ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

  • ପ୍ରମୁଖ ନଦୀରେ ବନ୍ୟା
  • ଘରେ ପଶିଲା ବନ୍ୟା ପାଣି
  • ଛତ୍ରପୁର – ତାରାତାରିଣୀ ମୁଖ୍ୟରାସ୍ତାରେ ବନ୍ୟା ଜଳ
  • ଛତ୍ରପୁର ବ୍ଲକର ୫ ପଞ୍ଚାୟତ ବେଶି ପ୍ରଭାବିତ
  • ଆସିକାରେ ପରିସ୍ଥିତି ଗମ୍ଭୀର
  • ଚାଷ ଜମିରେ ମାଡ଼ିଲା ପାଣି
  • ଜିଲ୍ଲାପାଳ କଲେ ସ୍ଥିତି ସମୀକ୍ଷା

ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଫଳରେ ପ୍ରମୁଖ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ପାଣି ବିଭିନ୍ନ ଗାଁରେ ପଶି ଯାଇଥିବାରୁ ଲୋକେ ଜଳବନ୍ଦୀ ହୋଇଛନ୍ତି। ଜିଲ୍ଲାର ଆସିକା ଛତ୍ରପୁର, ବେଲଗୁଣ୍ଠା ଏବଂ ପୁରୁଷତ୍ତମପୁର ବ୍ଲକର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ସ୍ଥିତି ସଙ୍ଗିନ ହୋଇଛି।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଛତ୍ରପୁର – ତାରାତାରିଣୀ ମୁଖ୍ୟରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଛତ୍ରପୁର ବ୍ଲକର ୧୮ ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୫ଟି ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି। ବଡ଼ମାଧପୁର ପଞ୍ଚାୟତର ବଡ଼ମାଧପୁର ଗ୍ରାମ, ଗୋବା, ବରଙ୍ଗ, ନୂଆପଲ୍ଲୀ, ରଙ୍ଗମାଟିଆ ଗ୍ରାମ, ପଟଲାମପୁର ପଞ୍ଚାୟତର ପଟଲାମପୁର, ଗଙ୍ଗାପୁର-୧, ଗଙ୍ଗାପୁର-୨, ସରଭିମପୁର, ହଂସପୁର, ମୁନିସିପେଣ୍ଠ ଆଦି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି।

ସେହିଭଳି ବଉଳଗାଁ ପଞ୍ଚାୟତର ବଉଳଗାଁ, ଭାଗିରଥିପୁର, ନନ୍ଦପଣ୍ଡାପଲ୍ଲୀ, ରୁକୁଣି ଗାଁ, ଦିବ୍ୟସିଂହପୁର ଓ ନୀମପଲ୍ଲୀ, ପୋଡ଼ାପଦର ପଞ୍ଚାତର ହୁମ୍ବର ଓ ପୋଡ଼ାପଦର ଗ୍ରାମର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। ଘରେ ଘରେ ପାଣି ପଶିଥିବା ବେଳେ ଏନେଇ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭିନ୍ନ ଗ୍ରାମ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଛତ୍ରପୁର ବ୍ଲକର ଜଳମଗ୍ନ ଗ୍ରାମଗୁଡ଼ିକ ବୁଲି ଦେଖିବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି। ଛତ୍ରପୁର ବ୍ଲକ  ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡିଙ୍କ ନେତୃତ୍ୱରେ ଜଳମଗ୍ନ ଥିବା ଗ୍ରାମ ଗୁଡ଼ିକରେ ରିଲିଫ୍ ବ୍ୟବସ୍ଥା କରାଯାଇଛି। ଜଳବନ୍ଦୀ  ପରିବାରଙ୍କୁ  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବେଲଗୁଣ୍ଠା ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ବ୍ଲକର ଗାଙ୍ଗପୁର, ଗୋବରା ଏବଂ ବେଲଗୁଣ୍ଠା ଅଂଚଳ ଜଳମଗ୍ନ ହୋଇଛି। ଗାଙ୍ଗପୁର ନିକଟରେ ବଣଘାଇ ଭାଙ୍ଗି ଯିବାରୁ ଇନ୍ଧପୁରଠାରେ ଘାଇ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଳିଆମ୍ବା ନାଳରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ପାଣିଘେରରେ ରହିବା ସହ ପାଚେରୀ ଭାଙ୍ଗି ଯାଇଛି।  ବ୍ଲକର ବହୁ ଗ୍ରାମ ଏବଂ ଚାଷ ଜମି ଜଳମଗ୍ନ ହୋଇ ରହିଛି।

