ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ନୂଆ ବର୍ଷ। ୨୦୧୮କୁ ବିଦାୟ ଦେଇ ଆନନ୍ଦ, ଉଲ୍ଲାସର ସହ ରାଜଧାନୀ ଭୁବନେଶ୍ୱର ୨୦୧୯କୁ ସ୍ୱାଗତ କରିଛି। ଏହି ଅବସରରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା।

ମଙ୍ଗଳବାର ନୂଆବର୍ଷରେ ମୋଟ ୪୩,୪୨୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି। ଟିକେଟ୍ ବାବଦକୁ ନନ୍ଦନକାନନରେ ୧୮ ଲକ୍ଷ ୯୮ ହଜାର ୯୦୦ ଟଙ୍କା ସଂଗ୍ରହ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ନନ୍ଦନକାନନର ଏହା ହେଉଛି ସର୍ବାଧିକ ଆୟ।

ଏହା ପୂର୍ବରୁ ୨୦୧୮ ନବ ବର୍ଷରେ ନନ୍ଦନକାନନରେ ୩୮ ହଜାର ୫୭୭ ଜଣ ପର୍ଯ୍ୟଟକ ବୁଲିଥିଲେ । ଟିକେଟ୍ ବାବଦକୁ ସେମାନଙ୍କ ଠାରୁ ୧୩ ଲକ୍ଷ ୫୨ ହଜାର ୧୭୦ ଟଙ୍କା ଆଦାୟ ହୋଇଥିଲା। ସେହିପରି ୨୦୧୭ ଜାନୁଆରୀ ୧ରେ ୫୦, ୭୪୮ ଜଣ ପର୍ଯ୍ୟଟକଙ୍କ ଠାରୁ ୧୧ ଲକ୍ଷ ୩୩ ହଜାର ୭୪୬ ଟଙ୍କା ଏବଂ ୨୦୧୬ ଜାନୁଆରୀ ୧ରେ ୪୩ ହଜାର ୧୬ ଜଣ ପର୍ଯ୍ୟଟକଙ୍କ ଠାରୁ ୭ ଲକ୍ଷ ୫୮ ହଜାର ୭୬୦ ଟଙ୍କା ସଂଗ୍ରହ ହୋଇଥିଲା।

ଗତ ୨୯ ଡିସେମ୍ବରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଥିଲା। ଆଗକୁ ନନ୍ଦନକାନନର ନବକଳେବର ହେବ ବୋଲି ସେଦିନ ପ୍ଲାନ କରାଯାଇଥିଲା। ଆଗାମୀ ଦିନରେ ନନ୍ଦନକାନନର ଉନ୍ନତି ହେବାପରେ ଦର୍ଶକମାନଙ୍କ ଅଧିକା ଭିଡ଼ ହେବାର ଆଶା କରାଯାଉଛି।

Comment