ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା।

ଶୁଭାରମ୍ଭ ହୋଇଯାଇଛି ଇ-ଚାଲାଣ ବ୍ୟବସ୍ଥା। ପରିବହନ ବିଭାଗ ମନ୍ତ୍ରୀ ନୃସିଂହ ଚରଣ ସାହୁ ଭୁବନେଶ୍ଵର ଜୟଦେବ ଭବନସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଏହାକୁ ଉଦ୍‌ଘାଟନ କରିଛନ୍ତି।

“ଏହି ବ୍ୟବସ୍ଥା ଦ୍ଵାରା ସଡ଼କ ଦୁର୍ଘଟଣାକୁ ରୋକା ଯାଇପାରିବ ଏବଂ ଦୁର୍ନୀତି ରୋକାଯାଇ ପାରିବ”, କହିଛନ୍ତି ମନ୍ତ୍ରୀ ନୃସିଂହ ଚରଣ ସାହୁ।

ରାଜ୍ୟରେ ଏକ ଦକ୍ଷ ଓ ସ୍ଵଚ୍ଛ ପରବହନ ବ୍ୟବସ୍ଥା ଯୋଗାଇ ଦେବାକୁ ରାଜ୍ୟ ପରିବହନ ବିଭାଗ ଏବେ ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବା ନିମନ୍ତେ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଇ-ଚାଲାଣ ବ୍ୟବସ୍ଥା ପ୍ରଚଳନ କରିବାକୁ ପଦକ୍ଷେପ ନେଇଛନ୍ତି।

ଏହି ବ୍ୟବସ୍ଥା ମାଧ୍ୟମରେ  ଜନ ସାଧାରଣ ବିଭିନ୍ନ ସୁବିଧା ପାଇପାରିବେ।  ଇ-ଚାଲାଣ ଯନ୍ତ୍ରଟି ‘ବାହାନ୍’ ଓ ‘ସାରଥୀ’ ଆପ୍ଲିକେସନର ସର୍ବଭାରତୀୟ ଡାଟାବେସ ସହ ସଂଯୁକ୍ତ ହୋଇଥିବାରୁ ଦେଶର ଯେକୌଣସି ମୋଟରଯାନ ତଥା ଚାଳକ ସମ୍ବନ୍ଧୀୟ ତଥ୍ୟ ସଙ୍ଗେସଙ୍ଗେ ଜାଣିହେବ। ଏହା ଦ୍ଵାରା ଯେକୌଣସି ମୋଟରଯାନ ତଥା ଚାଳକଙ୍କ ଦ୍ଵାରା ହୋଇଥିବା ଆଇନ ଉଲ୍ଲଘଂନ ସମ୍ପର୍କରେ ସହଜରେ ଜାଣିହେବ।

ପରିବହନ ବିଭାଗ ସମ୍ବନ୍ଧୀୟ ସମସ୍ତ ଟିକସ୍, ଫି ଓ ଜରିମାନା ଡିଜିଟାଲ ମୋଡରେ ଦେଇପାରିବେ।

ଇ-ଚାଲାଣ ଯନ୍ତ୍ର ଦ୍ଵାରା ଘଟଣାସ୍ଥଳରେ ମୋଟରଯାନ ଯାଞ୍ଚ ରିପୋର୍ଟ (ଭିସିଆର) ପ୍ରଦାନ କରାଯାଇପାରିବ।

ସମସ୍ତ ପ୍ରକାର ମାନୁଆଲ ଚାଲାଣ ପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ରହିବ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଏହି ବ୍ୟବସ୍ଥାରେ ମୋଟର ଯାନ ଉଲ୍ଲଙ୍ଘନକାରୀଙ୍କ ଦ୍ଵାରା ଘଟୁଥିବା ଅପରାଧର ଅନଲାଇନ ରେକର୍ଡ ରଖାଯିବାର ବ୍ୟବସ୍ଥା ରହିଛି।

ନିୟମ ଭଙ୍ଗ କରିଥିବା ବ୍ୟକ୍ତି କ୍ରେଡିଟ ଓ ଡେବିଟ କାର୍ଡ଼ ଜରିଆରେ  ଘଟଣାସ୍ଥଳରେ ଜରିମାନା ଦେଇପାରିବେ।

ଚାଲାଣ କଟାଯାଉଥିବା ସ୍ଥାନର ତଥ୍ୟ,  ଆଇନ ଭଙ୍ଗ କରିଥିବା ଯାନ ତଥା ଚାଳକଙ୍କ ଫଟୋ ଉଠାଇବାର ବ୍ୟବସ୍ଥା ରହିଛି।

ଚାଲାଣ କଟା ଯିବା ସଙ୍ଗେ ସଙ୍ଗେ ଗାଡ଼ି ମାଲିକ ତଥା ଚାଳକଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରୁ ଏସ୍ଏମ୍ଏସ୍ ଜରିଆରେ ସୂଚିତ କରାଯିବ।

ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତଥା ଡିଜିଟାଲ ମୋଡରେ ପରିବହନ ରାଜସ୍ଵ ଆଦାୟ କରିବା ନିମନ୍ତେ ପରିବହନ କମିଶନର ଏବଂ ଏଚଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ  ଏକ  ଚୁକ୍ତି ସ୍ଵାକ୍ଷରିତ ହୋଇଛି।

ଏଚଡିଏଫ୍‌ସି ବ୍ୟାଙ୍କ ତରଫରୁ ୧୯୫ ଟି ଇ- ଚାଲାଣ ଡେଭିସ୍‌ ପରିବହନ ବିଭାଗର ଅଧିକାରୀ ନିମନ୍ତେ ଯୋଗାଇ ଦିଆଯାଇଛି।

Comment