ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱରରେ ସିପେଟ୍ ପକ୍ଷରୁ ଥିବା ‘ସେଣ୍ଟର ଫର୍ ସ୍କିଲିଂ ଆଣ୍ଡ ଟେକ୍ନିକାଲ୍ ସପୋର୍ଟ’ (ସିଏସଟିଏସ୍) କେନ୍ଦ୍ରରେ ମାଗଣାରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପାଇଁ ଘୋଷଣା କରାଯାଇଛି। ‘ଆଡଭାନ୍ସ ଅପରେସନାଲ୍ ଟେକ୍ନିକ୍ସ ଅନ୍ ବ୍ଲୋ ଆଣ୍ଡ୍ ରୋଟୋ ମୋଲଡିଂ ମେସିନ୍’ – ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନଙ୍କଠାରୁ ଆବେଦନ ଗ୍ରହଣ କରାଯାଇଛି।

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ସୁନାବେଡାଠାରେ ପ୍ରତିଷ୍ଠିତ ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ କର୍ପୋରେଟ୍ ସୋସିଆଲ ରେସପନସିବିଲିଟି କାର୍ଯ୍ୟକ୍ରମ ଅଧୀନରେ ଏହି ତାଲିମ୍ ସମ୍ପୂର୍ଣ୍ଣ ମାଗଣାରେ ବ୍ୟବସ୍ଥା କରାଯାଉଛି।

ଏହି ତାଲିମ କାର୍ଯ୍ୟକ୍ରମର ସମୟ ସୀମା ୬ ମାସ ରହିଛି। ଏହି ବ୍ୟାଚରେ ୩୦ ଜଣଙ୍କୁ ତାଲିମ ଦିଆଯିବ। ୩ ସେପ୍ଟେମ୍ବର ୨୦୧୮ ସୁଦ୍ଧା ପ୍ରାର୍ଥୀମାନଙ୍କ ବୟସ ସର୍ବନିମ୍ନ ୧୮ ଏବଂ ସର୍ବାଧିକ ୩୦ ହୋଇଥିବା  ଆବଶ୍ୟକ।

ଏହି ତାଲିମ୍ ପାଇଁ ହାଲ୍ ପକ୍ଷରୁ ମାସିକ ୫୦୦ ଟଙ୍କା ହିସାବରେ ୬ ମାସ ପାଇଁ ୩୦୦୦ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଏହାଛଡା ତାଲିମଧାରୀଙ୍କ ରହିବା ଏବଂ ଖାଇବା ଖର୍ଚ୍ଚ ମଧ୍ୟ ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ୍ ବହନ କରିବ।

ସଫଳତାର ସହ ଏହି ତାଲିମ୍‌ରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଦକ୍ଷତାଭିତ୍ତିକ ନିଯୁକ୍ତି ପାଇଁ ସିପେଟ୍‌ ବାଲେଶ୍ୱର ପକ୍ଷରୁ ସହଯୋଗ ଦିଆଯିବ ବୋଲି ହାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ମାଗଣା ତାଲିମ୍ ପାଇଁ ଆବେଦନର ଶେଷ ତାରିଖ ୩ ସେପ୍ଟେମ୍ବର ୨୦୧୮ ସନ୍ଧ୍ୟା ୫ଟା ରଖାଯାଇଛି। ସେହିପରି ୬ ସେପ୍ଟେମ୍ବର ସକାଳ ୧୦ଟାରେ ସାକ୍ଷାତକାର ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସାକ୍ଷାତକାର  ପାଇଁ ସ୍ଥାନ ହେଉଛି ଟ୍ରେନିଂ ଆଣ୍ଡ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍, ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ୍, ସୁନାବେଡା (କୋରାପୁଟ୍)।

ଯୋଗ୍ୟ ପ୍ରାର୍ଥୀ ବାଛିବା ବେଳେ ହାଲ୍‌ ସୁନାବେଡାର ପାରିପାର୍ଶ୍ୱିକ ଅଞ୍ଚଳର ବେକାର ଯୁବକ/ଯୁବତୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ସେପ୍ଟେମ୍ବର ୧୨ ତାରିଖରୁ ସିପେଟ୍ ବାଲେଶ୍ୱରଠାରେ ଏହି ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ହାଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ୮୯୮୪୦୦୧୦୪୦, ୮୯୮୪୦୦୧୦୫୦, ୮୯୮୪୦୦୧୦୨୦, ୬୩୭୦୨୦୯୧୭୭ ନମ୍ବରରେ ଯୋଗାଯୋଗ କରିପାରିବେ।

Comment