ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନାଗପୁରର ପୋଷ୍ଟରବୟ କୁହାଯାଉଥିବା ନୀତିନ ଗଡ଼କରିଙ୍କ ଭାଗ୍ୟଚକ୍ର ଏବେ ଜୋର। ହୁଏତ ସେ ମୋଦିଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବି ନିଯୁକ୍ତ ହୋଇପାରନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ‘୧୬୦ କ୍ଲବ’ ନାମରେ ଏକ ଆଲୋଚନା ଚାଲୁଥିଲା। ଏହି କ୍ଲବର ମୂଳ ଉଦ୍ଦେଶ୍ୟ ଓ ଚର୍ଚ୍ଚା ଥିଲା ଯଦି ବିଜେପିର ୧୬୦ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ତେବେ ନରେନ୍ଦ୍ର ମୋଦି ନୁହେଁ ତାଙ୍କ ବିରୋଧୀଙ୍କ ଭିତରୁ କେହି ଜଣେ ପ୍ରଧାନମନ୍ତ୍ରୀ ହେବେ। ଏବେ ୨୦୧୯ରେ ନିର୍ବାଚନ ମଇଦାନକୁ ବିଜେପି ଓହ୍ଲାଇବା ପୂର୍ବରୁ ପୁଣି ଥରେ ସେହି ବିଷୟ ଆଲୋଚନା ହେଉଛି। ଯେହେତୁ ବିଜେପି ଏକାକି  ୨୭୨+ ଆସନ ଜିତିବା ଏଥର ଆଦୌ ସମ୍ଭବ ନୁହେଁ ଏଣୁ ‘୧୬୦ କ୍ଲବ’ ତା’ର ଉଦ୍ୟମ ପୁଣିଥରେ ଆରମ୍ଭ କରିଦେଇଛି। ଆଉ ଏଥର ଏହି କ୍ଲବର ନେତା ହେଉଛନ୍ତି ନୀତିନ ଗଡ଼କରି ଯାହାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗକୁ ଛଡ଼ା ଯିବାର ଢେର ସମ୍ଭାବନା ରହିଛି।

ଅବଶ୍ୟ ପ୍ରଧାନମନ୍ତ୍ରୀ ହେବା ପାଇଁ ଗଡ଼କରି ବହୁ ଦିନରୁ ଆଶା ରଖିଛନ୍ତି। ହେଲେ ଏବେ ଅନେକ ଘଟଣା ଏକା ସାଙ୍ଗରେ ଘଟୁଛି ଯାହାକି ଗଡ଼କରିଙ୍କ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିଛି। ଏହିସବୁ  କାରଣରୁ ସେ ପ୍ରଧାନମନ୍ତ୍ରୀ ଚୌକିରେ ବସି ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ହେଉଛି।

କାରଣ ନମ୍ବର ୧

ଆଞ୍ଚଳିକ ଦଳମାନେ ଗଡ଼କରିଙ୍କୁ ବେଶୀ ପସନ୍ଦ କରୁଛନ୍ତି। ଏଣୁ ୨୦୧୯ ନିର୍ବାଚନରେ ଯଦି ବିଜେପିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନ ମିଳେ, ଏନ୍ଡ଼ିଏର ଅଂଶୀଦାର ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଗଡ଼କରିଙ୍କ ଆଗକୁ ଠେଲି ପାରନ୍ତି। ଏହି ଅଂଶୀଦାରଙ୍କ ଭିତରୁ କେହି ବି ଚାହୁଁନାହାନ୍ତି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ୨୦୧୪ ପରଠାରୁ ମୋଦି-ଶାହ ଯୋଡ଼ି ଦ୍ୱାରା ଏମାନଙ୍କୁ ଅଣଦେଖା କରାଯାଇଥିବାରୁ ସେମାନେ ଏହି ଦୁଇ ନେତାଙ୍କୁ ଆଦୌ ପସନ୍ଦ କରୁନାହାନ୍ତି। ଏଣୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆରଏସଏସର ପ୍ରରୋଚନାରେ ସେମାନେ ମୋଦିଙ୍କ ବ୍ୟତୀତ ଆଉ ଜଣକୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଦାବି ଉଠାଇପାରନ୍ତି। ଆଉ ସେ ହେଉଛନ୍ତି ନୀତିନ ଜୟରାମ ଗଡ଼କରି। ଗଡ଼କରିଙ୍କ ସପକ୍ଷରେ ଯଦି ପ୍ରଥମେ କେହି ମୁହଁ ଖୋଲିବ ସେ ହେଉଛି ଏନ୍ଡ଼ିଏର ପ୍ରମୁଖ ଅଂଶୀଦାର ଶିବସେନା। ଦଳର ମୁଖପତ୍ର ‘ସାମ୍ନା’ରେ ଶିବସେନାର କୁହାଳିଆ ସାଂସଦ ସଞ୍ଜୟ ରାଉତ ଏକଥା କହିସାରିଛନ୍ତି।

