ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ସମୁଦ୍ର କୂଳକୁ ବୁଲିଯାଇଥିବା ପର୍ଯ୍ୟଟକମାନେ ସମୁଦ୍ରରେ ଗାଧୋଇବାର ନିଆରା ମଜା ନିଅନ୍ତି। ବର୍ଷବର୍ଷ ଧରି ଏହି ମଜା ନେଇ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏବେ କୁମ୍ଭୀର ଭୟ ଘାରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ପେଣ୍ଠସ୍ଥିତ ସମୁଦ୍ର ବେଳାଭୂମିରେ ୧୨ ଫୁଟ ଲମ୍ବର କୁମ୍ଭୀରକୁ ଦେଖି ପର୍ଯ୍ୟଟକମାନେ ଛାନିଆ।
ପୁରୀ, କୋଣାର୍କର ଚନ୍ଦ୍ରଭାଗା ଭଳି କେନ୍ଦ୍ରାପଡ଼ର ପେଣ୍ଠ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ପେଣ୍ଠ ସମୁଦ୍ର ବେଳାଭୂମିରେ ବିଚରଣ କରିବା ସହିତ ଝାଉଁ ବଣରେ ବଣ ଭୋଜି କରିବାର ମଜା ଅଲଗା। ପେଣ୍ଠରେ ସବୁଠାରୁ ଅଧିକ ମଜା ହେଉଛି ସମୁଦ୍ରରେ ବୁଡ଼ ପକାଇବା। ଏଠି ସମୁଦ୍ରର ଗଭୀର କମ୍ ଥିବା ଓ ସମୁଦ୍ର ଲହଡ଼ି ଅଧିକ ଥିବାରୁ ପର୍ଯ୍ୟଟକମାନଙ୍କୁ ପେଣ୍ଠ ବେଳାଭୂମି ଆକର୍ଷଣ କରି ଆସୁଛି।
ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ପର୍ଯ୍ୟଟକମାନେ ପ୍ରତିବର୍ଷ ଏହି ବେଳାଭୂମିକୁ ଆସି ନିଆରା ମଜା ଉଠାଇଥାନ୍ତି। ହେଲେ ପର୍ଯ୍ୟଟକମାନଙ୍କର ମଜାରେ ଫିକା ପକାଇ ଦେଇଛି କୁମ୍ଭୀର ଆତଙ୍କ। ପେଣ୍ଠଠାରେ ଥିବା ଜିଓ ଟିଉବ୍ ସିନ୍ଥେଟିକ ୱାଲର ପଥର ଉପରେ ବସି ରହୁଛି କୁମ୍ଭୀର। ଏହି କୁମ୍ଭୀର କୁଆଡ଼େ ପେଣ୍ଠ ବେଳାଭୂମିରେ ସବୁବେଳେ ବିଚରଣ କରୁଥିବା ପର୍ଯ୍ୟଟକମାନେ କହୁଛନ୍ତି।
ପେଣ୍ଠକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କୁମ୍ଭୀର ଭୟରେ ଆଉ ସମୁଦ୍ର କୂଳ ମାଡ଼ୁ ନାହାନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବନ ବିବାଗ ପର୍ଯ୍ୟଟକମାନଙ୍କ ପାଇଁ କୁମ୍ଭୀର ଘଉଡ଼ାଇବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏହାସହ ପର୍ଯ୍ୟଟକମାନେ ବୁଡ଼ ପକାଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରି ସେଠାରେ ତାରବାଡ଼ ବ୍ୟବସ୍ଥା ନକଲେ ପେଣ୍ଠ ସମୁଦ୍ର କୂଳକୁ ପର୍ଯ୍ୟଟକମାନଙ୍କ ଆଗମନ ସବୁଦିନ ପାଇଁ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି।


















