ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିଯୁକ୍ତମାନେ ୧୫ ଦିନ ପୂର୍ବରୁ ଯୋଜନା କରି ଟଙ୍କା ପାଇଁ କରିଥିଲେ ଅପହରଣ।

ପ୍ରତିଷ୍ଠିତ ବ୍ୟବସାୟୀ ତଥା ନବରଙ୍ଗପୁର ଏମପିଙ୍କ ପ୍ରତିନିଧି ସଦାଶିବ ସାହୁ(ସୁନୀଲ) ଅପହରଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଅଫୁଟା ଗୁଳି ଓ ୮୦ହଜାର ଟଙ୍କା ଜବତ କରାଯାଇଛି। ଅପହରଣ ରେ  ବ୍ୟବହାର କରାଯାଇଥିବା ସ୍କର୍ପିଓ ଗାଡିକୁ କୋଙ୍ଗା ଜଙ୍ଗଲରୁ ପୋଲିସ ଜବତ କରିଛି। ଗିରଫ କରି ୫ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ଅପହରଣ ପାଇଁ ୧୫ ଦିନ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା କରିଥିଲେ।। ଟଙ୍କା ପାଇଁ ଏହି ଅପହରଣ କରାଯାଇଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ନବରଙ୍ଗପୁର ଭାରପ୍ରାପ୍ତ ଏସ୍ ପି ତଥା କୋରାପୁଟ ଏସ୍ ପି ଡକ୍ଟର କେ. ଭିସାଲ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅପହରଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟପୁର ଥାନା ଅନ୍ତର୍ଗତ ବାୟ।ଗୁଡା ଗାଁର ସୁରେନ୍ଦ୍ର ନାଗ(୨୦), କଳାହାଣ୍ଡି ଗାଁର ସୁବାସ ହରିଜନ(୨୭) ଓ ଦୈତାରି ହରିଜନ(୨୬), ସିଆଡ଼ିମାଲ ଗାଁର ସୁରେଶ ହରିଜନ(୩୨) ଏବଂ ନବରଙ୍ଗପୁର ଗାନ୍ଧିନଗର ସାହିର ସୁମନ କୁମାର ପାଢୀ ଓରଫ ମିକୁନ।

ନଭେମ୍ବର ୮ତାରିଖ ରେ ସୁନୀଲ ନବରଙ୍ଗପୁର ସ୍ଥିତ ନିଜ ଘରକୁ ଫେରିବା ସମୟରେ ଖୁଣ୍ଟିଆ- ସିନ୍ଧିଗୁଡା ଛକ ନିକଟରୁ ତାଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ସୁନିଲଙ୍କ ଆଖିରେ ପଟି ବାନ୍ଧି ଅଭିଯୁକ୍ତ ମାନେ ରଖିଥିଲେ। ନଭେମ୍ବର ୧୨ରେ ଜୟପୁର ଜୟନଗର ଠାରୁ ୫କିମି ଦୂରରେ ଅପହରଣକାରୀମାନେ ସୁନୀଲଙ୍କୁ ଛାଡିଦେଇଥିଲେ ବୋଲି ନବରଙ୍ଗପୁର ଭାରପ୍ରାପ୍ତ ଏସ୍ ପି ସୂଚନା ଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସି.ଏଚ ହୃଦୟାନନ୍ଦ, ଏସ୍‌ଡିପିଓ ବିମଳ କାନ୍ତ ବ୍ରହ୍ମା, ଡିଏସପି ଗୋବିନ୍ଦ ବୁରୁଦ।, ନବରଙ୍ଗପୁର ଥାନା ଅଧିକାରୀ ଭୀମସେନ ନାୟକ, ଅତିରିକ୍ତ ଥାନା ଅଧିକାରୀ ମୁନି ଆଚାରୀ, ଏସ୍‌ ଆଇ ଦିଲ୍ଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comment