କପିଳାସ ଭୂୟାଁ

ରାଜଧାନୀ ରାସ୍ତାରେ ଅନ୍ୟ ଏକ ମୁଖ୍ୟ ଟ୍ରାଫିକ ଦୌରାତ୍ମ୍ୟ ହେଉଛି ବିକଟାଳ ଶବ୍ଦ କରୁଥିବା ପାୱାର ହର୍ଣ୍ଣ ବ୍ୟବହାର ଓ ବିନା କାରଣରେ ଲଗାତାର ହର୍ଣ୍ଣ ବଜାଇବା। ବିଶେଷକରି ଯୁବ ଗୋଷ୍ଠୀ ମୋଟର ସାଇକେଲ ଚଳାଇ ଗଲାବେଳେ ନିଜ ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଲାଗି ଓ ଅନ୍ୟ ଚାଳକମାନଙ୍କୁ ଆତଙ୍କିତ କରି ରାସ୍ତାରୁ ହଟିବା ପାଇଁ ପାୱାର ହର୍ଣ୍ଣ ବଜାଇ ବିକଟାଳ ଶବ୍ଦ କରିଥାନ୍ତି। ଶବ୍ଦ ପ୍ରଦୂଷଣ ବ୍ୟତୀତ ଏହି ଶବ୍ଦ ଅନ୍ୟମାନଙ୍କର ହୃତକମ୍ପର କାରଣ ହୋଇଥାଏ। ପାୱାର ହର୍ଣ୍ଣ ବ୍ୟବହାର ନିଷିଦ୍ଧ ହୋଇଥିଲେ ବି ନିୟମ କାନୁନକୁ ତୁଚ୍ଛ ମନେକରି କେତେକ ଯୁବଗୋଷ୍ଠୀ ରାସ୍ତାରେ ଅନ୍ୟମାନଙ୍କୁ ଆତଙ୍କିତ କରି ତା’ର ମଜା ନିଅନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ।

ଟ୍ରାଫିକ ପୋଲିସ ଏହି ସମସ୍ୟାଟିର ନିରାକରଣ କରିବା ପାଇଁ କ’ଣ କିଛି ବାଟ ନାହିଁ ?

ଅବଶ୍ୟ ଅଯଥା ହର୍ଣ୍ଣ ବ୍ୟବହାର କରିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ କରିବା ତଥା ରାସ୍ତାରୁ ଯାତ୍ରୀ ଉଠାଇବା ପାଇଁ ସବୁ ଟ୍ରାଫିକ ନିୟମକୁ ଅହରହ ଭାଙ୍ଗୁଥିବା ଅଟୋରିକ୍ସା ଗୁଡ଼ିକର ସଂଖ୍ୟା ଏବେ ରାଜଧାନୀ ରାସ୍ତାରେ ବହୁ ମାତ୍ରାରେ ବଢି ଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ଵରକୁ ଶବ୍ଦ ଓ ବାୟୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ଏକ ଜରୁରୀ ଆବଶ୍ୟକତା ନୁହେଁ କି? ସେଥିପାଇଁ ହୁଏତ କର୍ତ୍ତୃପକ୍ଷଙ୍କ ତରଫରୁ ରାଜଧାନୀରେ ଆଉ ନୂଆ ଅଟୋରିକ୍ସା ଚଳାଇବାକୁ ଅନୁମତି ଦିଆଯାଉ ନାହିଁ। ପୁଣି ଅଟୋରିକ୍ସା ଚାଳକମାନଙ୍କର ଜୀବନ ଜୀବିକା ଏଥି ସହ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ରାସ୍ତାରୁ ସଂପୂର୍ଣ୍ଣ ହଟାଇ ଦିଆଯାଇ ପାରିବ ନାହିଁ।

କିନ୍ତୁ ଯେଉଁ ବ୍ୟକ୍ତିମାନେ ଏକାଧିକ ଅଟୋରିକ୍ସା କିଣି ସେଗୁଡ଼ିକୁ ଭଡ଼ାରେ ଲଗାଉଛନ୍ତି ସେମାନଙ୍କ ଉପରେ ତ ଲଗାମ ଲଗାଯାଇ ପାରିବ ନା! ଅର୍ଥାତ ଉପଯୁକ୍ତ ଲାଇସେନ୍ସ ଥିବା ଓ ନିଜ ନିଜର ଅଟୋରିକ୍ସା ଥିବା ଚାଳକମାନେ କେବଳ ରାଜଧାନୀରେ ସେମାନଙ୍କ ଅଟୋରିକ୍ସା ଚଳାଇ ପାରିବେ ବୋଲି ନିୟମ କରାଗଲେ ଏହି ସମସ୍ୟାଟିର ଅର୍ଦ୍ଧାଧିକ ସମାଧାନ ହୋଇଯାଇ ପାରିବ ବୋଲି ଆଶା କରାଯାଇପାରେ। ଅଟୋରିକ୍ସାଗୁଡ଼ିକୁ କାଳକ୍ରମେ ସିଏନଜି ଇନ୍ଧନ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଗଲେ ରାଜଧାନୀ ବାୟୁ ପ୍ରଦୂଷଣ ମୁକ୍ତ ହୋଇ ସ୍ମାର୍ଟ ସିଟି ହେବା ଦିଗରେ ଗୋଟିଏ ପାଦ ଆଗେଇବ ନିଶ୍ଚୟ।

