କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି

ସମୁଦ୍ରରେ ମାଛ ଧରୁଥିବା ବେଳେ ଗୁଳିମାଡ଼ରେ ଟଳିପଡ଼ିଲେ ମତ୍ସ୍ୟଜୀବୀ।

କେନ୍ଦ୍ରାପଡ଼ା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ ଗହୀର ମଥାର ମାଦେଳି ମାଉଥ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଗହୀରମଥାରେ ଅଲିଭ ରିଡଲେ କଇଁଛ ମାନଙ୍କସୁରକ୍ଷା ଦାୟିତ୍ୱରେ ରହିଥିବା ପାରାଦୀପ କୋଷ୍ଟଗାର୍ଡଙ୍କ ଗୁଳିରେ ଜଣେ ଟ୍ରଲର ଚାଳକଙ୍କ ମୃତ୍ୟୁ ଘଟିଛି। ଟ୍ରଲରଟି ବେଆଇନ ଭାବରେ ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ଅଭିଯୋଗ ହୋଇଛି। ମୃତକ ଟ୍ରଲର ଚାଳକଙ୍କ ନାମ ମାୟାଧର ମଳିକ।

ପ୍ରତିଦିନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରୁଛନ୍ତି ଟ୍ରଲର ମାଫିଆମାନେ। ଶୁକ୍ରବାର ବିଳମ୍ବିତ ରାତିରେ ଅଲିଭରିଡଲେ କଇଁଛମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ପରାଦୀପ କୋଷ୍ଟଗାର୍ଡ ଏକ ଟ୍ରଲରକୁ ଠାବ କରିଥିଲେ। ଉକ୍ତ ଟ୍ରଲର ମାଦେଳି ମାଉଥ୍ ନିକଟରେ ମାଛ ଧରୁଥିଲେ। ଟ୍ରଲର ଉପରକୁ ଲାଇଟ୍ ପକାଇଥିଲେ କୋଷ୍ଟଗାର୍ଡ।

କୋଷ୍ଟଗାର୍ଡ ଟ୍ରଲରକୁ ତାଗିତ ମଧ୍ୟ କରିଥିଲେ। ହେଲେ ଟ୍ରଲର କୋଷ୍ଟଗାର୍ଡର ନିର୍ଦ୍ଦେଶକୁ ନମାନି ମାଛ ଧରି ଚାଲିଥିଲା। ସମୁଦ୍ର ଭିତରେ ହଠାତ୍‌ କୋଷ୍ଟଗାର୍ଡ ଟ୍ରଲର ଉରକୁ ଗୁଳି ଚଳାଇଥଲେ। ଘଟଣାସ୍ଥଳରେ ମାୟାଧର ମଳିକ ଗୁରୁତର ଆହତ ହୋଇଥିଲେ। ଆହତ ଟ୍ରଲର ଚାଳକଙ୍କୁ କୋଷ୍ଟଗାର୍ଡ ପାରାଦୀପ ବନ୍ଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଚାଳକ ମାୟାଧରଙ୍କର ମୃତ୍ୟୁ ଘଟିଥିଲା।

ତେବେ କୋଷ୍ଟଗାର୍ଡ ଓ ଟ୍ରଲର ମଧ୍ୟରେ କେଉଁ କାରଣ ପାଇଁ ଗୁଳିକାଣ୍ଡ ହୋଇଥିଲା ତାହା ଜଣାପଡ଼ିନି।

କୋଷ୍ଟଗାର୍ଡ ବିଳମ୍ବିତ ରାତିରେ ଗହୀରମଥା ବନ ବିଭାଗକୁ ଟ୍ରଲର ସମେତ ୮ ଜଣ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରିଛି। ଏହି ଟ୍ରଲରଟି ଭଦ୍ରକ ଜିଲ୍ଲା ଚୁଡ଼ାମଣି ଅଞ୍ଚଳର ମା କାନନ ବୋଲି ଜଣାପଡ଼ିଛି। ଏହି ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଗହୀରମଥା ବନବିଭାଗ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରତିବର୍ଷ ଏମିତି ବନ ବିଭାଗ, ପୋଲିସ ବିଭାଗ ଓ କୋଷ୍ଟଗାର୍ଡମାନଙ୍କ ମଧ୍ୟରେ ବେଆଇନ ମାଛଧରିବାକୁ ନେଇ ଛୋଟ ମୋଟ ଗଣ୍ଡଗୋଳ ହୁଏ। ତେବେ ସମୁଦ୍ର ମଧ୍ୟରେ ଉଭୟ ଟ୍ରଲର ଓ କଇଁଛ ସୁରକ୍ଷା ଦାୟିତ୍ୱରେ ରହିଥିବା ଏହି ବିଭାଗୀୟ ଅଧିକାରୀ ପରଷ୍ପରଙ୍କ ମଧ୍ୟରେ ଆଗରୁ ଗୁଳି ବିନିମୟରେ ୩ଜଣ ମତ୍ସ୍ୟଜୀବୀଙ୍କ ପ୍ରାଣହାନୀ ଘଟିଥିଲା। ୨୦୦୨ ମସିହାରେ ଜଣେ ବନ କର୍ମଚାରୀଙ୍କୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଫିଙ୍ଗିଦେବାରୁ ତାଙ୍କର ପ୍ରାଣହାନୀ ଘଟିଥିଲା।

୨୦୦୫ ମସିହାରେ ବନ ବିଭାଗର ଗୁଳିରେ ପଶ୍ଚିମବଙ୍ଗ କାକଦୀପ ଅଞ୍ଚଳର ଗଣେଶ ଦାସ ନାମକ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦୬ ମସିହାରେ ମହାକାଳପଡ଼ା ବ୍ଲକ ଖରିନାସୀ ଅଞ୍ଚଳର କାଲୁ ବିଶ୍ୱାସ ନାମକ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିଲା ୨୦୧୪ ମସିହାରେ ରାଜନଗର ବ୍ଲକ ଶୈଳେନ୍ଦ୍ରନଗର ଗାଁର ସେକ ଆକବର ନାମକ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହି ଗୁଳିକାଣ୍ଡ ଘଟଣାରେ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ତଦନ୍ତ କରିବାକୁ କେନ୍ଦ୍ରାପଡ଼ା ଏସପି ନିତିଶେଖର ନିର୍ଦ୍ଦେଶ ଦେଇଛନ୍ତି। ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଏସ୍ ଆଇ ରମାକାନ୍ତ ବେହେରା ପାରାଦୀପ ଯାଇଛନ୍ତି। ପାରାଦୀପ ଡାକ୍ତରଖାନାରେ ଥିବା ଟ୍ରଲର ଡ୍ରାଇଭର ମଳୟ ମଳିକଙ୍କ ମୃତଦେହକୁ ଜବତକରିବା ସହିତ ପାରାଦୀପ କୋଷ୍ଟଗାର୍ଡଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିବ ବୋଲି ପୋଲିସ ରମାକାନ୍ତ ବେହେରା ସୂଚନା ଦେଇଛନ୍ତି।

Comment