କାରଣ ନମ୍ୱର ୨

ଯେଉଁମାନେ ଗଡ଼କରିଙ୍କୁ ପସନ୍ଦ କରୁଛନ୍ତି ସେମାନେ କେବଳ ଏନଡିଏରେ ସୀମିତ ନାହାନ୍ତି। ବିରୋଧୀ ଦଳଙ୍କର ମଧ୍ୟ ସେ ଅତି ପ୍ରିୟ ଓ ସବୁ ଦଳ ସହିତ ତାଙ୍କ ସମ୍ପର୍କ ଭଲ। ମୋଦି-ଶାହଙ୍କ ଭଳି ସେ ବିରୋଧୀ ଦଳଙ୍କୁ ଅସ୍ପୃଶ୍ୟ ବୋଲି ଭାବନ୍ତି ନାହିଁ କି ସେମାନଙ୍କ ପ୍ରତି ଦ୍ଵେଷଭାବ ରଖନ୍ତି ନାହିଁ। ଶରଦ ପାୱାରଙ୍କ ଭଳି ଗଡ଼କରି ନିଜକୁ ଜଣେ ସର୍ବସମ୍ମତ ନେତା ଭାବେ ଗଢ଼ି ତୋଳିଛନ୍ତି ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ସବୁବେଳେ ସେ ପ୍ରସ୍ତୁତ କରି ଆସିଛନ୍ତି। ମହାରଷ୍ଟ୍ରରେ ଗଡ଼କରି ଜଣେ ଖୁବ୍ ଲୋକ ପ୍ରିୟ ଓ ଗ୍ରହଣୀୟ ନେତା ହେବା ବ୍ୟତୀତ ସାଧାରଣତଃ ଅନ୍ୟର ଦୋଷ ଗୁଣକୁ ସେ ଦେଖନ୍ତି ନାହିଁ।

କାରଣ ନମ୍ବର ୩

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ଭାବରେ ସେ ଅଣ-ଏନଡିଏ, ଅଣ-ବିଜେପି ରାଜ୍ୟମାନଙ୍କ ପାଇଁ ମଧ୍ୟ ଅନୁକୂଳ ମନୋଭାବ ପୋଷଣ କରୁଥିବା ଦେଖାଯାଇ ଆସିଛି। ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ସମ୍ବର୍ଦ୍ଧିତ ହେବା ବେଳେ ନାଗପୁରରେ ଗଡ଼କରି ସେହି ସଭାରେ କହିଥିଲେ ଯେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ମୋ କାମରେ ଖୁସି ଓ ସେଥିପାଇଁ ମୁଁ ଅଧିକ ଖୁସି। ଲୋକସଭାରେ ମଧ୍ୟ ସାଂସ ମାନେ ଗଡ଼କରିଙ୍କୁ ଭଲ ପାଆନ୍ତି।

