ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କୃଷି ମନ୍ତ୍ରୀ ଦାୟିତ୍ୱରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ଶଶୀଭୂଷଣ ବେହେରା ଓ ରମେଶ ମାଝିଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଆଜି ଶଶୀଭୂଷଣ ବେହେରା ଦାୟିତ୍ୱ ପାଇବା ପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ”ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଏହି ବିଭାଗ ଥାଏ। ବିଭାଗର ଉନ୍ନତି ଲାଗି କାମ କରିବି।”

ସେହିପରି ମହାରଥୀଙ୍କ ପାଖରେ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ରମେଶ ମାଝିଙ୍କୁ ଦିଆଯାଇଛି। ସେ ଏହି ଦାୟିତ୍ୱ ପାଇବା ପରେ କହିଛନ୍ତି ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଉକ୍ତ ବିଭାଗର ଯେଉଁ କାମ ରହିଯାଇଛି ତାହାକୁ ତ୍ୱରାନ୍ୱିତ କରାଯିବ।

ନିକଟରେ ବେବିନା ମାମଲାରେ ଦୁଇ ଜଣ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ଜଜଙ୍କ ଦ୍ୱରା ଖଲାସ ହୋଇଯିବା ପରେ ମହାରଥୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯେ ଶେଷରେ ସତ୍ୟର ଜୟ ହୋଇଛି। ଏହି ମନ୍ତବ୍ୟକୁ ବିଜେପି ପକ୍ଷରୁ କଡ଼ା ପ୍ରତିବାଦ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଏହି ମନ୍ତବ୍ୟ ଯୋଗୁଁ ମହାରଥୀଙ୍କ ଇସ୍ତଫା ଦାବି କରାଯାଇଥିଲା। ମହିଳା କଂଗ୍ରେସର କର୍ମୀମାନେ ଏନେଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ ଓ ପୋଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା।

ବିଜେପି ମଧ୍ୟ ମହାରଥୀଙ୍କ ଇସ୍ତଫା ଦାବି କରିବା ସହ ନବୀନ ସରକାରଙ୍କର ମହିଳାଙ୍କ ପ୍ରତି ସମ୍ମାନ ନାହିଁ ବୋଲି ଅଭିଯୋଗ ଆଣିଥିଲା। ଖାଲି ସେତିକି ନୁହେଁ ମହାରଥୀଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବି ବାହାର କରିଥିଲା। ଯାହାପରେ ମହାରଥୀ ରବିବାର ଦିନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comment