ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାକୁ ଚୋରା ଚାଲାଣ ହେଉଛି ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ମୁଲ୍ୟବାନ ଗୁଣ୍ଡ କୋଇଲା। ଭଦ୍ରକର ଧାମରା ବନ୍ଦର ଓ ପାରାଦୀପ ବନ୍ଦର ଅଞ୍ଚଳରୁ ଦୈନିକ ହଜାର ହଜାର କୁଇଣ୍ଟାଲ ଏହି ଚୋରା କୋଇଲା ସମୁଦ୍ର ତଟବର୍ତ୍ତି ଅଞ୍ଚଳକୁ ଆସୁଥିବା ନଜିର ରହିଛି। ଏହାସହ ସମୁଦ୍ରକୁ ଲାଗି ରହିଥିବା ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ତଟର ଗାଁଗୁଡ଼ିକରେ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି। ଦୀର୍ଘ ଦିନ ହେଲା ସମୁଦ୍ର ପଥ ଦେଇ ଏହି ଚୋରା କାରବାର ହେଉଥିଲେ ମଧ୍ୟ ସାମୁଦ୍ରିକ ଥାନାର କର୍ମଚାରୀ ନୀରବ ରହିବା ସମସ୍ତଙ୍କୁ ଚକିତ କରିଛି।
ସମୁଦ୍ର ପଥ ଦେଇ ଦେଶ ମଧ୍ୟକୁ ବାହ୍ୟ ଶତ୍ରୁ ପ୍ରବେଶ କରୁଥିବା ସହିତ ବାଂଲାଦେଶରୁ ଅନୁପ୍ରବେଶକାରୀମାନେ ସମୁଦ୍ର ମଧ୍ୟ ଦେଇ ଭାରତକୁ ପଶି ଆସିବାର ଅନେକ ନଜିର ରହିଛି। ଏହା ସହିତ ସମୁଦ୍ର ପଥ ଦେଇ ଅସ୍ତ୍ରଶସ୍ତ୍ର ଓ ଅବକାରୀ ଦ୍ରବ୍ୟର ଚୋରା କାରବାରକୁ ପ୍ରତିହତ କରିବାକୁ ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ସହମତିରେ ଆରମ୍ଭ ହୋଇଥିଲା ସାମୁଦ୍ରିକ ଥାନା। ହେଲେ ଏହି ଥାନା ସମୁଦ୍ରରେ ଚୋରା କାରବାରକୁ ରୋକିବାରେ ସମର୍ଥ ହୋଇନି। ଅବାଧରେ ଚାଲିଛି ଚୋରା କାରବାର। ପାରାଦୀପ ଓ ଧାମରା ବନ୍ଦର ଅଞ୍ଚଳରୁ ଦୈନିକ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବେଶ କରୁଛି ଶହଶହ ଅଷ୍ଟ୍ରେଲିଆ କୋଇଲା ବୋଝେଇ ଯନ୍ତ୍ର ଚାଲିତ ବୋଟ। ଏହି ଚୋରା କାରବାର କରି ଦଲାଲମାନେ ମାଲାମାଲ୍ ହେଉଛନ୍ତି। ସାରା ଜିଲ୍ଲାକୁ ଏହି ଚୋରା କାରବାରର ନେଟୱର୍କ ଲମ୍ବିଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ତିନିଟି ସାମୁଦ୍ରିକ ଥାନା। ଜିଲ୍ଲାର ମହାକାଳପଡ଼ା ବ୍ଲକର ଗୋବରୀ ଓ ମହାନଦୀ ମୁହାଣର ଜମ୍ବୁ, ହଂସୁଆ ନଦୀର ବରୁଣେଇ ମୁହାଣର ତନ୍ତିଆପାଳ ଏବଂ ରାଜନଗର ବ୍ଲକ ବୈତରଣୀ ନଦୀର ସାମୁଦ୍ରିକ ମୁହାଣର ତାଳଚୁଆଠାରେ ରହିଛି ୩ଟି ସାମୁଦ୍ରିକ ଥାନା। ସମୁଦ୍ର ପଥ ଦେଇ ଚାଲିଥିବା ଅନୁପ୍ରବେଶ ଓ ଚୋରାକାରବାର ରୋକିବାକୁ ପ୍ରତିଷ୍ଠା ହୋଇଥିଲା ଏହି ଥାନା। ପ୍ରତି ବର୍ଷ ପାରାଦୀପ ବନ୍ଦର କୋଷ୍ଟଗାର୍ଡ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଥାନା ପୋଲିସର ମିଳିତ ସମରାଭ୍ୟାସ ସାଗର କବଚ କରାଯାଇ ସମୁଦ୍ର ପଥ ଦେଇ କିପରି ଅନୁପ୍ରବେଶ କରାଯାଏ ଓ ଅନୁପ୍ରବେଶକାରୀଙ୍କୁ କିପରି ଧରାଯାଏ ତାହାର କୌଶଳ ମଧ୍ୟ ପ୍ରଦର୍ଶନ କରେ ପୋଲିସ। ହେଲେ ଏଥିରୁ କିଛି ବି ଶିଖି ପାରୁନି ପୋଲିସ। ସମୁଦ୍ର ପଥ ଯେଉଁ ମୁକୁଳାକୁ ସେଇ ମୁକୁଳା ରହିଛି। ପ୍ରତି ଦିନ ଅନୁପ୍ରବେଶ ହେଉଥିବା ସହିତ ଚୋରାକାରବାର ମଧ୍ୟ ଅବାଧରେ ଚାଲିଛି। ଏହାର ଉଦାହରଣ ହେଉଛି ବାଂଲାଦେଶୀ ଅନୁପ୍ରବେଶ କୋଇଲା ଚୋରା ଚାଲାଣ।
ସମୁଦ୍ର ପଥରେ ରାଜକନିକା, ଆଳି, ରାଜନଗର ଓ ମହାକାଳପଡ଼ା ବ୍ଲକକୁ ସିଧାସଳଖ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହିସବୁ ବ୍ଲକ ଅଞ୍ଚଳରୁ କୋଇଲା ମାଫିଆମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଅଧିକ ଦୁଇ ପଇସା କମାଇ ମାଲେମାଲ ହେବାରେ ଲାଗିଛନ୍ତି। ବନ୍ଦର ଅଞ୍ଚଳରେ ରହୁଥିବା ଦଲାଲମାନେ ବନ୍ଦର କର୍ମଚାରୀମାନଙ୍କୁ ହାତକରି ଏହି ଗୁଣ୍ଡ କୋଇଲା ଗୁଡ଼ିକୁ ବସ୍ତାରେ ପ୍ୟାକ କରି ସମୁଦ୍ର କୂଳରେ ପହଞ୍ଚାଇ ଦେଉଛନ୍ତି। ସେଠାରୁ ଉପକୂଳ ଅଞ୍ଚଳର ଦଲାଲମାନେ ଭୁଟୁଭୁଟିମାନଙ୍କରେ ଲଦି ଉପକୂଳରେ ପହଞ୍ଚାଇ ଦେଇଥାନ୍ତି। ଚୋରା ବ୍ୟବସାୟୀମାନେ ଗାଡ଼ିରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ନେଇ ଯାଉଛନ୍ତି।
ଏହି କୋଇଲା ଆମ ଦେଶୀୟ କୋଇଲାଠାରୁ ଅଧିକ ତାପ ପରିବହନ ଶକ୍ତି ସମ୍ପନ୍ନ। ଏହି କୋଇଲାକୁ ଚକଟି ଗୋଲ କୋଇଲାରେ ପରିଣତ କରାଯାଇ ବ୍ୟବହାର କରାଯାଉଛି। ଉପକୂଳ ଅଞ୍ଚଳର ଜଳଖିଆ ଦୋକାନ, ହୋଟେଲରେ ଏହି କୋଇଲା ବ୍ୟବହାର କରାଯାଉଛି।
ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ସମୁଦ୍ର କୂଳିଆ ଅଞ୍ଚଳରେ ଇଟା ମାଫିଆମାନେ ଏହି କୋଇଲା ବ୍ୟବହାର କରୁଥିବା ନଜିର ରହିଛି।
ଏହି କୋଇଲାର ଚୋରାକାରବାର ଅନେକ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି। କମ୍ ପଇସାରେ ମିଳୁଥିବା ଓ ଅଧିକ ଲାଭ ପ୍ରଦ ହେଉଥିବାରୁ ଏହି କାରବାରରେ ଅଧିକରୁ ଅଧିକ ଯୁବକ ଯୋଡ଼ି ହେଉଥିବା ଦେଖାଯାଉଛି। ଫଳରେ ଉପକୂଳ ଅଞ୍ଚଳ ଧିରେଧିରେ ଅପରାଧ ପ୍ରବଣ ହେବାରେ ଲାଗିଛି। କେତେକ ଅସାଧୁ ପୋଲିସ କର୍ମଚାରୀମାନଙ୍କ ପରୋକ୍ଷ ଇଙ୍ଗିତରେ ଚୋରାକାରବାର ବଢ଼ୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ଦାବି ହେଉଛି।


