କାରଣ ନମ୍ୱର ୪

ଦଳ ଭିତରେ ଓ ସରକାରରେ ମୋଦି ଓ ଶାହଙ୍କ ସ୍ୱେଚ୍ଛାଚାରିତା ଯୋଗୁଁ ବିଜେପି ଭିତରେ ଅନେକେ ଏହି ଯୋଡ଼ି ପୁଣି ଥରେ କ୍ଷମତାକୁ ଆସନ୍ତୁ ତାହା ଚାହୁଁନାହାନ୍ତି। ଏଣୁ ଗଡ଼କରି ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ସେମାନେ ଅଧିକ ଖୁସି ହେବା ସ୍ୱାଭାବିକ। ଯେଉଁମାନେ ଗଡ଼କରିଙ୍କୁ ଖୋଲା ସମର୍ଥନ କରିଛନ୍ତି ସେମାନଙ୍କ ଭିତରୁ ଅନେକେ ମୋଦି ଓ ଶାହଙ୍କ ଦ୍ୱାରା ଅବହେଳିତ ହୋଇ ଆସିଛନ୍ତି।

କାରଣ ନମ୍ୱର ୫

ସବୁଠାରୁ ବଡ଼ କଥା ଗଡ଼କରି ଆରଏସଏସର ପସନ୍ଦ। ମହାରାଷ୍ଟ୍ରର ଜଣେ ତୁଙ୍ଗ ସଂଘୀ ନେତା ତ ଏପରିକି ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ନିକଟରେ ଚିଠି ଲେଖି ଗଡ଼କରିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି। ଏବେ ଯେହେତୁ ୨୦୧୩ ଭଳି ମୋଦିଙ୍କ ଲୋକପ୍ରିୟତା ଦଳ ଭିତରେ ଆଉ ନାହିଁ ତେଣୁ ଗଡ଼କରି ହେଉଛନ୍ତି ତାଙ୍କର ଏକମାତ୍ର ବିକଳ୍ପ। ତା’ ଛଡ଼ା ଆରଏସଏସ ପାଇଁ ଗଡ଼କରି ହେଉଛନ୍ତି ‘ନିଜ ଲୋକ’ ଓ ନାଗପୁରର ପଡ଼ୋଶୀ। ଗଡ଼କରି ଜଣେ ମହାରଷ୍ଟ୍ର ବ୍ରାହ୍ମଣ ହୋଇଥିବାରୁ ମଧ୍ୟ ତାଙ୍କ ପସନ୍ଦ ଗ୍ରାଫ କ୍ରମାଗତ ଭାବରେ ଉପରକୁ ଯାଉଛି।

ଶେଷ କାରଣ

ମହାରାଷ୍ଟ୍ରର ଲୋକେ ଅନ୍ତରିକତାର ସହ ଚାହାଁନ୍ତି ତାଙ୍କର ଜଣେ କେହି ପ୍ରଧାନମନ୍ତ୍ରୀ ହେବା ଦରକାର। ମୋରାଜି ଦେଶାଇ ଓ ନରେନ୍ଦ୍ର ମୋଦି ଗୁଜରାଟୀ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେହି ଜଣେ ମରାଠୀ ପ୍ରଧାନମନ୍ତ୍ରୀ ହୋଇନଥିବାରୁ ସେମାନଙ୍କ ମନ ଦୁଃଖ। ଖାସ୍‌ ଏଥିପାଇଁ ଶିବସେନା ଚାହୁଁଛି ଗଡ଼କରି ପ୍ରଧାନମନ୍ତ୍ରୀ ହେବା ଦରକାର। ଏବ ଠୁ କୁଆଡ଼େ ମହାରାଷ୍ଟ୍ରରେ ଆଲୋଚନା ଚାଲିଲାଣି ଯେ ଗଡ଼କରିଙ୍କ ମୁଣ୍ଡରେ ଏଥର ହାତୀ କଳସ ଢାଳିବା ଥୟ।

Comment