କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

  • ୧୯୯୯ ମହାବାତ୍ୟାକୁ ମନେପକାଉଛନ୍ତି କେନ୍ଦ୍ରାପଡ଼ାବାସୀ
  • ତିତ୍‌ଲକୁ ନେଇ ଆତଙ୍କିତ
  • ଧାନ ଫସଲ, ଚାଳ ଛପର ଘର ଉଜୁଡ଼ିଯିବା ଆଶଙ୍କା
  • କେନ୍ଦ୍ରାପଡ଼ାରେ ସମୀକ୍ଷା କଲେ ଆର୍‌ଡିସି
  • ସମୁଦ୍ରକୂଳରେ ହାଇ ଆଲର୍ଟ
  • ତିତ୍‌ଲା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
  • ଗରଦପୁରରେ ପହଞ୍ଚିଲା ଏନଡିଆର୍‌ଏଫ୍ ଟିମ୍

ଡରାଇ ଆସୁଛି ଅକ୍ଟୋବର। ଏହି ଅକ୍ଟୋବର ମାସରେ ମହାବାତ୍ୟା, ଫାଇଲିନ ଏବଂ ହୁଡ୍‌ହୁଡ୍ ଦେଖିଥିବା ଓଡ଼ିଶାବାସୀ ଏବେ ପୁଣି ସେହି ଅକ୍ଟୋବରରେ ତିତ୍‌ଲିକୁ ନେଇ ଭୟଭୀତ ହୋଇଯାଇଛନ୍ତି।

୧୯୯୯ ଅକ୍ଟୋବର ମହାବାତ୍ୟା ପରେ ୨୦୧୩ରେ ଫାଇଲିନ ଓ ୨୦୧୪ରେ ହୁଡହୁଡ ଓଡ଼ିଶା ଉପକୂଳବାସୀଙ୍କ ମନରୁ ଯାଇ ନଥିବା ବେଳେ ପୁଣି ସେହି ଅକ୍ଟୋବର ୨୦୧୮ରେ ତିତଲି ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି।

ଫାଇଲିନ ଓ ହୁଡହୁଡ ମଧ୍ୟ ଏହି ଅକ୍ଟୋବର ୧୧ ତରିଖରେ ଓଡ଼ିଶା ଉପକୂଳ ଛୁଇଁଥିଲା। ପୁଣି ସେହି ଅକ୍ଟୋବର ୧୧ ତାରିଖରେ ମଧ୍ୟ ତିତ୍‌ଲି ଉପକୂଳ ଛୁଉଁଛି। ସେଥିପାଇଁ ସମୁଦ୍ରକୂଳିଆ ଜିଲ୍ଲାମାନଙ୍କରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ତିତ୍‌ଲିକୁ ମୁକାବିଲା କରିବା ପାଇଁ ଜନସାଧାରଣ ପ୍ରସ୍ତୁତ।

ସେଦିନ ଥିଲା ଅକ୍ଟୋବର ମାସ ୨୯ ତାରିଖ। ୧୯୯୯ ମସିହାର କାଳ ଦିବସ। ମାଡ଼ି ଆସିଥିଲା ସାମୁଦ୍ରିକ ଝଡ଼। ସମୁଦ୍ରରୁ ୮ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଆସିଥିଲା। ପ୍ରଚଣ୍ଡ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା।  ଗାଁଗଣ୍ଡା ସବୁକୁ ମରୁଭୂମି କରି ଚାଲି ଯାଇଥିଲା ମହାବାତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲାରେ ସେବର୍ଷ ୨୬୭ ଜଣଙ୍କର ମୃତ୍ୟୁ ହୋଇଥିଲା। କୋଟି କୋଟି ଟଙ୍କାର ଧନ ଜୀବନ ନଷ୍ଟ ହୋଇଥିଲା। ଘର ଭାଙ୍ଗି ଯାଇଥିଲା। ଅନାହାର ଓ ଅର୍ଦ୍ଧାହାରେର ବହୁ କିଛି ଦିନ କାଟିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ରାପଡ଼ାବାସୀ। ସେଦିନର କାଳର କରାଳ ଦୃଶ୍ୟ କେହି କେବେ ଭୁଲି ପାରିବ ନାହିଁ।

ଏହାପରେ ପୁଣି ୨୦୧୩ ଅକ୍ଟୋବର ମାସର ୧୧ ତାରିଖରେ ଫାଇଲିନ୍  ଆସିବା ଖବର ଶୁଣି ଛାନିଆ ହୋଇପଡ଼ିଥିଲେ କେନ୍ଦ୍ରାପଡ଼ାବାସୀ। ଫାଇଲିନ ଯଦିଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୯୯୯ ପରି କ୍ଷତି ଘଟାଇ ନଥିଲା ବହୁ ଚାଳଛପର ଘର ଉଡ଼ାଇ ନେଇଥିଲା। ଜମିରେ ହୋଇଥିବା ସୁନାର ଧାନ ଫସଲକୁ ଉଜାଡ଼ି ଦେଇଥିଲା। ପୁଣି ୨୦୧୪ ମସିହାର ସେହି ଅକ୍ଟୋବର ମାସ ୧୧ ତାରିଖରେ ଆସି ଥିଲା ସାମୁଦ୍ରିକ ଝଡ ହୁଡହୁଡ। ଫାଇଲିନ ପରି ହୁଡହୁଡ ବହୁ ଚାଳଛପର ଭର ଭାଙ୍ଗି ପକାଇଥିବା ବେଳେ ଜମିରେ ଫଳିଥିବା ଧାନ ଫସଲକୁ ଉଜାଡିଦେଇ ଚାଲି ଯାଇଥିଲା।

ପୁଣି ସେହି କାଳ ଅକ୍ଟୋବରରେ ଆସିଛି ତିତିଲ୍। ଏହାକୁ ନେଇ ଚିନ୍ତାରେ କେନ୍ଦ୍ରାପଡ଼ାବାସୀ। ୧୧ ତାରିଖ ସକାଳ ୫ଟା ୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ଉପକୂଳ ଛୁଇଁବ ତିତ୍‌ଲି। ପ୍ରବଳ ବର୍ଷା ସାଙ୍ଗକୁ ୧୬୫ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କେନ୍ଦ୍ରାପଡାବାସୀଙ୍କୁ ଆତଙ୍କିତ କରିଛି।

ଚାଳଛପର ଘରେ ରହୁଥିବା ଲୋକ ଚିନ୍ତାରେ ରହିଥିବା ବେଳେ ଧାନ ଫସଲ ଉଜୁଡ଼ିଯିବା ନେଇ ଆଶଙ୍କାରେ ରହିଛନ୍ତି ଚାଷୀ। ସେହିପରି ସମୁଦ୍ର କୂଳକୁ ଲାଗି ରହିଥିବା ଜିଲ୍ଲାର ମହାକାଳପଡ଼ା ବ୍ଲକ ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯିବାର ଆଶଙ୍କା କରିଛି ଜିଲ୍ଲା ପ୍ରଶାସନ।

ମହାକାଳପଡ଼ା ବ୍ଲକର ତଳିଆ ଅଞ୍ଚଳ କୁହାଯାଉଥିବା ବତୀଘର ପଞ୍ଚାୟତ, ଖରିନାସୀ, ରାମନଗର ପଞ୍ଚାୟତର କିଛି ଅଂଶ, ଜମ୍ବୁ, ପେଟଛେଲା, ଗୋଗୁଆ, ସୁନିତୀ ପଞ୍ଚାୟତର ଖାଲୁଆ ଗାଁରେ ଜଳମଗ୍ନ ହେବାର ଆଶଙ୍କା ରହିଛି।

ସେହିପରି ରାଜନଗର ବ୍ଲକର ସାତଭାୟା, ଗୁପ୍ତି, ହାତିନା, ଡେରା, କୁରୁଣ୍ଟି, ବ୍ରାହ୍ମଣସାହି, କୋଇଲିପୁର, କେରୁଆପାଳ, ରଙ୍ଗଣୀ, ତାଳଚୁଆ, ବାଘମାରୀ, ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର ଆଦି ପଞ୍ଚାୟତର ୪୯ଟି ଗାଁ ସମୁଦ୍ର ଜୁଆରରେ ବୁଡ଼ିଯିବାର ଆଶଙ୍କା ରହିଛି।