ଅନ୍ୟ ଯେଉଁ ମୁଖ୍ୟ ଟ୍ରାଫିକ ସମସ୍ୟା ରହିଛି ତା’ ହେଲା ଯେ ଗାଡ଼ି ଚଲେଇବା ବେଳେ ମୋବାଇଲ ଫୋନର ବହୁଳ ବ୍ୟବହାର। ଗାଡି ଚଳେଇବା ବେଳେ ମୋବାଇଲ ଫୋନ ବ୍ୟବହାର ଯୋଗୁ ଆମ ଦେଶରେ ପ୍ରତି ବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସାରା ବିଶ୍ଵରେ ପ୍ରତି ବର୍ଷ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ଏହା ହେଉଛି ୧୦ ପ୍ରତିଶତ। ତଥାପି ମୋବାଇଲ ଫୋନ ବ୍ୟବହାରର ଆକର୍ଷଣ ଆମ ପାଇଁ ଏତେ ଅଧିକ ଯେ ଗାଡ଼ି ଚଳାଇବା ବେଳେ ମଧ୍ୟ ଆମେ ନିଜର ତଥା ଅନ୍ୟ ଲୋକମାନଙ୍କ ଜୀବନ ସୁରକ୍ଷା ବାବଦରେ ଆଦୌ ସଚେତନ ହେଉ ନାହାନ୍ତି।

ଅନ୍ୟ ପକ୍ଷରେ ୨୦୧୬ ମସିହାର ଆକଳନ ଅନୁଯାୟୀ ଆମ ଦେଶରେ ହେଲମେଟ ନପିନ୍ଧି ଦୈନିକ ପ୍ରତି ଏକ ଶହ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ହେଉଛି ୨୮। ୨୦୦୫ ମସିହାରେ ଏହି ସଂଖ୍ୟା ୨୧. ୬ ପ୍ରତିଶତ ଥିଲାବେଳେ ୨୦୧୫ ମସିହା ସୁଦ୍ଧା ମାତ୍ର ଗୋଟିଏ ଦଶକରେ ଏହା ବୃଦ୍ଧି ପାଇ ହୋଇଛି ୨୯. ୧ ପ୍ରତିଶତ। ତେବେ ଗାଡ଼ି ଚଳେଇବା ବେଳେ ମୋବାଇଲ ଫୋନ ବ୍ୟବହାରଜନିତ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ଯେଉଁ ଗତିରେ ବୃଦ୍ଧି ପାଉଛି ତାହା ଯେ ଖୁବ ଶୀଘ୍ର ହେଲମେଟ ନପିନ୍ଧିବା ଦ୍ଵାରା ସଂଘଟିତ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ସହ ସମାନ ବା ତହିଁରୁ ଅଧିକ ନହୋଇଯିବ ବୋଲି କିଏ କହିବ?

କିନ୍ତୁ ଟ୍ରାଫିକ ପୋଲିସ ପକ୍ଷରୁ ହେଲମେଟ ନପିନ୍ଧିଥିଲେ ଯେଉଁ ଭଳି ଭାବେ ଧରପଗଡ଼ କରିବା ଓ ଜୋରିମାନା ଆଦାୟ କରିବାକୁ ଗୁରୁତ୍ଵ ଦିଆଯାଉଛି, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଥିବା ଲୋକଙ୍କ ପ୍ରତି ସେଭଳି ପଦକ୍ଷେପ ନିଆଯାଉ ନାହିଁ।

ସ୍ମାର୍ଟ ସିଟିର ଗାଡ଼ି ଚାଳକମାନେ ସ୍ମାର୍ଟ ଫୋନରେ କଥା ହେଇ ଗାଡ଼ି ଚଳାଇବା ଦ୍ଵାରା ଅନ୍ୟମାନଙ୍କ ଜୀବନ ପ୍ରତି ଯେଉଁ ବିପଦ ସୃଷ୍ଟି କରୁଛି ତହିଁରେ ରୋକ ଲଗାଇବା ପାଇଁ ଏମଭି ଆକ୍ଟର ସେକ୍ସନ ୧୮୪ ବ୍ୟବସ୍ଥା ରହିଛି। ସେହି ବ୍ୟକ୍ତିମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସୀମିତ ସମୟ ପାଇଁ ଓ ବାରମ୍ବାର ନିୟମ ଭାଙ୍ଗିଲେ ସଂପୂର୍ଣ୍ଣ ରଦ୍ଦ କରିବା ସହ ସେମାନଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇ ପାରିବ।

କିନ୍ତୁ ସ୍ଥାନୀୟ ଟ୍ରାଫିକ ପୋଲିସ ପକ୍ଷରୁ ସେଭଳି ପଦକ୍ଷେପ ତ କାହିଁ କେବେ ନିଆ ଯିବାର ଦେଖାଯାଉ ନାହିଁ। କାହିଁକି?

ଆଶ୍ଵାସନାର କଥା ଯେ ଭୁବନେଶ୍ଵରକୁ ସ୍ମାର୍ଟ ସିଟିରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରାଥମିକ ପର୍ଯାୟରେ ଯେଉଁ ୩୯୨ କୋଟି ଟଙ୍କା ଦିଆ ଯାଇଛି, ତହିଁରେ ଟ୍ରାଫିକ ପରିଚାଳନା ପ୍ରକଳ୍ପ ପାଇଁ ୬.୬୭ କୋଟି ଟଙ୍କା ରହିଛି। ଆଗକୁ ଆଗକୁ ଆହୁରି ଅଧିକ ଅର୍ଥ ମଧ୍ୟ ମିଳିବ। ଏହା ଦ୍ଵାରା ଟ୍ରାଫିକ ପରିଚାଳନା କ୍ଷେତ୍ରକୁ ଅଧିକ ସୁସଂହତ  ଓ ସୁପରିଚାଳନା କରାଯାଇ ପାରିବ ବୋଲି ଆଶା ରଖା ଯାଇପାରେ ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment