ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ
  • ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ ଦରମା
  • ୫ ହଜାର ୨୦୦ ଅଧ୍ୟାପକ ହେବେ ଉପକୃତ
  • କାଳିଆ ଯୋଜନା ପାଇଁ କଣ୍ଟିଜେନ୍ସୀ ଫଣ୍ଡର ପରିମାଣ ବୃଦ୍ଧି
  • ଯୋଗାଣ ନିରୀକ୍ଷକଙ୍କ ପାଇଁ ଆକାଉଣ୍ଟ ଓ ଲ’ପରୀକ୍ଷା ବାଧ୍ୟତାମୂଳକ
  • ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୁହାଁଣରେ ମିଳିବ ନୂଆ ଜମି

ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଣା ୟୁଜିସି ସ୍କେଲ ବଦଳରେ ନୂଆ ସ୍କେଲରେ ଦରମା ମିଳିବ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା ମିଳିବ। ୫ ହଜାର ୨୦୦ ଅଧ୍ୟାପକ, ଅଧ୍ୟାପିକା ଏଥିରେ ଉପକୃତ ହେବେ। ବିପିୟୁଟି ଏବଂ ଓୟୁଏଟି ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଏଥିରୁ ଲାଭବାନ ହେବେ।

ଏହାସହ କାଳିଆ ଯୋଜନା ପାଇଁ କଣ୍ଟିଜେନ୍ସୀ ଫଣ୍ଡର ପରିମାଣ ବୃଦ୍ଧି କରାଯାଇଛି। ୪୦୦ କୋଟିରୁ ୧୬୦୦ କୋଟି କଣ୍ଟିଜେନ୍ସି ଫଣ୍ଡ ବୃଦ୍ଧି କରାଯାଇଛି। ଏନେଇ ପଞ୍ଚଦଶ ଅର୍ଥ କମିଶନଙ୍କୁ ଜାନୁଆରୀ ୯ରେ ସ୍ମାରକପତ୍ର ପ୍ରଦାନ କରାଯିବ।

ନିକଟରେ କୃଷକମାନଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର।

ରାଜ୍ୟ କ୍ୟାବିନେଟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରାଇଭେଟ ଡିଲରଙ୍କ ଅବଧି ବୃଦ୍ଧି କରାଯାଇଛି।

ଯୋଗାଣ ନିରୀକ୍ଷକଙ୍କ ପାଇଁ ଆକାଉଣ୍ଟ ଓ ଲ’ପରୀକ୍ଷା ବାଧ୍ୟତାମୂଳକ କରାଯିବ। ଏହାସହ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୁହାଣରେ ନୂଆ ଜମି ପ୍ରଦାନ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବାଲୁକା କଳା ପାଇଁ ତାଙ୍କୁ ୦.୬ ଏକର ଜାଗା ପ୍ରଦାନ କରିବେ ରାଜ୍ୟ ସରକାର।

Comment