ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅପକମିଂ ବଲିଉଡ ମୁଭି ‘ବତି ଗୁଲ୍‌ ମିଟର ଚାଲୁ’ ବିଷୟରେ କିଛି ରୋଚକ କଥା ଆସନ୍ତୁ ଜାଣିବା

ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍‌ କପୁର ଏବେ ଏକ ନୂଆ ହିନ୍ଦୀ ସିନେମାରେ ଆସୁଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ବତି ଗୁଲ୍‌ ମିଟର୍‌ ଚାଲୁ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ନାରାୟଣ ସିଂହ, ଯିଏକି ପୂର୍ବରୁ ସାମାଜିକ ସମସ୍ୟା ସମ୍ବଳିତ ସିନେମା ‘ଟଏଲେଟ୍‌-ଏକ ପ୍ରେମ କଥା’ର ନିର୍ମାଣ କରିଥିଲେ।

‘ବତି ଗୁଲ୍‌ ମିଟର ଚାଲୁ’ ଆଗାମୀ ସେପ୍ଟେମ୍ବର ୧୪ ତାରିଖରେ ରିଲିଜ୍‌ ହେଉଛି। ଏହି ସିନେମାର କାହାଣୀ ଅନୁଯାୟୀ ଶାହିଦ୍‌ କପୁର ଜଣେ ସାଧାରଣ ଯୁବକ। ସେ ତାଙ୍କ ଘରର ବିଦ୍ୟୁତ୍‌ ବିଲ୍‌ବକୁ ନେଇ ଚିନ୍ତାରେ। ତାଙ୍କ ପାଖକୁ ମୋଟା ଅଙ୍କର ବିଦ୍ୟୁତ୍‌ ବିଲ୍‌ ଆସେ। ସେ ଏହାକୁ ଠିକ୍‌ କରିବା ଲାଗି କେତେବେଳେ ବିଦ୍ୟୁତ୍‌ ଅଫିସ୍‌ ଧାଉଁଛନ୍ତି ତ ପୁଣି କେତେବେଳେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଶେଷରେ ତାଙ୍କୁ ନ୍ୟାୟ ମିଳୁଛି କି ନାହିଁ, ତାହା ଦେଖିବାକୁ ମିଳିବ ‘ବତ୍ତିଗୁଲ୍‌ ମିଟର ଚାଲୁ’ର କ୍ଲାଇମାକ୍ସରେ।

ପତ୍ନୀଙ୍କ କଥାରେ ରାଜି ହୋଇଥିଲେ ଶାହିଦ୍

ନିର୍ଦ୍ଦେଶକ ନାରାୟଣ ସିଂହ ପ୍ରଥମେ ଶାହିଦ୍‌ କପୁରଙ୍କୁ ଫିଲ୍ମର କାହାଣୀ ଶୁଣାଇଥିଲେ। ସେତେବେଳେ ତାହା ତାଙ୍କ ମନକୁ ପାଇନଥିଲା। ଏଣୁ ଶାହିଦ୍ ମନା କରି ଦେଇଥିଲେ। ପରେ ଶାହିଦ୍‌ ତାଙ୍କ ପତ୍ନୀ ମୀରା ରାଜପୁତଙ୍କୁ ‘ବତି ଗୁଲ୍‌ ମିଟର ଚାଲୁ’ର କାହାଣୀ ଶୁଣାଇଥିଲେ। ମୀରାଙ୍କୁ କିନ୍ତୁ ଏହାର କାହାଣୀ ଖୁବ୍‌ ପସନ୍ଦ ହୋଇଥିଲା। ସେ ଶାହିଦ୍‌ଙ୍କୁ ସେହି ସିନେମାରେ କାମ କରିବାକୁ ପରାମର୍ଶ ଦେଇଥିଲେ। ତା’ପରେ ଶାହିଦ୍‌ କପୁର ନିର୍ଦ୍ଦେଶକଙ୍କୁ ଡକାଇ ଫିଲ୍ମଟି ସାଇନ୍‌ କରିଥିଲେ।

‘ବତି ଗୁଲ୍‌ ମିଟର ଚାଲୁ’ରେ ଶାହିଦ୍‌ କପୁରଙ୍କ ସହ ଦୁଇ ଜଣ ନାୟିକା ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ଶ୍ରଦ୍ଧା କପୁର ଓ ଆଉ ଜଣକ ୟାମୀ ଗୌତମ୍‌। ଶାହିଦ୍‌ ‘ହାଇଦର୍’ରେ ଶ୍ରଦ୍ଧାଙ୍କ ସହ କାମ କରିଥିଲେ, ହେଲେ ୟାମୀଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିବେ ଏଥିରେ। ୟାମୀଙ୍କୁ ଜଣେ ଆଇନଜୀବୀ ଭୂମିକାରେ ଦେଖିବାକୁ ମିଳିବ ଏହି ସିନେମାରେ।

