ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବେ ମୋଦି!

ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଫୋକସ୍‌ରେ ଉପକୂଳ ଓଡ଼ିଶା। ଡିସେମ୍ବର ୨୪ରେ ମୋଦି ଖୋର୍ଦ୍ଧା ଆସିବେ। ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ମୋଦିଙ୍କ ଓଡ଼ିଶା ଆସିବା ଖବର ଶୁଣିବା ପରେ ବିଜେପି କର୍ମୀମାନେ ଉତ୍ସାହିତ ହୋଇ ଯାଇଛନ୍ତି। ତେବେ ମୋଦି ଖୋର୍ଦ୍ଧାରେ କ’ଣ କହିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ସେପ୍ଟେମ୍ବର ୨୨ ତାରିଖରେ ମୋଦି ଆସିଥିଲେ ଓଡ଼ିଶା। ତାଳଚେର ସାର କାରଖାନା ଏବଂ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ କରିଥିଲେ। ଏହାଥିଲା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ଲୋକାର୍ପଣ ଉତ୍ସବ ଶେଷ ହେବା ପରେ ମୋ ଦି ତାଳଚେର ଏବଂ ଝାରସୁଗୁଡ଼ାରେ ଜନସଭାରେ ଉଦବୋଧନ ଦେଇଥିଲେ। ଏହି ସଭାରେ ମୋଦି ପ୍ରଥମ ଥର ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ପିସି କାରବାରଠୁ ଆରମ୍ଭ କରି ଚାରା ଦୁର୍ନୀତି, ବେକାରୀ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଆଟାକ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ହୋଇଥିଲା।

ମୋଦିଙ୍କୁ କାଉଣ୍ଟର କରିବା ପାଇଁ ସେତେବେଳେ ପଛାଇ ନଥିଲେ ନବୀନ। ଉଜ୍ଜଳା ସ୍କାମରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ମୋଦି ନବୀନଙ୍କୁ ଘେରିବା ଏବଂ ନବୀନ ମୋଦିଙ୍କୁ ଜବାବ ଦେବା ପ୍ରସଙ୍ଗ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା।

ଜୁନ୍ ୨୨ରେ ମୋଦି ତାଳଚେର ଏବଂ ଝାରସୁଗୁଡ଼ାରେ ସମାବେଶ କରିବା ପଛରେ ମୂଳ ଉଦ୍ଦେଶ୍ୟ ଥିଲା ୨୦୧୯ ଭୋଟ। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦି ପଶ୍ଚିମଓଡ଼ିଶା ଭୋଟରଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଥିଲେ।

ସେହିପରି ମୋଦି ମେ’୨୬ରେ କଟକ ଆସିଥିଲେ। କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୋଦି ଐତିହାସିକ କିଲା ପଡ଼ିଆରେ ଉଦବୋଧନ ଦେଇଥିଲେ। ସେତେବେଳେ ମହାନଦୀ ପ୍ରସଙ୍ଗକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ସରକାର ମୁହାଁମୁହିଁ ହୋଇଥିଲେ। ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ କରି ପାଣି ଅଟକାଇଥିବାରୁ ଓଡ଼ିଶାର ୧୫ଟି ମହାନଦୀ ଅବବାହିକା ଜିଲ୍ଲାରେ ବିଜେଡି ମହାନଦୀ ସୁରକ୍ଷା ଯାତ୍ରା କରିଥିଲା।

ଆଶା କରାଯାଉଥିଲା ମହାନଦୀ ବିବାଦ ସମ୍ପର୍କରେ ମୋଦି କିଛି କହିବେ ଏବଂ ସମାଧାନର ରାସ୍ତା ଦେଖାଇବେ। ହେଲେ ସେମିତି କିଛି ଘଟିଲା ନାହିଁ। ମୋଦି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀର ମାରି ଚାଲିଗଲେ।

