ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜର ଶାଳଚୁଆ ଗ୍ରାମରେ ନାବାଳକ ଶିଶୁ ଉପରେ ଆକ୍ରମଣ। ଡାକ୍ତରଖାନାରେ ନାବାଳକ ଜଣକଙ୍କ ମୃତ୍ୟୁ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଶାଳଚୁଆ ଗ୍ରାମରେ ସ୍ୱର୍ଗତ ରଘୁନାଥ ନାୟକଙ୍କ ୧୨ବର୍ଷର ନାବାଳକ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ନାବାଳକ ଜଣକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ଅଜୟ ନାୟକ।

ମଙ୍ଗଳବାର ଅପରାହ୍ନରେ ଶାଳଚୁଆ ଗ୍ରାମର କିଛି ପିଲାମାନେ ମିଶି ନିକଟସ୍ଥ ବରକୁଟୀ ଗ୍ରାମକୁ ମକରମେଳା ଦେଖିବାକୁ ଯାଇଥିଲେ। ସନ୍ଧ୍ୟାରେ ମେଳାରୁ ଫେରିବା ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା। କିଛି ପିଲାମାନେ ମୃତ ନାବାଳକ ଅଜୟ ଉପରେ ଆକ୍ରମଣ କରିଥିଲେ। ତେବେ ସେମାନଙ୍କ ମାଡ଼ ଭୟରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅଜୟ ନିଜ ଘରେ ଗୋଟିଏ ରୁମକୁ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲା।

ବହୁ ସମୟ ଧରି କବାଟ ନ ଖୋଲିବା ପରେ ପଡୋଶୀମାନେ ଘରର ନଡ଼ା ଛପର ଖୋଲି ଗୁରୁତର ଅବସ୍ଥାରେ ଅଜୟକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ରେ ଆନନ୍ଦପୁର ଡାକ୍ତର ଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକ ଜଣକଙ୍କ ମୃତ୍ୟୁ ହୋଇଥିଲା। ଠାକୁରମୁଣ୍ଡା ପୋଲିସ ଜଣେ ପିଲାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Comment