ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ଦେଇଥିବା ବିସ୍ଫୋରକ ବୟାନ ପଛର ରହସ୍ୟ।

“୨୦୧୯ରେ ଓଡ଼ିଶା ରାଜନୀତି ଦେଖିବ ନୂଆ ସକାଳ। ସମସ୍ତଙ୍କ ପାଇଁ ନୂଆ ସୂର୍ଯ୍ୟୋଦୟ ଆସିବ। ଏକ ନୂଆ ଓଡ଼ିଶା ନିର୍ମାଣ ହେବ”, ଏହା ହେଉଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମନ୍ତବ୍ୟ।

ସୋସିଆଲ ମିଡିଆରେ ୨୨ ମିନିଟର ଭିଡିଓ ପୋଷ୍ଟ କରି ବିଜୟ ଏହି ବୟାନ ଦେଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

ବିଜେପି ଛାଡ଼ିବାର ପାଞ୍ଚ ଦିନ ପରେ ଅର୍ଥାତ୍ ଡିସେମ୍ବର ୫ରେ ବିଜୟ ମହାପାତ୍ର ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଯାହା କହିଛନ୍ତି ରାଜନୀତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ। ତେବେ ବିଜୟ ଭିଡିଓର ଶେଷ ଭାଗରେ ବିଜୟ କହିଥିବା ‘ନୂଆ ସକାଳ’ ତଥା ‘ନୂଆ ସୂର୍ଯ୍ୟୋଦୟ’କୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଛି।

ବିଜୟ ଏବଂ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ହୋଇଥିଲା ଯେ ସେମାନେ ବିଜେଡି ଯିବେ। କିନ୍ତୁ ଏହି ଭିଡିଓରେ ବିଜୟ ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଗଣମାଧ୍ୟମର ଏହା ମନଗଢ଼ା କାହାଣୀ ବୋଲି କହିଛନ୍ତି। ଏଣୁ ବିଜୟ ଏବଂ ଦିଲ୍ଲୀପ ବିଜେଡି କିମ୍ବା ଅନ୍ୟ କୌଣସି ରାଜନୀତିକ ଦଳରେ ଯୋଗ ଦେବାକୁ ଚାହୁଁ ନଥିବା ଏଥିରୁ ସ୍ପଷ୍ଟ ହୋଇଛି।

ବିଜେଡି ଯିବାକୁ ଅମଙ୍ଗ?

ଦିନ ଥିଲା ବିଜୟ ମହାପାତ୍ରଙ୍କୁ ବିଜୁ ପଟ୍ଟନାୟକ ସରକାରରେ ‘ସୁପର ଚିଫ୍ ମିନିଷ୍ଟର’ ଭାବେ ବିବେଚନା କରାଯାଉଥିଲା। ସେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ତତ୍କାଳୀନ ଜନତା ଦଳର ଆଗଧାଡ଼ିର ନେତା ଭାବେ ବିଜୟ ଏବଂ ଦିଲ୍ଲୀପ ପରିଗଣିତ ହେଉଥିଲେ।

ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜେଡି ଗଠନ ହୋଇଥିଲା। ଏଥିରେ ବି ବିଜୟ ଏବଂ ଦିଲ୍ଲୀପଙ୍କ ପ୍ରମୁଖ ଭୂମିକା ରହିଥିଲା। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ୨୦୦୦ ମସିହାରେ ଏହି ଦୁଇ ତୁଙ୍ଗ ନେତାଙ୍କୁ ଯେପରି ବିଜେଡିରୁ ବିଦା କରାଗଲା ତାହା ସେତେବେଳେ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା। ଏହାକୁ ବିଜୟ ଏବଂ ଦିଲ୍ଲୀପ ସହଜରେ ଭୁଲି ନଥିବେ। ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳର ସୁପ୍ରିମୋଙ୍କ ଦ୍ୱାରା ବିଜୟଙ୍କ ନାମକୁ କାଟି ଦିଆଗଲା ସେହି ଅପମାନକୁ ଆତ୍ମସାତ କରି ପୁଣି ବିଜେଡିକୁ ଫେରିବା ଏକ କଷ୍ଟକର ନିଷ୍ପତ୍ତି ନିଶ୍ଚିତରେ।

ଏପଟେ ବିଜୟ ୧୮ ବର୍ଷ ହେଲା ବିଜେଡି ବିରୋଧରେ ବିଷୋଦଗାର କରି ଆସୁଛନ୍ତି। ଏଣୁ ବିଜେଡି ବି ତାଙ୍କୁ ସହଜରେ ଗ୍ରହଣ କରିନେବ ଏକଥା ବି କଳନା କରିବା କାଠିକର।

ବିଜୟ ଗତ ୫ ତାରିଖରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ଯଦି ତାହାକୁ ଭଲଭାବେ ଅନୁଧ୍ୟାନ କରାଯାଏ ତାହାଲେ ସେ ବିଜେଡି ଯିବାକୁ ଆଗ୍ରହୀ ନଥିବା ସ୍ପଷ୍ଟ ଜଣାପଡ଼ୁଛି।

ବିଜୟ ଏହି ଭିଡିଓରେ ନିଜ ରାଜନୀତିକ ଭବିଷ୍ୟତ ସମ୍ପର୍କରେ ଅବତାରଣା କରିଛନ୍ତି।

୧୮ ବର୍ଷର ସରକାରକୁ ତୀର!

