ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ ଓ ଅର୍ଚ୍ଚିତା ପ୍ରାୟ ସାତବର୍ଷ ପରେ ପୁଣି ଏକାଠି ନଜର ଆସିଛନ୍ତି। ହଁ, ବାବୁସାନ୍‌ ଅର୍ଚ୍ଚିତାଙ୍କ ଯୋଡ଼ି ଏବେ ନୂଆ ସିନେମା ‘ଅଜବ ସଞ୍ଜୁର ଗଜବ ଲଭ୍‌’ରେ ନଜର ଆସିବେ।

ଓଲିଉଡର ସୁପରଷ୍ଟାର ହେଲେ ବାବୁସାନ୍‌ ଓ ସୁପର ହିରୋଇନ୍‌ ହେଲେ ଅର୍ଚ୍ଚିତା। ଏ ଦୁହିଁଙ୍କୁ ଏକାଠି ବେଶ୍ କିଛି ବର୍ଷ ହେଲା ଦର୍ଶକ କୌଣସି ସିନେମାରେ ଦେଖିବାକୁ ପାଇନାହାନ୍ତି। ତେବେ ସେ ଯାହା ହେଉନା କାହିଁକି ବାବୁସାନ୍- ଅର୍ଚ୍ଚିତାଙ୍କ ଯୋଡ଼ିକୁ ୨୦୧୯ ନୂଆବର୍ଷରେ ରିଲିଜ୍‌ ହେବାକୁ ଥିବା ଏକ ନୂତନ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ।

ହଁ, ଯେଉଁ ସିନେମାରେ ପୁଣି ବାବୁସାନ ଓ ଅର୍ଚ୍ଚିତା ଏକାଠି ଆସୁଛନ୍ତି, ସେହି ଫିଲ୍ମର ଟାଇଟଲ୍ ହେଲା ‘ଅଜବ ସଞ୍ଜୁର ଗଜବ ଲଭ୍‌’। ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଛି ଏହି ଓଡ଼ିଆ ସିନେମା। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।

ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ‘ଅଜବ ସଞ୍ଜୁର ଗଜବ ଲଭ୍’ର ନିର୍ମାତା ହେଲେ ନିହାର ସାମଲ ଓ ବିନି ସାମଲ। ଏହା ପୂର୍ବରୁ ଏହି ବ୍ୟାନରରେ ନିର୍ମିତ ହୋଇଛି ଅନ୍ୟ ଏକ ସିନେମା, ଯାହାର ଟାଇଟଲ ହେଲା ‘ସାଥୀ ତୁ ଫେରିଆ’। ଯେଉଁଥିରେ ଜ୍ୟୋତି, ଅନୁଭା, ମହାଶ୍ୱେତା, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ମଣ୍ଟୁ ଓ ଅନୀଷା ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଏହାର ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ।

ଜୀ-ସାର୍ଥକର ସହଯୋଗରେ ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ଅଜବ ସଞ୍ଜୁର ଗଜବ ଲଭ୍’। ଏଥିରେ ବାବୁସାନ୍‌- ଅର୍ଚ୍ଚିତାଙ୍କ ବ୍ୟତୀତ ମିହିର ଦାସ, ଅପରାଜିତା ମହାନ୍ତି, ବବି ମିଶ୍ର, ଅସିତ ପତି, ଜୀବନ ପଣ୍ଡା, କୁନାଲ, ନୀର ଓ ନୂଆ ଖଳନାୟକ ଅଭିଜିତ୍‌ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଏହା ଏକ ରୋମାଣ୍ଟିକ୍‌- କମେଡି ସିନେମା।