ଏବେ ପୁଣି ମୋଦି ଓଡ଼ିଶା ଆସିବା ଲାଗି ପ୍ରସ୍ତୁତ ହେଉଛନ୍ତି। ମୋଦି ଡିସେମ୍ବର ୨୪ରେ ଆସିବା ନେଇ ବିଜେପି ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ତେବେ ମୋଦି ଯେଉଁ ସମୟରେ ଓଡ଼ିଶା ଆସିବେ ସେତେବେଳେ ରାଜ୍ୟ ରାଜନୀତି ୨୦୧୯ ପାଇଁ ଚଳଚଞ୍ଚଳ ଥିବ।

ଡିସେମ୍ବର ୨୪ ବେଳକୁ ୫ଟି ରାଜ୍ୟର ବିଧାନସଭା ଫଳ ବାହାରି ସାରିଥିବ। ୨୦୧୯ ପୂର୍ବରୁ ଅନ୍ୟ କେଉଁ ରାଜ୍ୟରେ ନିର୍ବାଚନ ନଥିବ। ଏଣୁ ମୋଦି ଓଡ଼ିଶା ଉପରେ ଫୋକସ୍ କରିବେ। ଓଡ଼ିଶା ଭୋଟରଙ୍କୁ ମନାଇବା ପାଇଁ ମୋଦି ଖୋର୍ଦ୍ଧା ସମାବେଶରେ କିଛି ନୂଆ କଥା କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏପଟେ ମୋଦି ୨୪ରେ ଓଡ଼ିଶାକୁ ଆସିବାକୁ ଥିବା ବେଳେ ବେଳେ ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ପ୍ରତିଷ୍ଠା ଦିବସରେ ବିଜେଡି ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁବ। ଏହାଛଡ଼ା କଂଗ୍ରେସ ଦଳର କିଛି ନେତା ଏବଂ ବିଜେପି ଛାଡ଼ିଥିବା କିଛି ନେତା ଏହି ପ୍ରତିଷ୍ଠା ଶିବିରରେ ବିଜେଡିରେ ମିଶିବା ନେଇ ଆଲୋଚନା ହେଉଛି।

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଓଡ଼ିଶାରେ ମୋଦି ହାୱାକୁ ଭର୍ତ୍ତି କରିବା ପାଇଁ ବିଜେପି ରଣନୀତିଜ୍ଞମାନେ ଅଙ୍କ କଷୁଥିବା କୁହାଯାଉଛି। ବିଜେଡିର ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବା ପାଇଁ ମୋଦି ଦିନକ ପୂର୍ବରୁ ଖୋର୍ଦ୍ଧା ଆସୁଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ବିଜେଡି ସବୁବେଳେ କେନ୍ଦ୍ର ଅବହେଳାର କଥା ଉଠାଉଛି। ମୋଦି ଏହା ଉପରେ ବିଜେଡିକୁ ଜବାବ ଦେଇପାରନ୍ତି। ସେହିପରି ମହାନଦୀ ପ୍ରସଙ୍ଗକୁ ବିଜେଡି ନିର୍ବାଚନୀ ଅସ୍ତ୍ର କରିବାକୁ ଯୋଜନା କରିଛି। ଏଣୁ ମହାନଦୀ ପ୍ରସଙ୍ଗରେ ଏଥର ମୋଦିଙ୍କୁ ଜବାବ ଦେବାକୁ ପଡ଼ିବ।

ଏହାସହ ଆୟୁଷ୍ମାନ ଭାରତକୁ ଓଡ଼ିଶା ଗ୍ରହଣ କରି ନଥିବାରୁ ଏବଂ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିବାରୁ ମୋଦି ଏ ସମ୍ପର୍କରେ ବାଣ ମାରି ପାରନ୍ତି।

ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ମୋଦି ଓଡ଼ିଶା ଆସୁଥିବାରୁ ବିଜେପି ଏଥିରୁ କେତେ ରାଜନୀତିକ ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା।

Comment