ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ପରୀକ୍ଷାର ବର୍ଷ ହେଉଛି ୨୦୧୯।

ବିଜେଡିର ମୁଣ୍ଡ ବିନ୍ଧାଇବେ ଆଶାୟୀ ପ୍ରାର୍ଥୀ!

ବିଦାୟ ନେଇଛି ୨୦୧୮। ବିଦାୟୀ ବର୍ଷରେ ଅନେକ ରାଜନୀତିକ ହଟଚମଟ ଦେଖିଛି ଓଡ଼ିଶା। ୨୦୧୯ ନିର୍ବାଚନ ପାଇଁ ୨୦୧୮ରୁ ହିଁ ବିଗୁଲ ଫୁଙ୍କିଛି ଶାସକ ବିଜେଡି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମୁହାଁ ହୋଇଥିଲେ।

ଏହି ଯୋଜନାକୁ ଅସ୍ତ୍ର କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ ଚାହୁଁଥିଲେ ମଧ୍ୟ ତାହା ଏତେ ସହଜ ହେବ ନାହିଁ ବୋଲି ରାଜନୀତି କରଡରରେ ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନ ଯେତିକି ନିକଟତର ହେବ ବିଜେଡି ପାଇଁ ସେତିକି ଅଡ଼ୁଆ ମାଡ଼ି ଆସିବ ବୋଲି ଆଲୋଚନା ହେଉଛି। ଦଳରେ ବଢ଼ୁଥିବା ଗୋଷ୍ଠୀ କନ୍ଦଳ ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

୨୦୧୮ରେ ବିଜେପି ଏବଂ କଂଗ୍ରେସ ଛାଡ଼ି ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ଟିକେଟ ପାଇବା ଆଶାରେ ବିଜେଡିକୁ ଆସିଛନ୍ତି। ଏହାଛଡ଼ା ଅନେକ ଯୁବ ନେତା ବି ଦଳ ଭିତରେ ଆବିର୍ଭାବ ହୋଇଛନ୍ତି। ସେମାନେ ବି ଟିକେଟ ପାଇବା ଆଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଗକୁ ଆସୁଛନ୍ତି। ଯେଉଁମାନେ ୨୦୧୪ରେ ନିର୍ବାଚନ ଜିତିଛନ୍ତି ସେମାନେ ବି ଟିକେଟ ପାଇବା ପାଇଁ ଜୋରଦାର ଲବି ଚଳାଇଛନ୍ତି।

ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦୁଇରୁ ଅଧିକ ଆଶାୟୀ ଟିକେଟ ରେସ୍‌ରେ ଅଛନ୍ତି। ଟିକେଟ ବଣ୍ଟନ ବେଳେ ବିଜେଡି ମ୍ୟାନେଜରଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। କାହାକୁ କାଟିବେ ଏବଂ କାହାକୁ ରଖିବେ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଖାଲି ସେତିକି ନୁହେଁ, ବିଜେପି ଏବଂ କଂଗ୍ରେସ ମଧ୍ୟ ବିଜେଡିର ବିଜୟ ରାସ୍ତା ଓଗାଳିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିଥିବାରୁ ଓଡ଼ିଶା କଂଗ୍ରେସ ନେତା ଉତ୍ସାହିତ ହୋଇପଡ଼ିଛନ୍ତି। ଏହାକୁ ଆଧାର କରି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ ବିଜେଡିକୁ ଗାଦିଚ୍ୟୁତ କରିବା ଲାଗି କାମ ଆରମ୍ଭ କରିଦେଇଛନ୍ତି।

ଏପଟେ ବିଜେପି ମଧ୍ୟ ୨୦୧୮ରୁ ବିଜେଡି ବିରୋଧରେ ଯୁଦ୍ଧ ଡାକରା ଦେଇଛି। ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ପୂର୍ବରୁ ଘନ ଘନ ଓଡ଼ିଶା ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାରୁ ବିଜେଡି ପାଇଁ ଚାଲେଞ୍ଜ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

“ବିଜେଡି ପାଇଁ ଚାଲେଞ୍ଜ ଥିଲେ ବି କିଛି ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେତିକି ନିର୍ମଳ ଭାବମୂର୍ତ୍ତି ରହିଛି ତାହାକୁ ଆଧାର କରି ଦଳ ଲୋକଙ୍କ ପାଖକୁ ଯିବ। ନିର୍ବାଚନ ବେଳେ କୌଣସି ପ୍ରତିବବନ୍ଧକ ରହିବ ନାହିଁ”, କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

କଂଗ୍ରେସ ପାଇଁ ଗୋଷ୍ଠୀ କନ୍ଦଳ ବଡ଼ ଚାଲେଞ୍ଜ

୨୦୧୯ ନିର୍ବାଚନ ପୂର୍ବରୁ ତିନୋଟି ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ। ଏହା ଓଡ଼ିଶା କଂଗ୍ରେସ ଶିବିରରେ ଉତ୍ସାହ ସୃଷ୍ଟି କରିଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳରୁ ଦଳ ଦୂରେଇ ପାରିନି। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣଚନ୍ଦ୍ର ଶଗରିଆ ଦଳର ନେତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଇ ଅଡ଼ୁଆ ବଢ଼ାଇଛନ୍ତି। ଏଣୁ ୨୦୧୯ରେ କଂଗ୍ରେସକୁ ଗୋଷ୍ଠୀ କନ୍ଦଳ ଦୂର କରିବାକୁ ପଡ଼ିବ।

୨୦୧୯ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ସହ ନେତାଙ୍କ ଭିତରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ, ୧୪୭ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଉପଯୁକ୍ତ ପ୍ରାର୍ଥୀ ଦେବାକୁ ପଡ଼ିବ। ଯଦି ଦଳ ଗୋଷ୍ଠୀ କନ୍ଦଳକୁ ଦୂର ନକରେ ତାହାଲେ କଂଗ୍ରେସ ୨୦୧୪ ଭଳି ପରିଣାମ ଭୋଗିବ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

“ବିଗତ ଦିନରେ କ’ଣ ହୋଇଛି ଏବଂ ଆଗକୁ କ’ଣ କରାଯିବ ତାହା ଓଡ଼ିଶାର ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ। ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ୨୦୧୯ରେ ଆମେ ଏହାକୁ ଅଧିକ ଗୁରୁତ୍ୱ ଦେବୁ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଜେପିକୁ ଚାଲେଞ୍ଜ ମିଶନ ୧୨୦

୨୦୧୭ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଶଙ୍ଖ ଗଡ଼ରେ ପଦ୍ମ ଫୁଟିଥିଲା। ଏହି ସଫଳତା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମିଶନ ୧୨୦ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବାରମ୍ବାର ଓଡ଼ିଶା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମଧ୍ୟ ତାହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିପାରୁ ନାହାନ୍ତି ବିଜେପିର ନେତା। ମିଶନ ୧୨୦ ହାସଲ ପାଇଁ ବିଜେପିକୁ ଏବେଠାରୁ ଅଧିକ କସରତ କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

ଖାଲି ସେତିକି ନୁହେଁ, ବରିଷ୍ଠ ଏବଂ କନିଷ୍ଠ ନେତାଙ୍କୁ ଏକାଠି କରିବା ସହ ୩୬ ହଜାର ବୁଥ୍‌ରେ ନିଜର ଉପସ୍ଥିତି ଜାହିର କରିବା ହେଉଛି ବିଜେପି ପାଇଁ ବଡ଼ ଚାଲେଞ୍ଜ।

“ଓଡ଼ିଶାରେ ଯେଉଁ ପଟ୍ଟ ପରିବର୍ତ୍ତନ ହେବ ସେଥିରେ ବିଜେପି ମୁଖ୍ୟ ଭୂମିକା ଗ୍ରହଣ କରିବ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ହେଉଛି ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ”, କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

Comment