ଗଞ୍ଜାମ ଜିଲ୍ଲା ଆସିକାରେ ଗମ୍ଭୀର ହୋଇଛି ବନ୍ୟା ପରିସ୍ଥିତି। ଆସିକା ବ୍ଲକର ୧୫ଟି ପଞ୍ଚାୟତର ୪୫ଟି ଗ୍ରାମରେ ୮୫୨ ପରିବାର ପ୍ରଭାବିତ ହୋଇଛନ୍ତି। ଏଥିରେ ୨୫୫୬ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  ଉପରମୁଣ୍ଡରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯାହାଫଳରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ପୁରୁଷୋତ୍ତମପୁର ବ୍ଲକର ୨୬ ଟି ପଂଚାୟତ ମଧ୍ୟରୁ ପ୍ରାୟ ୧୫ ଟି ପଂଚାୟତ ପ୍ରଭାବିତ ହୋଇଛି। ପୁରୁଷୋତମପୁର  ସହର ମୁଖ୍ୟ ବଜାରରେ ୫ ଫୁଟ ଉଚ୍ଚରେ ପାଣି ଚାଲିଥିବା ବେଳେ ପ୍ରତାପୁର, ଭୀମପୁର, ହାଣ୍ଡିଘର, ରଣଝାଲୀ, ଅନ୍ତରିଗାଁ, ପାଣ୍ଡିଆ, ନୂଆଗାଁ ପ୍ରଭୃତି ଗ୍ରାମର ଚାଷଜମି ଜଳମଗ୍ନ ହୋଇ ରହିଛି। ଜଳେଶ୍ୱରଖଣ୍ଡି ଗ୍ରାମ ଦକ୍ଷିଣକାଳୀ ମନ୍ଦିର ପର୍ଯ୍ୟନ୍ତ ପାଣି ଚାଲିଥିବା ବେଳେ ମନ୍ଦିର ପାଣିଘେରରେ ରହିଛି।

ଗୋଠିଆଳି, ମକୁନ୍ଦପୁର ଭଳି ନଦୀ ତଟବର୍ତ୍ତି ତଳିଆ ଗ୍ରାମଗୁଡ଼ିକ ବିଶେଷ ପ୍ରଭାବିତ ହୋଇଛି। ମକୁନ୍ଦପୁର ଗ୍ରାମର କିଛିଲୋକଙ୍କୁ ଓଡ୍ରାଫ୍ ଟିମ୍ ଏବଂ ସେନାଙ୍କ ସହାୟତାରେ ଉଦ୍ଧାର କରାଯାଇଥିବା ବେଳେ ଏବେବି ବହୁଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଚାଷଜମିଗୁଡ଼ିକ ପାଣିଘେରରେ ରହିଥିବା ବେଳେ ଗୃହପାଳିତ ପଶୁମାନେ ଭାସିଯାଉଥିବା ସୂଚନା ମିଳିଛି। ବ୍ଲକର ପ୍ରାୟ ୫ହଜାରରୁ ଅଧିକ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।

ପୋଳିଦାସପୁର ହୀରାବାଟିଆ କେନାଲର ୪ ଟି ସ୍ଥାନରେ ଘାଇ ହୋଇଥିବାରୁ ଆଖପାଖ ଗ୍ରାମରେ ପାଣି ପଶିଛି। ଘଟଣାସ୍ଥଳରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ତହସିଲଦାର, ଗଞ୍ଜାମ ଏସପି, ବ୍ରହ୍ମପୁର ଏସପି, ବିଡିଓ, ପୁରୁଷୋତମପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

Comment