ସମୁଦ୍ର କୂଳରେ ଥିବା ସାତଭାୟା ପଞ୍ଚାୟତର ବରାହୀପୁର, ମଗରକନ୍ଦା ଓ ଅଢାସଲ ଗାଁରେ କେତେକ ଲୋକ ରହିଥିବାରୁ ସମୁଦ୍ର ଜୁଆର ଆସିଲେ ସେମାନଙ୍କୁ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି।  ସବୁଠାରୁ ବିପଦରେ ରହିଛନ୍ତି  ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ଥିବା ଚିଙ୍ଗୁଡିଘେରିରେ କାମ କରୁଥିବା ଶ୍ରମିକମାନେ। ଏହି ଶ୍ରମିକମାନେ ସାଧାରଣତଃ ପାହାଡ଼ିଆ ଅଞ୍ଚଳ କେଉଁଝର ଓ ମୟୁରଭଞ୍ଜ ଜିଲ୍ଲାର। ଏମାନେ ପାଣିରେ ପହଁରି ଶିଖି ନଥିବାରୁ  ହଠାତ ଲୁଣା ଜୁଆର ଆସିଲେ ଏମାନଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି।

ମହାକାଳପଡ଼ା  ବ୍ଲକର ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ରାଜନଗର ବ୍ଲକରେ ୩୬ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କ ଆଶ୍ରୟ ପାଇଁ ସମସ୍ତ ବ୍ୟବସ୍ଥା ରହିଥିବା ଜିଲ୍ଲାପାଳ ଦାଶରଥୀ ଶତପଥୀ ସୂଚନା ଦେଇଛନ୍ତି।

ସୁଖିଲା ଖାଦ୍ୟ, ଆଲୋକ, ପାନୀୟ ଜଳ ଆଦି ମହଜୁଦ ରହିଥିବା ବେଳେ ତଦାରଖ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଡକାଇ ସମ୍ଭାବ୍ୟ ବିପତ୍ତିର ମୁକାବିଲା କରିବାକୁ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରାଞ୍ଚଳ ଆର୍‌ଡିସି ମହେନ୍ଦ୍ର କୁମାର ମଲ୍ଲିକ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରି ତିତ୍‌ଲା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଛୁଟି କରି ଦିଆଯାଇଛି। ସ୍କୁଲ ଓ କଲେଜମାନଙ୍କରେ ବିପନ୍ନମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିବାକୁ ସ୍କୁଲର ପ୍ରଧାନ ଶିକ୍ଷକ ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ମହାକାଳପଡ଼ା ବ୍ଲକର ଖରିନାସୀ ଜେଠିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭାବ୍ୟ ଝଡ଼ ବାତ୍ୟାକୁ ଆଖି ଆଗରେ ରଖି ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଗୁଆ କିଣି ନେଉଥିବାରୁ ବ୍ୟବସାୟୀମାନେ ଚଢ଼ା ଦର କଷୁଛନ୍ତି।

ଏପଟେ ଏନଡିଆର୍‌ଏଫ୍‌ର ଗୋଟିଏ ଟିମ୍ ଗରଦପୁରରେ ପହଞ୍ଚିଥିବା ବେଳେ ସ୍କୁଲ ଏବଂ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି।

ଗତ କିଛିଦିନ ତଳେ ଲଗାଣ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ହେକ୍ଟର ଧାନ ଜମିକୁ ବୁଡ଼ାଇ ଦେଇଥିଲା। ଫଳରେ ଜିଲ୍ଲାର ବହୁ ଅଞ୍ଚଳରେ ଧାନ ଚାଷ ଉଜୁଡ଼ି ଯାଇଥିଲା। ପୁଣି ତିତଲି ଆସିଲେ ଜିଲାର ଭାତହାଣ୍ଡି ପୂରା ଉଜୁଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି।

Comment