ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲା ବିଜେପି।

ରାଜ୍ୟ ରାଜନୀତିରେ ଥମୁନି ମହାରଥୀ ଝଡ଼। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି। ନୂଆ ବର୍ଷରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ନବୀନ ନିବାସ ଘେରାଉ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବାକୁ ପଡ଼ିଛି।

ପିପିଲି ଗଣଦୁଷ୍କର୍ମର ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ମହାରଥୀ କହିଥିଲେ ଯେ ‘ପୀଡ଼ିତାକୁ ନ୍ୟାୟ ମିଳିଲା’। ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ବହିଥିଲା। ବିରୋଧୀ କଂଗ୍ରେସ ଏବଂ ବିଜେପି ମହାରଥୀଙ୍କ ଇସ୍ତଫା ଦାବି କରିଥିଲେ। ଯଦି ସେ ଇସ୍ତଫା ନଦେବେ ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରିଥିଲେ।

ମହାରଥୀ ଇସ୍ତଫା ଦେଉ ନଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ୍ ରହୁଥିବାରୁ ବିଜେପି ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲା। ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ଭୁବନେଶ୍ୱର ଶିଶୁଭବନ ଛକରେ ପୋଲିସ ବାଟ ଓଗାଳିଥିଲା।

ଫଳରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ସମାନ ପ୍ରସଙ୍ଗକୁ କେନ୍ଦ୍ର କରି ଗତ ସୋମବାର ଦିନ ବିଜେପି କ୍ରାଇମବ୍ରାଞ୍ଚ ଅଫିସ ଘେରାଉ କରିଥିଲା।

Comment