ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ୧୫ଟି ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ବ୍ୟାପକ ପରିମାଣରେ ରୋଗପୋକ ଲାଗିଯିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ୧୫ ଗୋଟି ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ବ୍ୟାପକ ପରିମାଣରେ ରୋଗପୋକ ଲାଗିଥିବାରୁ ବର୍ତ୍ତମାନ ଚିନ୍ତାରେ ଚାଷୀକୁଳ। ରୋଗପୋକ ତଥା ପତ୍ରପଡ଼ା ରୋଗ ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ବ୍ୟବହାର କରି ଚାଷୀ ବହୁତ ଖର୍ଚ୍ଚରେ ପଡ଼ୁଥିବା ଅଭଯୋଗ ହୋଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକରେ ୬୪୬୦ ହେକ୍ଟର ଧାନ ଚାଷ ଜମି ଥିବାବେଳେ ୨୧୮୦ ହେକ୍ଟର ଜମିରେ ହାଇଏଲଡିଂ ଧାନ ଚାଷ ହୋଇଥିବା ବେଳେ ୪୦୫୦ହେକ୍ଟର ଜମିରେ ହାଇବ୍ରିଡ଼ ଧାନ ଏବଂ ୨୩୦ହେକ୍ଟର ଜମିରେ ଦେଶୀ ଧାନ ଚାଷ ହୋଇଥିବା ଜଣାପଡ଼ିଛି।

ସେହିପରି ବ୍ଲକର ୪୮୫୬ ହେକ୍ଟର ଜମିରେ ଫଳ ଚାଷ ହେଉଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମକ।ଚାଷ ଏକ ପ୍ରକାର ଭଲ ହୋଇଥିବା ବେଳେ ଧାନ ଚାଷରେ ପତ୍ରପଡ଼ା ପୋକ, କାଣ୍ଡ ବିନ୍ଧା ପୋକ, ମାଟିଆଗୁଣ୍ଡି ପୋକ ଭଳି ବିଭିନ୍ନ ରୋଗ ପୋକ ଲାଗିଥିବାରୁ ଚାଷୀଙ୍କ ପାଇଁ ଏହା ଏକ ମୁଣ୍ଡ ବିନ୍ଧାର କାରଣ ହୋଇପଡ଼ିଛି।

ଚଳିତ ବର୍ଷ ଚାଷ କାର୍ଯ୍ୟ ପାଇଁ ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚାଷ କାମ ପାଇଁ ଅନୁକୂଳ ପାଗ ଦେଇଥିଲା। ଯାହାଫଳରେ କି, ଚାଷୀ ବହୁତ ଖୁସି ଅନୁଭବ କରୁଥିବା ବେଳେ ବର୍ତ୍ତମାନ ରୋଗପୋକ ଲାଗି ଚାଷୀ ବେଶ୍ ଚିନ୍ତାରେ ପଡ଼ିଯାଇଛନ୍ତି।

ଧାନ ଚାଷ ପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ ଓ ଲ୍ୟାମ୍ପରୁ ଆଣିଥିବା ଋଣ କିପରି ପରିଷଦ କରିବେ, ତାହା ବର୍ତ୍ତମାନ ଚିନ୍ତାର ବିଷୟ ହୋଇପଡ଼ିଛି ଚାଷୀଙ୍କ ପାଇଁ। ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା, ପୂଜାରୀଗୁଡ଼ା, ଝରିଗାଁ, ପତ୍ରପୁଟ, ଦିଗୀ ଅଞ୍ଚଳରେ ରୋଗପୋକ ଲାଗି ବ୍ୟାପକ କ୍ଷତି ହୋଇଛି।

ବିଶେଷକରି ୧୦୦୧, ୧୦୧୦ ମହିନ୍ଦ୍ର।ବୟର ଧାନରେ ବହୁତ ପରିମାଣରେ ରୋଗପୋକ ଲାଗିଥିବା ନରସିଂହ ଭତ୍ରା, ନରହରି ଗୌଡ଼, ସୁନୀଲ ସାଗରିଆ, ବିଜୟ ବିଶୋଇ, ବଳରାମ ପାଣିଗ୍ରାହୀ, ରଘୁନାଥ ଗୌଡ଼, ଭିକି ପାତ୍ର, ସଞ୍ଜୀବ ପ୍ରଧାନ ପ୍ରମୁଖ ଚାଷୀ ସୂଚନା ଦେଇଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ସମୁଦାୟ ୧୫୦ହେକ୍ଟର ଜମିରେ ପତ୍ରପଡ଼ା ରୋଗପୋକ, ୩୫ହେକ୍ଟର ଜମିରେ ବ୍ଲାଷ୍ଟ (ମହିସାରୋଗ), ୨୨ହେକ୍ଟର ଜମିରେ କଣ୍ଡ ବିନ୍ଧା ରୋଗପୋକ ଏବଂ ୨୫ ହେକ୍ଟର ଜମିରେ ମାଟିଆ ଗୁଣ୍ଡି ରୋଗପୋକ ଲାଗିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଏନେଇ ତେନ୍ତୁଳିଖୁଣ୍ଟି କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ କହିଛନ୍ତି, “କୃଷି ବିଭାଗରେ ପ୍ରଚୁର ପରିମାଣରେ କୀଟନାଶକ ଔଷଧ ରହିଛି ଏବଂ ତାକୁ ଚାଷୀଙ୍କୁ ୫୦ପ୍ରତିଶତ ରିହାତି ଦରରେ ଦିଆଯିବା ସହ କୃଷି କର୍ମଚାରୀମାନେ ପ୍ରତ୍ୟେକ ଅଞ୍ଚଳ ପରିଦର୍ଶନ କରି କ୍ଷତି ଗ୍ରସ୍ଥ ଚାଷର ଅନୁଧ୍ୟାନ କରିଛନ୍ତି।“ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କୁ ସହାୟତା ପ୍ରଦାନ ଓ ଋଣ ଛାଡ଼ କରାଯାଉ ବୋଲି ସମସ୍ତ ଚାଷୀ ଦାବି କରିଛନ୍ତି।

Comment