ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଏବଂ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସଚିନ ପାଇଲଟ ସବୁଠୁ ବଡ଼ ଦାବିଦାର ଅଟନ୍ତି। ଗେହଲଟ୍ ନାଁ ସଚିନ ପାଇଲଟ କିଏ ବିଜୟ ମୁକୁଟ ପିନ୍ଧିବ ତାକୁ ନେଇ ରାଜନୀତି ସରଗରମ ହୋଇଛି।

୨୦୦୮ରେ କଂଗ୍ରେସର ତତ୍କାଳୀନ ପ୍ରଦେଶ ଅଧ୍ୟକ୍ଷ ସି ପି ଯୋଶୀ ଓ ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର ଥିଲେ। ସିପି ଯୋଶୀ  ନିର୍ବାଚନରେ ହାରି ଯାଇଥିଲେ ମାତ୍ର ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଥିଲେ। ସେହି ସମୟରେ ଦିଗବିଜୟ ସିଂହଙ୍କୁ ପର୍ଯ୍ୟବେକ୍ଷକ ରୂପେ ରାଜସ୍ଥାନ ପଠାଯାଇଥିଲା ଏବଂ ବିଧାୟକଙ୍କ ପସନ୍ଦ ଆଧାରରେ ଅଶୋକ ଗେହଲଟ ସେହି ସମୟରେ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିଲେ। ୧୦ ବର୍ଷ ପରେ ପୁଣି ଥରେ ବର୍ତ୍ତମାନ ପ୍ରଦେଶ ଅଧ୍ୟକ୍ଷ ସଚିନ ପାଇଲଟ ଓ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି।

ସଚିନ୍ ପାଇଲଟ ଚାରି ବର୍ଷରୁ  ଅଧିକ ସମୟ ରାଜସ୍ଥାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିଛନ୍ତି। ଅନ୍ୟପଟେ ଅଶୋକ ଗେହଲଟ ପାର୍ଟିର ଶକ୍ତିଶାଳୀ ନେତା ତଥା ମହାସଚିବ ଅଛନ୍ତି। ଉଭୟଙ୍କ ସମର୍ଥକ ପରିମାଣ ଘୋଷିତ ହେବା ପୂର୍ବରୁ ନିଜ ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଅଭିଜ୍ଞତା ଦୃଷ୍ଟିରୁ କଂଗ୍ରେସ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ। କେନ୍ଦ୍ର ସରକାରରେ ନୂଆ ଭୂମିକା ନେବା ସହ ରାଜସ୍ଥାନ ସରକାରରେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଗେହଲଟ୍। ହାଇକମାଣ୍ଡଙ୍କ ପାଖ ଲୋକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ଅଧିକ।

ସେହିପରି ଯୁବନେତା ସଚିନ ପାଇଲଟ ମଧ୍ୟ ରାହୁଲଙ୍କ ପାଖଲୋକ। ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ଦେବା ସହ ନିର୍ବାଚନ ଦାୟିତ୍ୱ ମଧ୍ୟ ଦେଇଥିଲେ।

ଏହି ଭିତରେ କୁହାଯାଇପାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ନେତାଙ୍କୁ ନେଇ ଅଡୁଆ ସ୍ଥିତିରେ ପଡ଼ିପାରନ୍ତି। ଗେହଲଟ ନାଁ ସଚିନ୍ ପାଇଲଟ୍ କାହାକୁ ମୁଖ୍ୟମନ୍ତ୍ରୀ କରିବେ ତାହା ନିଶ୍ଚିତ ଚିନ୍ତାର ବିଷୟ। କାରଣ ଦୁଇ ନେତାଙ୍କ ନେତୃତ୍ୱ ନେବାରେ କ୍ଷମତା ରହିଛି। ଗୋଟିଏ ପଟେ ଗେହଲଟଙ୍କ ପାଖରେ ଲମ୍ବା ରାଜନୈତିକ ଅନୁଭବ ଥିବାବେଳେ ଅନ୍ୟପଟେ ୪୧ ବର୍ଷୀୟ ସଚିନ ପାଇଲଟ ଦଳକୁ ଆଗକୁ ନେବାର ଦକ୍ଷତା ରଖିଛନ୍ତି।

Comment