ସେ କହିଛନ୍ତି, “୧୮ ବର୍ଷ ହେଲା ବହୁ ନେତା ଅତ୍ୟାଚାର ସହି ପଡ଼ି ରହିଛନ୍ତି। ବହୁ ଯନ୍ତ୍ରଣା ମଧ୍ୟ ଭୋଗୁଛନ୍ତି। ନୂଆ ନୂଆ ଯୁବକମାନେ ଅନେକ ସ୍ୱପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ଅନେକ କିଛି କରିବାର ମନରେ ସ୍ୱପ୍ନ ରହିଥିଲା। ହେଲେ କିଛି କରିପାରିଲୁ ନାହିଁ। ସେମାନଙ୍କ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ଯୋଜନା ବି ହୋଇପାରିଲା ନାହିଁ। ଆମାଗୀ ଦିନରେ ଯେତେବେଳେ ରାଜନୀତିକ ନିଷ୍ପତ୍ତି ନେବୁ ଏହିସବୁ ପ୍ରସଙ୍ଗ ନିଶ୍ଚିତ ଭାବେ ରହିବ। ‘ୟୁଥ୍‌ସ ଅଫ୍ ଓଡ଼ିଶା’ ଏଜେଣ୍ଡାକୁ ଧରି ଆମକୁ ଆଗକୁ ଯିବାକୁ ହେବ।”

ବିଜୟଙ୍କର ଏହି ମନ୍ତବ୍ୟ ଅନେ କଥା କହୁଛି। ବିଜୟ ପରୋକ୍ଷରେ ୧୮ ବର୍ଷର ଶାସନକୁ ସମାଲୋଚନା କରିଛନ୍ତି। ଯୁବକମାନଙ୍କ ପାଇଁ ୧୮ ବର୍ଷ ଭିତରେ କୌଣସି ଯୋଜନା ହୋଇପାରିଲା ନାହିଁ କହି ବିଜୟ ବିଜେଡି ଯିବାକୁ ଆଗ୍ରହୀ ନଥିବା ସଙ୍କେତ ଦେଇଛନ୍ତି।

ଓଡ଼ିଶାକୁ ପୁନଃନିର୍ମାଣ କରିବା ଆବଶ୍ୟକ

ଏହି ଭିଡିଓ ଜରିଆରେ ବିଜୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହି ପଦିଏ କଥା ବି ସ୍ପଷ୍ଟ କରୁଛି ଯେ ବିଜୟ ଏବଂ ଦିଲ୍ଲୀପ କୌଣସି ଦଳରେ ସାମିଲ ହେବାକୁ ଚାହୁଁ ନାହାନ୍ତି। ‘ଓଡ଼ିଶାର ପୁନଃନିର୍ମାଣ’ ହେବା ଆବଶ୍ୟକ କହି ବିଜୟ ଗୁଗୁଲି ଛାଡ଼ିଛନ୍ତି। ଚାଷୀ, ଯୁବକମାନଙ୍କୁ ଏକାଠି କରି ଏକ ନୂଆ ଓଡ଼ିଶା ଗଠନ କରିବାକୁ ବିଜୟ ଆହ୍ୱାନ ଦେଇଛନ୍ତି।

ବିଜୟ ଏହି ଆଲୋଚନା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛାଇ ଯାଇଥିବା କହି ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି।

ନୂଆ ଦଳ ଗଢ଼ିବେ କି?

ଭିଡିଓର ଶେଷ ଭାଗରେ ବିଜୟ ଯେଉଁ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ବିଜେଡି କିମ୍ବା ଅନ୍ୟ ଦଳରେ ସାମିଲ ହେବାକୁ ସେ ଚାହୁଁ ନାହାନ୍ତି। ୨୦୧୯ରେ ‘ନୂଆ ସକାଳ’ ଆସିବ କହି ବିଜୟ ନୂଆ ରାଜନୀତିକ ଦଳ ଗଠନ କରିବାକୁ ଇସାରା ଦେଇଛନ୍ତି। ତେବେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଜୟ ଦିଲ୍ଲୀପଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି।

ବିଜୟ ମହାପାତ୍ର ସ୍ୱାଭିମାନର ସହ ରାଜନୀତି କରି ଆସିଛନ୍ତି। ଯେଉଁଠି ତାଙ୍କ ସ୍ୱାଭିମାନରେ ଆଞ୍ଚ ଆସିଛି ସେ ସେହି ଦଳକୁ ଛାଡ଼ିଛନ୍ତି। ସେ ଅତୀତର ଏନସିପି ହେଉ କି ବର୍ତ୍ତମାନର ବିଜେପି। ବିଭିନ୍ନ ଦଳ ବୁଲି ବହୁ ତର୍ଜମା କରିବା ପରେ ୧୮ ବର୍ଷ ଭିତରେ ତାଙ୍କୁ ସେମିତି ବଡ଼ ସୁଯୋଗ ମିଳିନି। ଏଣୁ ୨୦୧୯ରେ ସେ ଯେଉଁ ‘ନୂଆ ସକାଳ ବା ନୂଆ ସୂର୍ଯ୍ୟୋଦୟ କଥା କହୁଛନ୍ତି ସେଥିରେ ତାଙ୍କ ରାଜନୀତିକ ଭାଗ୍ୟ ଉଦୟ ହେଉଛି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

Comment