ଚର୍ଚ୍ଚାରେ ଶାହିଦ୍‌-କିଆରାଙ୍କ ଉର୍ବଶୀଉର୍ବଶୀ ଡ୍ୟାନ୍ସ

‘ବତ୍ତି ଗୁଲ୍‌ ମିଟର ଚାଲୁ’ ସିନେମାରେ ଶାହିଦ୍‌ କପୁରଙ୍କ ସହିତ ଜଣେ ନାୟିକାଙ୍କର ଏକ ଜବରଦସ୍ତ ଆଇଟମ୍‌ ଡ୍ୟାନ୍ସ ରହିଛି, ଯାହା ଏବେ ବେଶ୍‍ ଚର୍ଚ୍ଚାରେ ରହିଛି। ଏହି ଗୀତଟି ଏକ ପୁରୁଣା ହିନ୍ଦୀ ସିନେମାର।

୧୯୯୪ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଧାଲନ୍‌’ର ନାଆଁ ହୁଏତ ଆପଣ ଭୁଲିଯିବେଣି, କିନ୍ତୁ ଏଥିରେ ଥିବା ଏକ ଗୀତ ଆଜିବି ମନେ ଥିବ। ଏହି ଗୀତଟି ହେଲା ଉର୍ବଶୀ ଉର୍ବଶୀ…। ଏହି ଗୀତରେ ପ୍ରଭୁଦେବାଙ୍କ ଡ୍ୟାନ୍ସ ଦର୍ଶକଙ୍କ ମନକୁ ବେଶ୍‍ ପସନ୍ଦ ଆସିଥିଲା।

ଏବେ ଏହି ଗୀତର ନୂଆ ଭର୍ସନ ରହିଛି ଫିଲ୍ମରେ। ଏ.ଆର୍. ରେହମାନ୍‌ଙ୍କ ସ୍ୱର ସଂଯୋଜିତ ‘ଉର୍ବଶୀ ଉର୍ବଶୀ…’ ଗୀତରେ କଣ୍ଠଦାନ କରିଥିଲେ ନିଜେ ଏ.ଆର୍‌ ରେହମାନ୍‌, ଶଙ୍କର ମହାଦେବନ୍‌ ଓ ନୋଏଲ୍‌ ଜେମ୍‌ସ। ହେଲେ ଏହାର ନୂଆ ଭର୍ସନଟି ଗାଇଛନ୍ତି ହନି ସିଂ। ସେ ଏହାର ଗୀତିକାର ମଧ୍ୟ।

‘ବତି ଗୁଲ୍‌ ମିଟର୍‌ ଚାଲୁ’ରେ ଥିବା ଏହି ଗୀତଟିରେ କିନ୍ତୁ ଉର୍ବଶୀ ଉର୍ବଶୀ ପୂର୍ବ ଭଳି ରହିଛି। ଏହି ହୁକ୍‌ ଲାଇନ୍‌ ଯୋଗୁଁ ହିଁ ଗୀତଟି ସୁପରହିଟ୍‌ ହୋଇଥିଲା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ଗୀତ ଦୃଶ୍ୟରେ ଶାହିଦ୍‌ କପୁରଙ୍କ ସହ ଫିଲ୍ମରେ ଅଭିନୟ କରୁଥିବା ଦୁଇନାମୀ ନାୟିକା ୟାମୀ ଗୌତମ୍‌ ବା ଶ୍ରଦ୍ଧା କପୁରଙ୍କ ଭିତରୁ କାହାରିକୁ ଦେଖିବାକୁ ମିଳିବ ନାହିଁ। ଶାହିଦଙ୍କ ସହ ଏଥିରେ ନୃତ୍ୟ କରିଛନ୍ତି କିଆରା ଆଡଭାନୀ।

କିଆରା ବେଶ୍‌ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଏହି ଗୀତକୁ ନେଇ କିଆରା ଖୁବ୍‌ ଉତ୍ସାହିତ ଅଛନ୍ତି। କୁହାଯାଉଛି ଯେ ଏହି ଗୀତଟି ଫିଲ୍ମର ୟୁ.ଏସ୍‌.ପି ହେବ। ‘ବତି ଗୁଲ୍‌ ମିଟର ଚାଲୁ’ ‘ଟଏଲେଟ୍‌- ଏକ ପ୍ରେମ କଥା’ ଭଳି ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି କି ନା ତାହା ଦେଖିବାକୁ ବାକି ରହିଲା।

Comment