ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତାରେ ପାଣିର ସୁଅ। ଚାଷଜମି, ପୋଖରୀ ଏକାକାର। ତିତ୍‌ଲି ତାଣ୍ଡବରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି ରାଜ୍ୟରେ।

ତିତ୍‌ଲି ଆସିଲା। ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ତାଣ୍ଡବ କରି ଚାଲିଗଲା। ତଥାପି ଏହି ସାମୁଦ୍ରିକ ଝଡ଼ର ପ୍ରଭାବ କମିନି। ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଥିବା ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରେ ପବନ ଯେତିକି କ୍ଷତି କରି ନଥିଲା ବର୍ଷା ତାର ଦୁଇଗୁଣ କ୍ଷତି କରିଛି। କେବଳ ଗଞ୍ଜାମ ନୁହେଁ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳରେ ବିଭିନ୍ନ ନଦୀ ଉଛୁଳୁଛି। ରାସ୍ତାରେ ବନ୍ୟା ପାଣି ମାଡ଼ି ଯାଇଛି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ, ଚିକିଟି ଏବଂ ଆସ୍କାରେ ବନ୍ୟା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ହିଞ୍ଜିଳିକାଟୁର ଘୋଡ଼ାହାଡ଼ ନଦୀରେ ବନ୍ୟା ଆସିବାରୁ ରାସ୍ତାରେ ପାଣି ସୁଅ ଛୁଟୁଛି। ପାଣି ସୁଅରେ ଗଡ଼ିପଡ଼ିଛି ଟାୱାର। ବିଭିନ୍ନ ଗାଁରେ ପାଣି ପଶିଥିବା ବେଳେ ଚାଷଜମି ବି ବୁଡ଼ିକି ରହିଛି।

ଚିକିଟିରେ ପୋଲ ଭାସି ଯାଇଥିବା ବେଳେ ଋଷିକୁଲ୍ୟା ନଦୀର ବନ୍ୟା ପାଣି ପୁରୁଷତ୍ତମପୁର ସହରରେ ପ୍ରବେଶ କରିଛି। ଆସ୍କାକୁ ସଂଯୋଗ କରୁଥିବା ରାସ୍ତା ବି ବନ୍ୟା ପାଣିରେ ବୁଡ଼ି ଯାଇଛି। ଘରେ ପାଣି ପଶି ଯାଇଥିବା ବେଳେ କାର୍ ମଧ୍ୟ ବୁଡ଼ି ଯାଇଥିବାର ଚିତ୍ର ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲାର ସିମନବାଡ଼ି ଓ ରାଇକିଆ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ରାଇକିଆ ଓ ବଙ୍କିଆ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭାସିଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ବାଲୁଗାଁ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ। ଘରେ ପାଣି ପଶି ଯାଇଥିବାରୁ ଲୋକେ ଛାତ ଉପରେ ରହିଛନ୍ତି। ବର୍ଷା ଏମିତି କାଚିଛି ଯେ କେଉଁଯା ପୋଖରୀ ଏବଂ କେଉଟା ବିଲ ତାହା ଜଣାପଡ଼ୁ ନାହିଁ।

ଭଞ୍ଜନଗରରେ ବି ସ୍ଥିତି ଅସମ୍ଭାଳ। ଗାଁ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଋଷିକୂଲ୍ୟା ନଦୀର ବନ୍ୟା ଜଳ ୧୦ରୁ ଅଧିକ ପଞ୍ଚାୟତରେ ପ୍ରବେଶ କରିଥିବାରୁ ସ୍ଥିତି ଅଣାୟତ୍ତ ହୋଇଯାଇଛି।

ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅନ୍ୟ ନଦୀର ଜଳ ସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି।

“ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ତିତ୍‌ଲି। ଦୁର୍ବଳ ହୋଇ ଏହା ଗୁରୁବାର ୧୧ଟା୩୦ରେ ଡିପ୍‌ ଡିପ୍ରେସନର ରୂପ ନେଇଛି। ଆଜି ରାତି ସୁଦ୍ଧା ଏହା ଡିପ୍ରେସନର ରୂପ ନେଇ ଦୁର୍ବଳ ହୋଇଯିବ। ହେଲେ ଏହାର ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହୋଇଛି। ଘୂର୍ଣ୍ଣିଝଡ଼ ଉତ୍ତର-ପୂର୍ବ ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଥିବାରୁ ଉତ୍ତର ଓଡ଼ିଶା ପ୍ରତି ସତର୍କ ସୂଚନା ଜାରି କରାଯାଇଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳର ଜି ଉଦୟଗିରିରେ ୩୫୧ ମିଲିମିଟର, ରାଇକିଆରେ ୨୮୨ ମିଲିମିଟର, କଟକର କନ୍ତାପଡ଼ାରେ ୩୧୯ ମିଲିମିଟର, ବାଙ୍କିରେ ୨୮୧ ମିଲିମିଟର, ମୋହନାରେ ୨୩୮ ମିଲିମିଟର, ଗଞ୍ଜାମରେ ୨୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବନ୍ୟା ଯୋଗୁଁ ୫୨ଟି ବ୍ଲକରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି।

୭ ଦିନ ଯାଏଁ ରନ୍ଧା ଖାଦ୍ୟ, ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା

୭ ଦିନ ଯାଏଁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ରନ୍ଧା ଗାଦ୍ୟା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କ୍ଷୟକ୍ଷତି ରିପୋର୍ଟ ୭ ଦିନ ଭିତରେ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

Comment