ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦୁଇ ସପ୍ତାହ ହେଲା ଏୟାର ଓଡ଼ିଶା ବିମାନ ସେବା ଠପ।

ଓଡ଼ିଶାରେ ବିମାନ ସେବା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହୋଇଥିବା ଏୟାର ଓଡ଼ିଶା ଏକ ଫାର୍ସ ସଂସ୍ଥାରେ ପରିଣତ ହୋଇଛି। ଏହାଛଡ଼ା ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା, ଏହାକୁ ସମସ୍ତେ ସହ୍ୟ କରି ଚାଲିଛନ୍ତି। ସେପ୍ଟେମ୍ବର ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଲୋକାର୍ପଣ କଲେ ସମସ୍ତେ ଆଶା ରଖିଥିଲେ ଯେ, ପଶ୍ଚିମ ଓଡ଼ିଶାର ଏକ ବଡ଼ ଅଭାବ ପୂରଣ ହେଲା।

କିନ୍ତୁ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରରେ ଦୁଇ ସପ୍ତାହ ହେଲା ସେବା ଠପ ହୋଇଯାଇଛି। ଆଉ ଏହାର କାରଣ ହେଲା, ଏୟାର ଓଡ଼ିଶା ବିମାନ ସଂସ୍ଥାର ମନମାନି। ଅବସ୍ଥା ଗୁରୁତର ହେବାରୁ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ ସଂସ୍ଥାକୁ ଶୋ କଜ୍ ନୋଟିସ ଜାରି କରାଯାଇଛି।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନ ସେବା ଯୋଗାଇ ଦିଆଗଲେ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପୁଞ୍ଜି ବିନିଯୋଗ ସମ୍ଭବ ହେବ ବୋଲି ଆଶା ରଖି ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକାର୍ପଣ କରାଯାଇଥିଲା। ହେଲେ ବିମାନ ସେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଏୟାର ଓଡ଼ିଶା ତା’ ଦାୟିତ୍ୱରେ ଖିଲାପ କରି ଆସୁଛି।

କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଏହି ସଂସ୍ଥାକୁ ଚୟନ କରାଯାଇଥିଲା। କିନ୍ତୁ ବୈଷୟିକ କାରଣ ଦର୍ଶାଇ ଏୟାର ଓଡ଼ିଶା ନିୟମିତ ଭାବରେ ବିମାନ ସେବା ଉପଲବ୍ଧ କରାଇବା ତ ପରର କଥା ମନ୍ତ୍ରଣାଳୟର ଅନୁରୋଧକୁ ଶୁଣୁ ବି ନାହିଁ।

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଅଧ୍ୟକ୍ଷ ଏସସି ଚୌହାନଙ୍କ କହିବା ଅନୁଯାୟୀ, ୬ ତାରିଖରେ ଶେଷ ଫ୍ଲାଇଟ ଆସିଥିଲା। ତା’ପରେ ଆଉ କୌଣସି ଫ୍ଲାଇଟ ଆସିନାହିଁ। ଖାଲି ସେତିକି ନୁହେଁ, ବିନା କାରଣରେ ଓ ବିନା ଜଣାଇ ଏୟାର ଓଡ଼ିଶା ଫ୍ଲାଇଟ ରଦ୍ଦ କରୁଛି ବୋଲି ଚୌହାନ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଯେତେବେଳେ ବି ସଂସ୍ଥା ଫ୍ଲାଇଟ ଚଳାଉଛନ୍ତି ସମୟକୁ ମାନୁନାହାନ୍ତି। ସଂସ୍ଥା ବିରୋଧରେ ବିମାନ ଆସିବା ଓ ଛାଡ଼ିବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି।

ଡିଜିସିଏର ତଥ୍ୟ ଅନୁସାରେ, ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଏୟାର ଓଡ଼ିଶା ପକ୍ଷରୁ ସର୍ବାଧିକ ଫ୍ଲାଇଟ ରଦ୍ଦ କରାଯାଇଛି। ଏହି ଭଳି ଏକ ସଂସ୍ଥା ସହ ଚୁକ୍ତି କାହିଁକି ହୋଇଛି ଓ ତାଙ୍କ ବିରୋଧରେ ମନ୍ତ୍ରାଳୟ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଝାରସୁଗୁଡ଼ା ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି।

ଖାଲି ସେତିକି ନୁହେଁ, ଯାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ ଟିକେଟ ବୁକିଂ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଯାହାଫଳରେ କି ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଥିବା ସଂସ୍ଥାର ଅଫିସକୁ ଆସି ଟିକେଟ କିଣିବାକୁ ପଡ଼ୁଛି। ଏପରିକି ଅଫିସରେ ମଧ୍ୟ କେହି ରହୁନାହାନ୍ତି ଓ ବିଗତ ପନ୍ଦର ଦିନ ଧରି ଅଫିସ ବନ୍ଦ ରହିଛି।

Comment