ଓଡ଼ିଶାଲାଇଭ୍ ବ୍ୟୁରୋ

ଋଣ ଭାରକୁ କମାଇବା ଲାଗି ପାକିସ୍ତାନ ସରକାର ତା’ର ୭୦ଟି ଲଗ୍‌ଜୁରିଅସ କାର ବିକ୍ରି କରିଛି।

ଋଣ ଭାରରେ ଦେବାଳିଆ ହୋଇ ପଡ଼ିଥିବା ପାକିସ୍ତାନର ସ୍ଥିତିକୁ ସୁଧାରିବା ପାଇଁ ଇମ୍ରାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି।

ଏହି ସ୍ଥିତି ସୁଧାରିବାକୁ ଯାଇ ସେ ବିକିଛନ୍ତି ପ୍ରାୟ ୭୦ଟି ଲଗ୍‌ଜୁରିଅସ ସରକାରୀ କାର। ଆର୍ଥିକ ଅଭାବକୁ ଦୂର କରିବାପାଇଁ ପାକିସ୍ତାନ ସରକାର ନିଜ ବ୍ୟବହାର ପାଇଁ ରଖିଥିବା ପ୍ରାୟ ୧୦୨ଟି କାର ମଧ୍ୟରୁ ୭୦ଟି ବିଳାସମୟ କାର ନିଲାମ କରିଛି। ଯାହା ବଜାରରେ ମଧ୍ୟ ଭଲ ମୂଲ୍ୟରେ ବିକ୍ରି ହେଉଛି। ଏହି ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଆଗକୁ ପ୍ରଧାନମନ୍ତ୍ରୀ ଆବାସର ୧୦୨ଟି କାର, ୪ଟି ହେଲିକପ୍ଟର ଓ ୮ଟି ମଇଁଷି ମଧ୍ୟ ବଜାର ଦରରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ସେହିପରି ବୁଲେଟ ପ୍ରୁଫ ଓ ବମ ପ୍ରୁଫ ଭେଇକିଲ ମଧ୍ୟ ନିଲାମ କରାଯିବ’।

ଯାହାକୁ ଇମ୍ରାନ ଖାନଙ୍କ ମିତବ୍ୟୟୀ ଓ ସରକାରୀ ତହବିଲରେ ଧନ ଗଚ୍ଛିତ ଅଭିଯାନର ଆରମ୍ଭ ବୋଲି ଚର୍ଚ୍ଚା ଧରିଛି। ପାକିସ୍ତାନ ସରକାରଙ୍କ ବାର୍ଷିକ ସମୀକ୍ଷା ଅନୁସାରେ, ଏବେ ଦେଶ ଉପରେ ୩୦ହଜାର ଆରବ ଟଙ୍କାରୁ ଅଧିକ ଋଣ ଭାର ରହିଛି।

‘ଯାହା କମିବା ବଦଳରେ ବଢିବାରେ ଲାଗିଛି। ତେଣୁ ସ୍ଥିତି ଏବେ ନିୟନ୍ତ୍ରଣ ନ କଲେ ପାକିସ୍ତାନ ଶୀଘ୍ର କାଙ୍ଗାଳ ହୋଇଯିବାର ସମ୍ଭାବନା ରହିଛି’ – ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ।

Comment