆଙ୍ଗୁଠି ଛାପ ଓ ଆଇରିସ୍‌ ସହିତ ମୁହଁ ମିଳାଇ ଦେଖାଯିବ। କିନ୍ତୁ ଭର୍ଚୁଆଲ୍‌ ନମ୍ବର କ୍ଷେତ୍ରରେ କେବଳ ଆଙ୍ଗୁଠି ଛାପ ଏବଂ ଆଇରିସ୍‌ ତଥ୍ୟରୁ ବ୍ୟକ୍ତିଙ୍କ ପରିଚୟ ମିଳିପାରିବ। ମୁହଁ ଚିହ୍ନିବା ବ୍ୟବସ୍ଥା ଏକ ଅତିରିକ୍ତ ଉପାୟ ଭାବେ କାମ କରିବ ଏବଂ ଆଙ୍ଗୁଠି ଛାପ ଏବଂ ଆଇରିସ୍‌ ତଥ୍ୟ ଦେବାରେ ଅକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ବେଶ ଉପଯୋଗୀ ହେବ।

କାହିଁକି ଏ ଅତିରିକ୍ତ ବ୍ୟବସ୍ଥା

ବିଶେଷତଃ ଆଧାର ନମ୍ବରକୁ ପ୍ରମାଣ ରୂପେ ଦର୍ଶାଇ ମୋବାଇଲ ସିମ୍‌ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଗତ ଜୁନ୍‌ ମାସରେ ହାଇଦ୍ରାବାଦରେ ମୋବାଇଲ ସିମ୍‌ ପ୍ରଦାନରେ ବ୍ୟାପକ ଜାଲିଆତି ହୋଇଥିବା ଜଣାପଡ଼ିଥିଲା।

ଆଧାର କାର୍ଡ ତଥ୍ୟରେ ହେରଫେର କରି ଜଣେ ମୋବାଇଲ ସିମ୍‌ ବିତରକ ହଜାର ହଜାର ସିମ୍‌ କାର୍ଡ ପ୍ରଦାନ କରିଥିଲେ। ଏହି ଘଟଣାରେ ଆଙ୍ଗୁଠି ଛାପର ମଧ୍ୟ ଜାଲିଆତି କରାଯାଇଥିବା ନଜରକୁ ଆସିଥିଲା। ଆଙ୍ଗୁଠି ଛାପ ଜାଲିଆତି କଥା ପଦାକୁ ଆସିଲା ପରେ ଆଧାର କାର୍ଡ ତଥ୍ୟ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥିର କରାଯାଇଥିଲା।

ମୁହଁ ଚିହ୍ନଟ ପରେ ମିଳିବ ସିମ୍‌

ଏହି ବ୍ୟବସ୍ଥା ଗ୍ରହଣ କରାଯିବା ପରେ ମୋବାଇଲ ସିମ୍‌ ନେବାକୁ କେବଳ ଆଧାର କାର୍ଡ ଦେଉଥିବା ବ୍ୟକ୍ତିଙ୍କ ମୁହଁର ଫଟୋସହ ତାଙ୍କ ଆଧାର କାର୍ଡରେ ଥିବା ମୁହଁ ସଂପର୍କିତ ତଥ୍ୟକୁ ମେଳ କରାଯିବ। ମୋବାଇଲ ସିମ୍‌ ପ୍ରଦାନକାରୀ ସଂସ୍ଥା ସିଧାସଳଖବ୍ୟକ୍ତିଙ୍କ ମୁହଁରଫଟୋ ନେଇ ଏହାକୁ ମେଳ କରିପାରିବେ।

ପୂର୍ବରୁ ଥିବା ଫଟୋ ଏବଂ ସିମ୍‌ କାର୍ଡ ପ୍ରଦାନ ପାଇଁ ନିଆଯାଉଥିବା ଫଟୋକୁ ଟେଲିକମ୍‌ ସେବା ସଂସ୍ଥା ସଂରକ୍ଷଣ କରିବେ। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ ଲଗାଇବା ଦିଗରେ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା କରିବା ପାଇଁ ସମସ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ଆଧାର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଆଧାର କାର୍ଡ ବ୍ୟତୀତ ଅନ୍ୟ ଦସ୍ତାବିଜ୍‌ ଆଧାରରେ ମୋବାଇଲ ସିମ୍‌ ପ୍ରଦାନ କ୍ଷେତ୍ରରେ ଏହାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି ।

ଏହି ନୂତନ ବ୍ୟବସ୍ଥାକୁ ଅଗଷ୍ଟ ପହିଲାରୁ ଲାଗୁ କରିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଫଟୋ ଉଠାଇ ମେଳ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ମିଳିବାରେ ବିଳମ୍ବ ହେତୁ ସେପ୍‌ଟେମ୍ବର ୧୫ରୁ ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ।

Comment