ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହାରିବା ସତ୍ତ୍ୱେ ଓଡ଼ିଶାରେ ୨୦୧୯ରେ ସରକାର ଗଠନ କରିବା ନେଇ ବିଜେପି ଆଶା ରଖିଛି। ଉକ୍ତ ତିନି ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହୋଇଥାଇପାରେ କିନ୍ତୁ ଏଠି ବିଜେପି ନେତାମାନଙ୍କ ନୈତିକ ବଳ କୌଣସି ରକମ ହ୍ରାସ ପାଇଥିବା ଜଣା ପଡ଼ୁନାହିଁ।

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ କେବଳ ବିଜୟ ହାସଲ କରିବ ତାହା ନୁହେଁ ସରକାର ଗଠନ କରିବ ବୋଲି ବିଜେପି ନେତାମାନେ କହୁଛନ୍ତି।

ତିନିଟି ରାଜ୍ୟରେ ବିଜେପିର ପରାଜୟକୁ ସରକାରଙ୍କ ପ୍ରତି ଅସନ୍ତୋଷ ବୋଲି କହିବା ବେଳେ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ସେଠାକାର ଲୋକେ ପରିବର୍ତ୍ତନ ଚାହିଁଲେ ଓ ସେଥିପାଇଁ ବିଜେପି ବିରୋଧରେ ଗଲେ। ରାଜ୍ୟ ବିଜେପି ନେତାଙ୍କ ଅନ୍ୟ ଏକ ଯୁକ୍ତି ହେଉଛି ଯେ ଯେହେତୁ ଦୀର୍ଘ ବର୍ଷ ଧରି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ସରକାର କ୍ଷମତାରେ ଥିଲେ ଲୋକଙ୍କ ଆଶା ବହୁତ ବଢ଼ିଯାଇଥିଲା।

ବିଜେପିକୁ ଲୋକେ ଭୋଟ ନ ଦେବା ପଛରେ କାରଣ ହେଉଛି ସେଠାକାର ବିଜେପି ସରକାରମାନେ ଲୋକଙ୍କ ଆଶାକୁ ପୂରଣ କରିବାରେ ସମର୍ଥ ହୋଇପାରିନଥିଲେ।

ଓଡ଼ିଶାରେ ମଧ୍ୟ ସେହି ଯୁକ୍ତି ଦର୍ଶାଇଛନ୍ତି ବସନ୍ତ ପଣ୍ଡା। ନବୀନ ପଟ୍ଟନାୟକଙ୍କ ସରକାର ବି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି କ୍ଷମତାରୁ ଯିବା ସୁନିଶ୍ଚିତ ବୋଲି କହିବାକୁ ଯାଇ ବସନ୍ତ ଦୃଢ଼ତାର ସହ କହିଛନ୍ତି ଯେ ଲୋକେ ବିଜେଡି ସରକାରର ଶାସନରେ ଅତିଷ୍ଠ ହୋଇପଡ଼ିଲେଣି ଏବଂ ସେମାନେ ବିକଳ୍ପ ଖୋଜୁଛନ୍ତି।

ବିଜେପିକୁ ଭୋଟ ଦେଇ ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ମନସ୍ଥ କରିସାରିଛନ୍ତି ବୋଲି ବସନ୍ତ ପଣ୍ଡା ଦୋହରାଇଛନ୍ତି। ତେବେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ଓଡ଼ିଶା ବିଜେପି ଉପରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ ଏବଂ ବିଜେପି ଏଠି ଭଲ କରିବ ବୋଲି ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ହାରିବା ପଛରେ ମୋଦି ସରକାରଙ୍କ ଚାଷୀ ମାରଣ ନୀତି ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ ଖଣ୍ଡନ କରିବାକୁ ଯାଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ ମୋଦି ସରକାର କୃଷି ପ୍ରତି ଠିକ୍ ଧ୍ୟାନ ଦେଇଛନ୍ତି।

ଧାନର ନ୍ୟୁନତମ ସହାୟକ ମୂଲ୍ୟକୁ ଯେତେ ଅଧିକ ବଢ଼ାଇଛନ୍ତି ତାହା ଅତୀତରେ ଅନ୍ୟ କୌଣସି ସରକାର କରିନଥିଲେ। ବରଂ ଓଡ଼ିଶାରେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ନବୀନ ପଟ୍ଟନାୟକଙ୍କ ସରକାର ବିଫଳ ହୋଇଛନ୍ତି ଓ ଏଥିପାଇଁ ମୋଦିଙ୍କ ଉପରେ ଦୋଷ ଢାଳୁଛନ୍ତି। ଘନ ଘନ ଚାଷୀ ଆତ୍ମହତ୍ୟା ଏହାର ପ୍ରମାଣ ବୋଲି ହରିଚନ୍ଦନ କହିବା ସହ ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶାର ଲୋକେ ବିଜେଡି ସରକାରକୁ ଠିକଣା ଜବାବ ଦେବେ ବୋଲି ସେ ମତ ଦେଇଛନ୍ତି।

Comment