‘ଲୋଫର୍’ ପରେ ଅଶୋକ-ବାବୁସାନ୍‌-ଅର୍ଚ୍ଚିତା ଏକାଠି

୨୦୧୧ର ଲୋକପ୍ରିୟ ସିନେମା ‘ଲୋଫର୍’ରେ ପ୍ରଥମେ ବାବୁସାନ୍‌- ଅର୍ଚ୍ଚିତାଙ୍କ ଯୋଡ଼ିକୁ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହା ପରେ ଦୀର୍ଘ ସାତବର୍ଷ ହେଲା ଅଶୋକ ଏହି ପପୁଲାର ପେଆର୍‌କୁ ନେଇ କୌଣସି ସିନେମା ତିଆରି କରିନାହାନ୍ତି। ‘ଲୋଫର୍’ ପରେ ପୁଣି ଏକାଠି ହୋଇଛନ୍ତି ‘ଅଜବ ସଞ୍ଜୁର ଗଜବ ଲଭ୍’ରେ ଅଶୋକ-ବାବୁସାନ୍‌- ଅର୍ଚ୍ଚିତା।

ସାତ ବର୍ଷ ପରେ ପୁଣି ବାବୁସାନ୍‌ – ଅର୍ଚ୍ଚିତା

ଓଲିଉଡର ଲୋକପ୍ରିୟ ଯୋଡ଼ି ବାବୁସାନ୍‌- ଅର୍ଚ୍ଚିତା ପ୍ରାୟ ସାତ ବର୍ଷ ବ୍ୟବଧାନରେ ପୁଣି ଏକାଠି ଏକ ଓଡ଼ିଆ ସିନେମାରେ କାମ କରୁଛନ୍ତି।

ବାବୁସାନ୍‌- ଅର୍ଚ୍ଚିତା ଯୋଡ଼ିଙ୍କୁ ଶେଷ ଥର ପାଇଁ ଦର୍ଶକ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥୁକୁଲ୍’ରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମଟି କିନ୍ତୁ ଫ୍ଲପ୍‌ ହୋଇଥିଲା। ଏହା ପରେ ଏହି ଯୋଡ଼ିକୁ ନେବା ଲାଗି ପ୍ରଯୋଜକ, ନିର୍ଦ୍ଦେଶକଙ୍କର ଆଗ୍ରହ ଦେଖିବାକୁ ମିଳିନଥିଲା।

ଏହା ଅବଶ୍ୟ ଭିନ୍ନ କଥା ଯେ ‘ଲୋଫର୍‌’ ଓ  ‘ଥୁକୁଲ୍‌’ ବ୍ୟତୀତ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଚକୋଲେଟ୍’ରେ ବି ନାୟକ-ନାୟିକା ଭୂମିକାରେ ନଜର ଆସିଥିଲେ ବାବୁସାନ୍‌ ଓ ଅର୍ଚ୍ଚିତା। ଏହି ସିନେମାରେ ଉଭୟେ ପ୍ରଭାବଶାଳୀ ଅଭିନୟ କରିଥିଲେ ହେଁ, ଫିଲ୍ମଟି ଫ୍ଲପ୍‌ ହୋଇଥିଲା।

ବାବୁସାନ୍‌- ଅର୍ଚ୍ଚିତାଙ୍କ ଫିଲ୍ମରେ ପ୍ରଥମ ଥର ପ୍ରେମ ଆନନ୍ଦ

ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରଥମ ଥର ପାଇଁ ବାବୁସାନ୍‌- ଅର୍ଚ୍ଚିତା ଯୋଡ଼ିଥିବା ସିନେମା ‘ଅଜବ ସଞ୍ଜୁର ଗଜବ ଲଭ୍’ରେ ସ୍ୱର ସଂଯୋଜନା କରୁଛନ୍ତି। ଏହା ଆଗରୁ ଏହି ଯୋଡ଼ିଙ୍କର ଅନ୍ୟ ତିନି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅନ୍ୟମାନେ। ଗତ କିଛି ସମୟ ହେବ ବାବୁସାନଙ୍କ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା କେବଳ ଅଭିଜିତ ମଜୁମଦାର ଦେଇଥିବାର ନଜିର ରହିଛି। ହେଲେ ଏଥର ପ୍ରେମ ଆନନ୍ଦଙ୍କୁ ମିଳିଛି ସେହି ସୁଯୋଗ।

Comment